ଭୁବନେଶ୍ବର : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଜାଉ ଖାଇ ୨ ଜଣ ମହିଳାଙ୍କ ମୃତ୍ୟୁ ସହ ୬ ଜଣ ଗୁରୁତର ହେବା ଘଟଣାକୁ ନେଇ ମୋହନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ନବୀନ ପଟ୍ଟନାୟକ। ଆଜି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ବିଜୁ ଛାତ୍ର ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନରେ ଯୋଗଦେଇ ମୋହନ ସରକାରଙ୍କ ଟାର୍ଗେଟ କରିବା ସହ କହିଥିଲେ ଆମର ବାର ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡ଼ାରେ ସାରିଦେଲେ। ନବୀନ କହିଛନ୍ତି ଆମ ସରକାର ଆରମ୍ଭ କରିଥିବା ବିକାଶ ମୂଳକ ଯୋଜନା ଲୋକଙ୍କୁ ବଞ୍ଚିବାକୁ ଶକ୍ତି ଦେଇଥିଲା । ଏବେ ବିନା କାରଣରେ ଗରିବ ଆଦିବାସୀ ଭାଇ ଭଉଣୀଙ୍କ ଚାଉଳକୁ ବନ୍ଦ କରିଛନ୍ତି । ସେମାନେ ଆମ୍ବ ଟାକୁଆ ଖାଉଛନ୍ତି । ଏହା ବହୁତ ଦୁଃଖର କଥା । ଆଉ ଏଥିରେ ଦୁଇ ଜଣ ମହିଳା ମୃତ୍ୟୁବରଣ କରିବା ସହ ୬ ଜଣ ଗୁରୁତର ହୋଇ ଚିକତ୍ସିତ ହେଉଛନ୍ତି।
ଏଥି ସହିତ ନବୀନ ଆହୁରି ମଧ୍ୟ କହିଛନ୍ତି ଯେ ଆନନ୍ଦର କଥା ଅକ୍ଟୋବରରୁ ଆରମ୍ଭ ହୋଇଥିବା ବିଜେଡିର ମେମ୍ବର ସିପ ଡ୍ରାଇଭ ଭଲରେ ଚାଲିଛି । ବହୁତ ଲୋକ ବିଜେଡିରେ ସାମିଲ ହେଉଛନ୍ତି । ସମସ୍ତଙ୍କୁ ମୁଁ ଦଳକୁ ସ୍ୱାଗତ କରୁଛି । ଯୁବ ଛାତ୍ର ମାନେ ମୋ ଦଳର ଭବିଷ୍ୟତ । ଆପଣ ମାନେ ସୋସିଆଲ ମିଡ଼ିଆରେ ଆକ୍ଟିଭ ରୁହନ୍ତୁ । ବିରୋଧୀଙ୍କ ଅପପ୍ରଚାରର କଡା ଜବାବ ଦିଅନ୍ତୁ । ଆମ ସରକାରଙ୍କ ଯୋଜନା ଅନ୍ୟ ମାନଙ୍କ ପାଇଁ ମଡେଲ ହୋଇଛି। ଭାରତ ସରକାର ଆମର ଅନେକ ଯୋଜନା ଗ୍ରହଣ କରିଛନ୍ତି । ଭୋଟ ବ୍ୟାଙ୍କ ସୃଷ୍ଟି କରିବା କେବେ ଆମର ଲକ୍ଷ୍ୟ ନଥିଲା। କିନ୍ତୁ ବିଜେପି ସରକାର ଲୋକଙ୍କ ସମସ୍ୟାକୁ ଅଣଦେଖା କରୁଛି । ବିଜେଡି ଓଡ଼ିଶାର ଏକ ନଂ ଦଳ । ଗତ ନିର୍ବାଚନରେ ଆମେ ଅଧିକ ଭୋଟ ପାଇଛୁ । ବିଜେଡି ଲୋକଙ୍କ ହୃଦୟରେ ରହିଛି ଏବଂ ଆଗକୁ ମଧ୍ୟ ରହିବ ବୋଲି ନବୀନ କହିଛନ୍ତି।














