ଡିଜିପି ସମ୍ମିଳନୀ ପଣ୍ଡ କରିବାକୁ ଖଲିସ୍ତାନୀ ଆତଙ୍କୀ ପନ୍ନୁର ଧମକ
ଭୁବନେଶ୍ୱର: ଆସନ୍ତାକାଲି ଆରମ୍ଭ ହେବ ସର୍ବଭାରତୀୟ ଡିଜିପି ଓ ଆଇଜି ସମ୍ମିଳନୀ । ଏହି ୩ଦିନିଆ ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ସମସ୍ତ ରାଜ୍ୟର ୯୦ରୁ ୯୫ଜଣ ଡିଜିପି ଓ ଆଇଜି ପାହ୍ୟାର ଅଧିକାରୀଙ୍କ ସମେତ ଭିଭିଆଇପିମାନେ ଆସୁଛନ୍ତି। ଏଥିପାଇଁ ସମଗ୍ର ଭୁବନେଶ୍ୱରକୁ ପୁଲିସ ବଳୟରେ ରଖାଯିବା ସହ ହାଇଆଲର୍ଟରେ ଜାରି କରାଯାଇଛି। ଏହାରି ମଧ୍ୟରେ ଧମକ ଦେଇଛି ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ। ଏକ ଭିଡିଓ ବାର୍ତ୍ତା ଜାରି କରି ପନ୍ନୁ ଏହି ଧମକ ଦେଇଛି। ପନ୍ନୁର ଏହି ଧମକପୂର୍ଣ୍ଣ ବାର୍ତ୍ତାକୁ ନେଇ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି।
ଭିଡିଓ ବାର୍ତ୍ତାରେ ପନ୍ନୁ କହିଛି ଯେ, ହିନ୍ଦୁତ୍ଵ ଚିନ୍ତାଧାରା ଅଧୀନରେ ଏହି ଡିଜିପି ସମ୍ମିଳନୀ କରାଯାଉଛି। ଖଲିସ୍ତାନ ଶିଖଙ୍କ ସମର୍ଥନକାରୀ, କାଶ୍ମୀରୀ ଯୋଦ୍ଧା, ଆତଙ୍କବାଦୀ ଏବଂ ମାଓବାଦୀଙ୍କୁ ହତ୍ୟା କରିବାକୁ ଯୋଜନା କରାଯାଉଛି। ମୋଦୀ-ଶାହ-ଡୋଭାଲ ଭୁବନେଶ୍ଵରକୁ ବଡ଼ ବିପଦ ଆଣୁଛନ୍ତି ବୋଲି ସେ କହିଛି। ଛଦ୍ମବେଶରେ ଆସି ଭୁବନେଶ୍ଵରର ମନ୍ଦିର, ହୋଟେଲରେ ଲୁଚି ରହି ଏହି ସମ୍ମିଳନୀକୁ ଭଣ୍ଡୁର କରିବାକୁ ପନ୍ନୁନ ଖଲିସ୍ତାନୀମାନଙ୍କୁ ଆହ୍ବାନ କରିଛି। ତେବେ ଏଭଳି ଧମକପୂର୍ଣ୍ଣ ବାର୍ତ୍ତାକୁ ନେଇ ଡିଜିପି ଓ୍ବାଇ.ବି. ଖୁରାନିଆ କହିଛନ୍ତି ଯେ, ଯେକୌଣସି ପ୍ରକାର ଅଘଟଣକୁ ଏଡ଼ାଇବା ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଖବର ଅନୁଯାୟୀ, ପ୍ରଥମ ଥର ଲାଗି ଓଡିଶାରେ ଏହି ସମ୍ମିଳନୀ ହେଉଥିବାରୁ କମିସନରେଟ ପୁଲିସ ପକ୍ଷରୁ ସୁରକ୍ଷାକୁ କଡାକଡି କରାଯାଇଛି। ସହରରେ ପ୍ରାୟ ୬୫ରୁ ୭୦ ପ୍ଲାଟୁନ ପୁଲିସ ଫୋର୍ସ ଓ ୧୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରାଯାଇଛି। ୫ ପ୍ଲାଟୁନ ଲେଖାଏଁ ସିଆର୍ପିଏଫ୍ ଓ ବିଏସ୍ଏଫ୍ ଯବାନଙ୍କୁ ବିଭିନ୍ନ ସ୍ଥାନରେ ଅବସ୍ଥାପିତ କରାଯାଇଛି। ଏଥିସହ କ୍ୱିକ୍ ରିଆକ୍ସନ ଟିମ୍ ପାଟ୍ରୋଲିଂକୁ କଡାକଡି କରିବା ସହ ପୂରା ସହରକୁ ସିସିଟିଭି ସର୍ଭିଲାନ୍ସରେ ରଖାଯାଇଛି। ଏହା ସହିତ ଲୋକସେବାଭବନ ସମ୍ମେଳନ କକ୍ଷ ଭିତରେ ଏସ୍ପିଜି ଯବାନମାନେ ସାଦାପୋଷାକରେ ମୁତୟନ ହେବେ। କକ୍ଷ ବାହାରେ ପୁଲିସ ସୁରକ୍ଷାବଳ ଓ କେନ୍ଦ୍ର ସଶସ୍ତ୍ର ବାହିନୀ ଜଗିରହିବେ।
ଆସନ୍ତାକାଲି ସମସ୍ତ ରାଜ୍ୟର ଡିଜି ଓ ଆଇଜିଙ୍କ ସମେତ ଗୃହବିଭାଗ ଅଧୀନରେ ଥିବା ସମସ୍ତ ସଂସ୍ଥାର ମୁଖିଆମାନେ ଆସି ଭୁବନେଶ୍ୱରରେ ପହଞ୍ଚିବେ। ସେମାନେ ଭୁବନେଶ୍ୱର ବିମାନବନ୍ଦରରୁ ଆସି ଅତିଥିଭବନରେ ପହଞ୍ଚି ରାତ୍ରୀଯାପନ କରିବେ। ଏଥିନିମନ୍ତେ ଗତକାଲି କାରକେଡ ରିହରର୍ସାଲ କରାଯାଇଛି। ଯେଉଁ ସବୁ ଅଞ୍ଚଳରେ ପୁଲିସ ଅଧିକାରୀମାନେ ରହିବେ, ସେହି ଅଞ୍ଚଳ ସୁରକ୍ଷା ଦାୟିତ୍ୱ ଜଣେ ଲେଖାଏଁ ଆଇଜି ପାହ୍ୟର ପୁଲିସ ଅଧିକାରୀଙ୍କ ଉପରେ ନ୍ୟସ୍ତ କରାଯାଇଛି।
ଅନ୍ୟପକ୍ଷରେ ରାଜଧାନୀରେ ଟ୍ରାଫିକ ଜାମ୍ ଏଡାଇବା ଲାଗି ୪ଜଣ ବରିଷ୍ଠ ଆଇପିଏସ୍ଙ୍କୁ ଦାୟିତ୍ୱ ଦିଆଯାଇଛି। ଟ୍ରାଫିକ ପରିଚାଳନାରେ ଦୁଇ କମ୍ପାନୀ ସିଆର୍ପିଏଫ୍ ଫୋର୍ସ ମୁତୟନ ହେବାକୁ ଥିବାବେଳେ ମୋଟ୍ ୬୦୦ଜଣକୁ ଟ୍ରାଫିକ ପରିଚାଳନା ଦାୟିତ୍ୱ ଦିଆଯାଇଛି। ଏଥିସହ ୩ ଅତିରିକ୍ତ ଏସ୍ପି ଓ ୧୬ଜଣ ଇନ୍ସପେକ୍ଟର ପାହ୍ୟାର ଅଧିକାରୀଙ୍କୁ ରୁଟ ଲାଇନିଂ ଓ ଟ୍ରାଫିକ ପରିଚାଳନା ତଦାରଖ କରିବେ। ଆଖପାଖ ଜିଲ୍ଲାରୁ ଅତିରିକ୍ତ ଏସ୍ପି ଓ ଡିଏସ୍ପିମାନଙ୍କୁ ରାଜଧାନୀର ସୁରକ୍ଷାରେ ନିୟୋଜିତ କରାଯାଇଛି। ଏହି ସମ୍ମିଳନୀ ପୁଲିସ କର୍ମଚାରୀ ଓ ଅତିଥିମାନେ ଯିବା ଆସିବା ସହ ପାଇଲଟିଂ ବ୍ୟବସ୍ଥା ଲାଗି ୪୦୦ରୁ ଅଧିକ ଗାଡିକୁ ପୁଲିସ ଭଡାରେ ଆଣିଛି। ଅନ୍ୟପକ୍ଷରେ ଅଗ୍ନିଶମ ବାହିନୀ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୨୫ଜଣ ଅଧିକାରୀଙ୍କ ସମେତ ୧୪୦ଜଣ ଅଗ୍ନିଶମ କର୍ମଚାରୀଙ୍କ ସହ ବିଭିନ୍ନ ପ୍ରକାରର ୧୦ଟି ଦମକଳ ଗାଡି ନିୟୋଜନ ହେବ ବୋଲି ସୂନା ମିଳିଛି।














