ଭୁବନେଶ୍ୱର: ରାଜ୍ୟର ୬ଟି ଲୋକସଭା କ୍ଷେତ୍ର (ଭୁବନେଶ୍ବର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର) ସମେତ ଖୋର୍ଦ୍ଧା ଜିଲ୍ଲାରେ ଆସନ୍ତାକାଲି ମତଦାନ ନିମନ୍ତେ ପୋଲିଂ ପାର୍ଟିମାନେ ଆଜି ଦ୍ୱିତୀୟ ଦିନରେ ବୁଥ୍ ଅଭିମୁଖେ ଯାତ୍ରା କରିଛନ୍ତି। ଭୁବନେଶ୍ୱର (ମଧ୍ୟ)ରେ ୨୦୦ଟି ମତଦାନ କେନ୍ଦ୍ର ଥିବାବେଳେ ଭୁବନେଶ୍ୱର (ଉତ୍ତର)ରେ ୨୫୪, ଏକାମ୍ରରେ ୨୩୭ଟି ବୁଥ୍ ରହିଛି। ଭୁବନେଶ୍ୱର (ମଧ୍ୟ)ରେ ୨,୧୯,୧୭୧ ଜଣ, ଭୁବନେଶ୍ୱର (ଉତ୍ତର)ରେ ୨,୮୫,୭୪୦, ଏକାମ୍ରରେ ୨,୬୯,୧୯୪ ମତଦାତା ରହିଛନ୍ତି । ଭୁବନେଶ୍ୱର (ମଧ୍ୟ)ରେ ସମସ୍ତ ବୁଥ୍ ସଖି ବୁଥ୍ ଥିବାବେଳେ ଭୁବନେଶ୍ୱର (ଉତ୍ତର)ରେ ୬୦ ଏବଂ ଏକାମ୍ରରେ ୭୧ଟି ମହିଳା ପରିଚାଳିତ ସଖି ବୁଥ୍ ରହିଛି । ଏଗୁଡ଼ିକ ମଧ୍ୟରେ ଭୁବନେଶ୍ୱର (ମଧ୍ୟ) ନିର୍ବାଚନ ମଣ୍ଡଳୀରେ ୩୨ଟି ଅତି ସମ୍ବେଦନଶୀଳ, ୪ଟି ସମ୍ବେଦନଶୀଳ, ଭୁବନେଶ୍ୱର (ଉତ୍ତର)ରେ ୨୭ଟି ଅତି ସମ୍ବେଦନଶୀଳ, ୪ଟି ସମ୍ବେଦନଶୀଳ ଏବଂ ଏକାମ୍ରରେ ୨୯ଟି ଅତି ସମ୍ବେଦନଶୀଳ ଓ ୩ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର ରହିଛି । ଉକ୍ତ ବୁଥ୍ ମଧ୍ୟରେ ଭୁବନେଶ୍ୱର (ମଧ୍ୟ)ରେ ୧୧୯ଟି, ଭୁବନେଶ୍ୱର (ଉତ୍ତର)ରେ ୧୪୯ଟି ଏବଂ ଏକାମ୍ରରେ ୧୩୭ଟି ବୁଥ୍ରେ ୱେବ୍କାଷ୍ଟିଂ କରାଯିବ।
ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ସଂସଦୀୟ କ୍ଷେତ୍ର ସମେତ ୪୨ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତାକାଲି ହେବ ମତଦାନ । ମୋଟ ୯୪ ଲକ୍ଷ ୪୮ ହଜାର ଭୋଟର୍ ଭୋଟ୍ ଦେବେ। ତେବେ ଏହି ପର୍ଯ୍ୟାୟରେ ୪ ସଂସଦୀୟ କ୍ଷେତ୍ର ଭୁବନେଶ୍ୱର, କଟକ, ପୁରୀ ଓ ସମ୍ବଲପୁରରେ ହାଇଭୋଲଟେଜ୍ ଲଢେଇ ଦେଖିବାକୁ ମିଳିବ । ରାଜନୈତିକ ହିଂସା ସହ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଶୁନ୍ୟ ସହନଶୀଳତା ଉପରେ ଗୁରୁତ୍ବ ଦିଆଯାଉଛି। ଏଥିସହ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ବୋଲି ନିକୁଂଜ ବିହାରୀ ଧଳ, ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।
ଗତକାଲିର ବଳକା ଥିବା ଜୟଦେବର ୭୨ଟି ବୁଥ୍ ଏବଂ ଜଟଣୀର ୭୬ଟି ବୁଥ୍ର ପୋଲିଂ ପାର୍ଟିମାନେ ସେମାନଙ୍କର ବୁଥ୍ ଅଭିମୁଖେ ଯାତ୍ରା କରିଛନ୍ତି । ଆସନ୍ତାକାଲି ସକାଳ ୭ ଘଟିକାରୁ ଅପରାହ୍ନ ୬ ଘଟିକା ପର୍ଯ୍ୟନ୍ତ ଜିଲ୍ଲାରେ ମତଦାନ ହେବ । ଏହା ପରେ ଭୁବନେଶ୍ୱର ଲୋକସଭା କ୍ଷେତ୍ର ଅନ୍ତର୍ଗତ ଉକ୍ତ ୫ଟି ବିଧାନସଭା କ୍ଷେତ୍ରର ଇଭିଏମ୍ଗୁଡ଼ିକୁ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟସ୍ଥିତ ଷ୍ଟ୍ରଙ୍ଗ୍ରୁମ୍ରେ କଡ଼ା ସୁରକ୍ଷା ମଧ୍ୟରେ ସୁରକ୍ଷିତ ଭାବେ ରଖାଯାଇ ଆସନ୍ତା ୪ ତାରିଖରେ ମତଗଣନା ହେବ । ଏହି ନିର୍ବାଚନ ପରିଚାଳନା ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଇଛି ।
ଭୁବନେଶ୍ୱରରେ ବିଜେପିର ଅପରାଜିତାଙ୍କ ସହ ଲଢେଇ ହେଉଛି ବିଜେଡି ପ୍ରାର୍ଥୀ ତଥା ସୁର ରାଉତରାୟଙ୍କ ପୁଅ ମନ୍ମଥଙ୍କର । ସେହିପରି ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଲଢେଇ ହେଉଛି । ପୁରୀରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଜେଡିର ଅରୂପ ପଟ୍ଟନାୟକ୍କ ସାମ୍ନାସାମ୍ନି ହେଉଛନ୍ତି । ଆଉ କଟକରେ ବିଜେପି ପ୍ରାର୍ଥୀ ତଥା ୬ ଥରର ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଟକ୍କର ଦେବେ ବିଜେଡିର ସନ୍ତୃପ୍ତ ମିଶ୍ର । ସେହିପରି ବିଧାନସଭା ଲଢ଼େଇରେ ଜୟନାରାୟଣ ମିଶ୍ର, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ପ୍ରଶାନ୍ତ ଜଗଦ୍ଦେବ, ବଦ୍ରି ପାତ୍ର, ସୌମ୍ୟରଂଜନ ପଟ୍ଟନାୟକ, ଜୟଦେବ ଜେନା, ସୋଫିଆ ଫିର୍ ଦୌସ୍ ଓ ଉପାସନା ମହାପାତ୍ରଙ୍କ ଉପରେ ନଜର ରହିବ ।














