ଭୁବନେଶ୍ୱର : ଚାଲି ଚାଲି ଆସିଲେ, ଭୋଟ୍ ଦେଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଚାଲି ଚାଲି ଆସି ମତଦାନ କରିଛନ୍ତି । ଭୁବେନଶ୍ବର ଏରୋଡ୍ରମ କଲୋନୀସ୍ଥିତ ୟୁପି ସ୍କୁଲ ବୁଥରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତଦାନ ସାବ୍ୟସ୍ତ କରିଛନ୍ତି। ନବୀନ ପଟ୍ଟନାୟକ ଅସୁସ୍ଥ ଥିବା ନେଇ ମିଛ ପ୍ରଚାର କରୁଥିବା ବିରୋଧୀ ଏକ ପ୍ରକାର ଶକ୍ତ ଚାପୁଡ଼ା ମାରିବା ଭଳି ହୋଇଛି ବୋଲି ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି ।
ଭୋଟ ଦେବା ପରେ ନବୀନ କହିଛନ୍ତି, ଚଳିତ ନିର୍ବାଚନରେ ବିଜେଡି ବଡ ବିଜୟ ହାସଲ କରିବ । ଉଭୟ ଲୋକ ସଭା ଓ ବିଧାନସଭାରେ ଦଳ ଭଲ ପ୍ରଦର୍ଶନ କରିବ। ଓଡ଼ିଶାର ସେବା କରିବାକୁ ଆମେ ସ୍ଥିର ସରକାର ଗଠନ କରିବୁ ବୋଲି ସେ ଦମ୍ଭୋକ୍ତି ଦେଖାଇଛନ୍ତି। ଏହାସହ ଅଧିକରୁ ଅଧିକ ଯୁବ ଭୋଟର ଭୋଟ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି ।
ତେବେ ଭୋଟ ଦେବା ପରେ ମୁଖ୍ୟମନ୍ତ୍ରୀ ଗଣତନ୍ତ୍ରର ସବୁଠୁ ବଡ ପର୍ବ ଲେଖାଥିବା ସେଲଫି ପଏଣ୍ଟରେ ଫଟୋ ଉଠାଇ ସମସ୍ତଙ୍କୁ ଏହି ମହାନ ପର୍ବରେ ସାମିଲ ହେବାକୁ କହିଛନ୍ତି। ଏହାସହ ଭୋଟ ଦେଇ ଫେରିବା ବେଳେ ସାଧାରଣ ଲୋକଙ୍କ ସହ ସେ ସେଲଫି ନେବା ସହ ଆଲୋଚନା କରିଥିବା ଦେଖାଯାଇଛି।














