ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ୍ ଚୋରି ମାମଲାର ତଦନ୍ତ ଜୋରଦାର । ଭିକେ ପାଣ୍ଡିଆନଙ୍କ ପରେ ଆଜି ଆଉ ଜଣେ ବଡ଼ବାବୁଙ୍କ ସମନ କରିଛି କମିଶନରେଟ୍ ପୁଲିସ୍ । ପୂର୍ବତନ ସଚିବ ରାଜେଶ ବର୍ମାଙ୍କୁ ଆଜି ଆଉ ଥରେ ହୋଇଛି ନୋଟିସ୍ । ସେପଟେ ପାଣ୍ଡିଆନଙ୍କୁ ନୋଟିସ୍ କରିବାକୁ ନେଇ ତେଜିଛି ରାଜନୈତିକ ବୟାନବାଜି ।
ଭି.କେ. ପାଣ୍ଡିଆନ୍, ମନୋଜ ମିଶ୍ର, ରାଜେଶ ବର୍ମା ଙ୍କ ପରେ ସିଏମଓର ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉପେନ୍ଦ୍ର ବେହେରାଙ୍କୁ ସମନ କରିଛି କମିଶନରେଟ୍ ପୁଲିସ୍ । ୨୦୧୫ରୁ ୨୦୧୭ ପର୍ଯ୍ୟନ୍ତ ସିଏମଓରେ କାର୍ଯ୍ୟରତ ଥିଲେ ଉପେନ୍ଦ୍ର ବେହେରା । ସିଏମଓରୁ ଫାଇଲ ଗାଏବ ମାମଲାର ପ୍ରାଥମିକ ତଦନ୍ତରୁ ଉପେନ୍ଦ୍ର, ଏ ସମ୍ପର୍କରେ ଅବଗତ ଥିବା ଜଣାପଡିବା ପରେ ତାଙ୍କୁ ଥାନାକୁ ଡାକିଛି ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍। ଆସନ୍ତା ୨୬ ତାରିଖ ଦିନ ଗୋଟାଏ ସୁଦ୍ଧା କ୍ୟାପିଟାଲ ଥାନାରେ ହାଜର ହେବା ପାଇଁ ଦେଇଛି ନିର୍ଦ୍ଦେଶ। ଏଥିସହ ଏହି ମାମଲା ସହ ଜଡ଼ିତ ସମସ୍ତ ଡକ୍ୟୁମେଣ୍ଟ, ରେକର୍ଡ, ଇଲୋକ୍ଟ୍ରୋନିକ୍ସ ଡିଭାଇସେସ୍ ସାଙ୍ଗରେ ଆଣିବାକୁ କୁହାଯାଇଛି ।
୨୨ତାରିଖ ସୁଦ୍ଧା ହାଜର ନହେବାରୁ ରାଜେଶ ବର୍ମାଙ୍କୁ ପୁଣି ଥରେ ନୋଟିସ୍ ଜାରି କରିଛି ପୁଲିସ୍। ଆସନ୍ତା ୩୦ ତାରିଖରେ ହାଜର ହେବାକୁ ଦ୍ବିତୀୟ ନୋଟିସ୍ରେ ଦିଆଯାଇଛି ନିର୍ଦ୍ଦେଶ। ଏପଟେ ହାଜର ନ ହେଲେ କଠୋର ପଦକ୍ଷେପର ଚେତାବନୀ ଦେଇଛନ୍ତି ପୁଲିସ୍ କମିସନର । ପାଣ୍ଡିଆନଙ୍କୁ ପୁଲିସର ନୋଟିସ୍ ପରେ ତେଜିଛି ରାଜନୀତି। ବିଜେଡି ଏହାକୁ ଆକ୍ରୋଶ ମୂଳକ କହି ସମାଲୋଚନା କରିଛି। ଜବାବରେ ବିଜେପି କହିଛି, ଯିଏ ଦୋଷୀ ସିଏ ଦଣ୍ଡ ପାଇବ । ଏବେ ଅପେକ୍ଷା ବାବୁମାନେ ଥାନାରେ ହାଜର ହେଉଛନ୍ତି କି ନାହିଁ? ଯଦି ହାଜର ନହେବେ ପୁଲିସର ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ ?














