ରାଜ୍ୟ ସରକାରଙ୍କ ମହାତ୍ବାକାଂକ୍ଷୀ ଯୋଜନାରେ ହତାଧିକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ମହିଳାଙ୍କୁ ଅଧିକ ସ୍ବାବଲମ୍ବୀ କରିବା ଲକ୍ଷ ଧିରେ ଧିରେ ସଫଳ ହେବାରେ ଲାଗିଛି। ଆଜି ରାକ୍ଷୀ ପୂର୍ଣ୍ଣିମାରେ ପଞ୍ଚମ କିସ୍ତି ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ମୋଟ ୧ କୋଟି ୩ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି। ଏହି ଅବସରରେ ନୟାଗଡ଼ ଚିନିକଳର ପୁନଃକାର୍ୟ୍ୟକ୍ଷମ ହେବା ନେଇ ବଡ଼ ଘୋଷଣା କରିଛନ୍ତି।
୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା ଆଜି ଓଡ଼ିଶାର ସବୁଠାରୁ ବଡ଼ ମହିଳା ସଶକ୍ତିକରଣ କାର୍ୟ୍ୟକ୍ରମରେ ପରିଣତ ହୋଇଛି। ରାଖୀ ପୂର୍ଣ୍ଣିମାରେ ଏହି ଯୋଜନା ଅଧିନରେ ପଂଚମ କିସ୍ତି ପ୍ରଦାନ କରିଛନ୍ତି ମୋହନ ସରକାର। ନୟାଗଡ଼ ଲାଠିପଡ଼ାରୁ ମୁଖ୍ୟମନ୍ତ୍ରୀ ମୋଟ ୧ କୋଟି ୩ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ ୫,୧୬୦ କୋଟି ଟଙ୍କା ପଠାଇଛନ୍ତି। ୨,୨୧,୦୫୪ ଜଣ ହିତାଧିକାରୀ ପ୍ରଥମ ଥର ପାଇଁ ସୁଭଦ୍ରା ଟଙ୍କା ପାଇଛନ୍ତି। ୫ ଟି କିସ୍ତିରେ ସରକାର ମୋଟ ୨୫ ହଜାର ୮୦୮ କୋଟି ଟଙ୍କା ବ୍ୟୟ କରିଛନ୍ତି।
ନୟାଗଡ଼ରେ ସୁଭ୍ରଦା ଟଙ୍କା ପଠାଇବା ଅବସରରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଖୁବଶୀଘ୍ର ନୟାଗଡ଼ ଚିନିକଳ ପୁନଃକାର୍ୟ୍ୟକ୍ଷମ ହେବ ବୋଲି କହିଛନ୍ତି ମୋହନ ମାଝି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଚିନିକଳ ସ୍ଥାପନ ନେଇ ଆବଶ୍ୟକ ପଦକ୍ଷେପ ନିଆଯାଉଛି। କେନ୍ଦ୍ର ସରକାରଙ୍କ ସହଯୋଗରେ ଚିନିକଳର ପୁନଃସ୍ଥାପନ କରାଯିବ । ଏଥିସହ ନୟାଗଡ଼କୁ ଅବହେଳା କରାଯାଇଥିବା କହି ପୂର୍ବ ସରକାର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ।
ସୁଭଦ୍ରା ଯୋଜନାରେ ମିଳୁଥିବା ଟଙ୍କା ମହିଳାଙ୍କୁ ଆତ୍ମବିଶ୍ୱାସ ଓ ସ୍ୱାବଲମ୍ବୀ କରୁଛି। ସରକାରୀ ସର୍ଭେ ଅନୁଯାୟୀ ଦ୍ୱିତୀୟ କିସ୍ତି ପରେ ମାତ୍ର ୨୫% ମହିଳା ବ୍ୟବସାୟ ପାଇଁ ଟଙ୍କା ସଞ୍ଚୟ କରୁଥିଲେ। ଚତୁର୍ଥ କିସ୍ତି ପରେ ଏହି ସଞ୍ଚୟ ହାର ୫୩% ବଢ଼ିଛି। ଆର୍ଥିକ ସ୍ୱାଧୀନତା ମଧ୍ୟ ୬୩%ରୁ ୭୮% ବଢ଼ିଛି। ଏହା ଓଡ଼ିଶାକୁ ୨୦୩୬ ସୁଦ୍ଧା ବିକଶିତ ରାଜ୍ୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି କୁହାଯାଉଛି।














