ଭୁବନେଶ୍ୱର: ଓଡ଼ିଶା ସରକାର ଶେଷ ମୁହୂର୍ତ୍ତରେ ଖୋର୍ଦ୍ଧା ଜିଲ୍ଲାର ତରତୁଆ ଗ୍ରାମରେ ଶୁକ୍ରବାର ଆରମ୍ଭ ହେବାକୁ ଥିବା ମୁସଲମାନମାନଙ୍କ ଏକ ରାଜ୍ୟସ୍ତରୀୟ ତିନି ଦିନିଆ ଧାର୍ମିକ ସମ୍ମିଳନୀ, ତବଲିଗି ଇଜତେମାକୁ , ବାତିଲ କରିଛନ୍ତି। “ଭିଡ଼ ପରିଚାଳନା ପାଇଁ ପର୍ଯ୍ୟାପ୍ତ ପୋଲିସ ବାହିନୀର ଅଭାବ” କାରଣରୁ ଏହା ବାତିଲ ହେଲା ବୋଲି ଉଲ୍ଲେଖ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ବାତିଲ ପତ୍ରରେ ଲେଖାଯାଇଛି, ପର୍ଯ୍ୟାପ୍ତ ପୋଲିସ ବାହିନୀର ଅଭାବ ଏବଂ ବିଶାଳ ସମାବେଶ ଯୋଗୁଁ , ଭିଡ଼ ପରିଚାଳନା ଏବଂ ଜନ ସୁରକ୍ଷା ପ୍ରଭାବିତ ହେବା ଆଶଙ୍କା କରି, ତରତୁଆ, ଖୋର୍ଦ୍ଧାରେ ଇଜତେମା ପାଇଁ ଦିଆଯାଇଥିବା ଅନୁମତିକୁ ବାତିଲ କରାଗଲା । ରାଜ୍ୟର ବିଭିନ୍ନ ସ୍ଥାନରୁ ଇଜତେମାରେ ଯୋଗ ଦେବା ପାଇଁ ସମ୍ପ୍ରଦାୟର ଲୋକମାନେ ଆସିବା ଆରମ୍ଭ କରିଦେଇଥିବାବେଳେ, ସରକାରଙ୍କ ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି।
ପୂର୍ବରୁ ଏଭଳି କାରଣରୁ ଦୁଇଥର ସ୍ଥାନାନ୍ତର ହୋଇଥିବା ଏହି ଇଜତେମାକୁ ଆୟୋଜକମାନେ ଶେଷରେ ବାତିଲ କରିବାକୁ ବାଧ୍ୟ ହୋଇଥିଲେ।
ଇଜତେମା ପ୍ରଥମେ ଜାନୁଆରୀ 31 ରୁ ଫେବୃଆରୀ 2 ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ନିକଟସ୍ଥ ନେଓଲପୁରରେ ହେବାର ଥିଲା। ଏହା ପରେ ଏହାକୁ ଖୋର୍ଦ୍ଧା ଜିଲ୍ଲାର ଜଟଣୀ ନିକଟସ୍ଥ ବେଣାପଞ୍ଜରୀକୁ ସ୍ଥାନାନ୍ତରିତ କରାଯାଇଥିଲା।
ସମ୍ମିଳନୀର ଅନ୍ୟତମ ସଂଯୋଜକ ପ୍ରଫେସର ମହମ୍ମଦ ଅଫସର ଅଲି କହିଛନ୍ତି , ଏହି ବାର୍ଷିକ କାର୍ଯ୍ୟକ୍ରମ ପାଇଁ ସମ୍ପ୍ରଦାୟ ଲୋକମାନଙ୍କ ଶ୍ରମ ଦାନ ସହ ମିଳିତ ଭାବରେ ସମସ୍ତ ପ୍ରସ୍ତୁତି ପାଇଁ ପ୍ରାୟ ତିନି କୋଟି ଟଙ୍କାର ବିପୁଳ ବିନିଯୋଗ ପରେ ଇଜତେମାକୁ ବାତିଲ କରିବାକୁ ବାଧ୍ୟ ହେଲୁ। ଅଲି କହିଛନ୍ତି ସମ୍ପ୍ରଦାୟର ଲୋକଙ୍କ ସକ୍ରିୟ ଯୋଗଦାନ ସହ 1996 ମସିହାରୁ ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବରେ ରାଜ୍ୟରେ ଇଜତେମା ଆୟୋଜିତ ହୋଇଆସୁଛି। ସମ୍ପ୍ରଦାୟର ସ୍ଥାନୀୟ ଲୋକମାନେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପଠାଯାଇଥିବା ଏକ ପତ୍ରରେ ସରକାରଙ୍କୁ ଏହି ସତ୍ୟକୁ ବୁଝାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ବିଫଳ ହୋଇଥିଲେ। ଜଣେ ଆୟୋଜକ ଅହମ୍ମଦ ଅଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲାର ବେଣାପଞ୍ଜରୀରେ ଇଜତେମା ସ୍ଥାନ ବାତିଲ କରିବା ପରେ ଜିଲ୍ଲାପାଳ ଏବଂ ସ୍ଥାନୀୟ ବିଧାୟକଙ୍କ ଉପସ୍ଥିତିରେ ତରାତୁଆ ଗାଁରେ ଇଜତେମା ସ୍ଥାନ ଚୟନ କରାଯାଇଥିଲା। ବେଣାପଞ୍ଜରୀରେ ସାମ୍ପ୍ରଦାୟିକ ଉତ୍ତେଜନା ଏବଂ ଆଇନ ଶୃଙ୍ଖଳା ସମସ୍ୟାର ସୃଷ୍ଟି ହେବା ଆଶଙ୍କାରେ ପ୍ରଶାସନ ପକ୍ଷରୁ ସମ୍ମିଳନୀକୁ ବାତିଲ କରିବା ସମୟରେ , ସେଠାରେ କାର୍ଯ୍ୟକ୍ରମ ପାଇଁ ଅନେକ ପ୍ରସ୍ତୁତି ସରିଥିଲା। ସରକାରୀ ମନୋନୀତ ଅଧିକାରୀଙ୍କଠାରୁ ନିର୍ଦିଷ୍ଟ ଅନୁମତି ପ୍ରମାଣପତ୍ର (NOC) ସହ ଏବଂ ପ୍ରାୟ 1.5 କୋଟି ଟଙ୍କା ଖର୍ଚ୍ଚ ସରିଥିଲା।
ଜଣେ ଶ୍ରଦ୍ଧାଳୁ ଅଭିଯୋଗ କରିଛନ୍ତି ସରକାର ସମ୍ମିଳନୀକୁ ଶେଷ ମୁହୂର୍ତ୍ତରେ ବାତିଲ କରି ଆମ୍ଭର ସାମ୍ବିଧାନିକ ଅଧିକାରକୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି । ପ୍ରଥମ ମନୋନୀତ ସ୍ଥାନ ନିଅଲପୁରରେ ମଧ୍ୟ ଅନେକ ସଂଗଠନ ଦ୍ୱାରା ସମ୍ମିଳନୀ ପାଇଁ ବାଧା ଉପୁଜିବା ଯୋଗୁଁ କାର୍ଯ୍ୟକ୍ରମକୁ ସ୍ଥଗିତ କରାଯାଇଥିଲା। ତରାତୁଆର ଇଜତେମା କମିଟିର ସମ୍ପାଦକ ୱାହିଦ ଖାନ କହିଛନ୍ତି, ଆମେ ଠକିଗଲୁ। ଯଦି କୌଣସି ସମସ୍ୟା ଆଶଙ୍କା ଥିଲା , ତେବେ ସରକାର କାର୍ଯ୍ୟକ୍ରମକୁ ବହୁ ପୂର୍ବରୁ ବାତିଲ କରିପାରିଥାନ୍ତେ ।ଇଜତେମା ବାତିଲ ହେବା ଖବର ପ୍ରସାରିତ ହେବା ପରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଅନେକ ପରସ୍ପରକୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କରିଥିଲେ ଏବଂ ଶେଷରେ ପ୍ରାତଃକାଳର ପ୍ରାର୍ଥନା ପରେ ସ୍ଥାନ ଛାଡି ଯିବା ଆରମ୍ଭ କରିଥିଲେ। ନାମ ଗୋପନ ରଖିବାକୁ ଚାହୁଁଥିବା କିଛି ସମ୍ପ୍ରଦାୟର ଲୋକ ଅଭିଯୋଗ କରିଛନ୍ତି କିଛି ସଂଗଠନ କାର୍ଯ୍ୟକ୍ରମକୁ ବାତିଲ କରିବାକୁ ଆରମ୍ଭରୁ ଯଥାସମ୍ଭବ ଚେଷ୍ଟା କରି ଶେଷରେ ସଫଳ ହୋଇଛନ୍ତି।
ମାତ୍ର ବାରମ୍ବାର ଚେଷ୍ଟା ସତ୍ତ୍ୱେ, ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ କିମ୍ବା ପୋଲିସ ଅଧିକ୍ଷକ ବିବେକାନନ୍ଦ ଶର୍ମା , ଖବର ଲେଖାଯିବା ପର୍ଯ୍ୟନ୍ତ, ମତାମତ ପାଇଁ ଉପଲବ୍ଧ ହୋଇପାରିଲେନାହିଁ। କଂଗ୍ରେସ ନେତା ଏବଂ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ କହିଛନ୍ତି ଏହି ସରକାର ସଂଖ୍ୟାଲଘୁଙ୍କ ଅଧିକାରକୁ ସୁରକ୍ଷା ଦେବାରେ ବିଫଳ ହୋଇଛି ଏବଂ ସେମାନଙ୍କୁ ଅନୁମତି ଦେବା ପରେ କାର୍ଯ୍ୟକ୍ରମକୁ ବାତିଲ କରିଛି। ରାଜ୍ୟର ସମ୍ପ୍ରଦାୟର ଲୋକଙ୍କ ଏକ ବଡ଼ ବାର୍ଷିକ ସଭା ଭାବରେ ପରିଚିତ ଏବଂ ଆନୁମାନିକ ଷାଠିଏ -ସତୁରି ହଜାର ଲୋକସମାଗମ ହେଉଥିବା ଏହି ଧାର୍ମିକ ସମ୍ମିଳନୀ, ଇସଲାମିକ ଜୀବନଶୈଳୀ ଅନୁସରଣ କରି ଆତ୍ମ ସଂସ୍କାର ପ୍ରତି ଲୋକଙ୍କୁ ପ୍ରୋତ୍ସାହିତ କରିବା ଏହାର ମୂଳ ଉଦ୍ଦେଶ୍ୟ। କିନ୍ତୁ ଏହି ସମ୍ମିଳନୀ କୌଣସି ରାଜନୈତିକ ଆଲୋଚନାକୁ ଅନୁମତି ଦିଏ ନାହିଁ।














