ନୂଆଦିଲ୍ଲୀ: ରାଜ୍ୟସଭା ପରେ ଗୁରୁବାର ଲୋକସଭାରେ ‘ବନ୍ଦେ ମାତରମ’ ବିଧେୟକ ଗୃହୀତ ହୋଇଯାଇଛି। ବିରୋଧୀ ଦଳଙ୍କ ହଟ୍ଟଗୋଳ ସତ୍ତ୍ୱେ ସଂସଦର ଉଭୟ ସଦନରେ ବିଧେୟକ ପାସ୍ ହୋଇଯାଇଛି। ୨୯ ଜୁଲାଇ ବୁଧବାର ବନ୍ଦେ ମାତରମ ବିଧେୟକକୁ ରାଜ୍ୟସଭାର ମଞ୍ଜୁରୀ ମିଳିଥିଲ। ୩୦ ଜୁଲାଇ ଗୁରୁବାର ବିଧେୟକ ଲୋକସଭାରେ ମଧ୍ୟ ଗୃହୀତ ହୋଇଛି। ଉଭୟ ସଦନରେ ଗୃହୀତ ହେବା ପରେ ଏବେ ଏହାକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ନିମନ୍ତେ ପଠାଯିବ। ବନ୍ଦେ ମାତରମ ବିଲ୍ ଆଇନରେ ପରିଣତ ହେଲେ ରାଷ୍ଟ୍ରୀୟ ସଙ୍ଗୀତକୁ ଜାତୀୟ ସଙ୍ଗୀତ ଜନଗଣ ମନ ଭଳି ଆଇନଗତ ସୁରକ୍ଷା ମିଳିବ। ନୂଆ ଆଇନ ଲାଗୁ ହେଲେ ବନ୍ଦେ ମାତରମର ଅପମାନ କରିବା ଅପରାଧ ମନେକରାଯିବ।
ବନ୍ଦେ ମାତରମ ଗାନ କାଳରେ ବାଧା ଦେବା ଅଥବା କାହାକୁ ଏହି ଜାତୀୟ ସଙ୍ଗୀତ ଗାନ କରିବାକୁ ରୋକିବା ଅପରାଧ ମନେ କରାଯିବ। ବନ୍ଦେ ମାତରମକୁ ଅପମାନ କଲେ ୩ ବର୍ଷ ଜେଲ, ଜରିମନା ଅଥବା ଉଭୟ ହୋଇପାରେ। ଜାତୀୟ ସଂଗୀତ ଗାନରେ ବାଧା ପାଇଁ ମଧ୍ୟ ଏହି ଦଣ୍ଡର ପ୍ରାବଧାନ ରହିଛି। ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ଜୁଲାଇ ୨୪ ତାରିଖରେ ରାଜ୍ୟସଭାରେ ଏହି ବିଧେୟକ ଉପସ୍ଥାପନ କରିଥିଲେ। ସରକାରଙ୍କ ଅନୁସାରେ ଜାତୀୟ ଗୀତର ସମ୍ମାନ ପାଇଁ ଏହି ଆଇନର ଆବଶ୍ୟକତା ରହିଛି। ଏହି ଗୀତ ଭାରତର ସ୍ୱାଧୀନତା ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା।
ଏହି ବିଧେୟକରେ ରାଷ୍ଟ୍ରୀୟ ଗୀତର ସମସ୍ତ ୬ଟି ଛନ୍ଦ ଗାଇବାକୁ କୁହାଯାଇଛି। ଏହି ପଦକ୍ଷେପ କେନ୍ଦ୍ର ଗୃହମନ୍ତ୍ରାଳୟର ସେହି ଆଦେଶ ପରେ ନିଆଯାଇଛି ଯେଉଁଥିରେ ରାଜ୍ୟ ସରକାରଙ୍କ ଅଧିକାରୀକ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଗୀତ ଗାଇବା ଓ ବଜାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଖାସ କରି ସେହି ସବୁ କାର୍ଯ୍ୟକ୍ରମରେ ଯେଉଁଥିରେ ଜାତୀୟ ସଂଗୀତ ଗାନ ହୋଇଥାଏ। ଆଦେଶରେ କୁହାଯାଇଛି ଯେ ଯେବେ ଜାତୀୟ ସଂଗୀତ ଓ ଜାତୀୟ ଗୀତ ଗାୟନ ଅଥବା ବାଦନ କରାଯିବ ସେତେବେଳେ ସାବଧାନ ମୁଦ୍ରାରେ ଛିଡା ହୋଇ ଗାଇବା ଉଚିତ। ଲୋକସଭାରେ ବନ୍ଦେ ମାତରମ ବିଲ୍ ଗୃହୀତ ହେବା ପରେ ସଦନକୁ ଜୁଲାଇ ୩୧ ପ୍ରବାହ୍ନ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି।














