ସାରସକଣା: କିଏ ଆଦିବାସୀଙ୍କ ପାଇଁ କାମ କରୁଛନ୍ତି, କିଏ ଆପଣଙ୍କ ସମାଜର ବିକାଶ ପାଇଁ କାମ କରିବେ, ଆଉ କିଏ ଆପଣଙ୍କୁ ଭୋଟ ବ୍ୟାଙ୍କ ବୋଲି ଭାବୁଛନ୍ତି ସେମାନଙ୍କୁ ଚିହ୍ନନ୍ତୁ । ବିରୋଧୀ ନିର୍ବାଚନ ଆସିଲେ ମିଛ କଥା କହି ଭୋଟ ମାଗିବେ। ନିର୍ବାଚନ ସରିଲେ ଖୋଜିଲେ ବି ମିଳିବେନି। ସେମାନଙ୍କୁ ଭୋଟରେ ଜବାବ ଦେବାକୁ ସାରସକଣାରେ ଅପିଲ କରିଛନ୍ତି 5T ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ।
ବିରୋଧୀ ଦଳ ଜାତୀୟ ରାଜପଥର ବିକାଶ କରୁନାହାନ୍ତି କି ଆଦିବାସୀଙ୍କ ପିଲା ଛୁଆଙ୍କ ଉନ୍ନତି ପାଇଁ କାମ କରୁନାହାଁନ୍ତି। କେବଳ ମିଛ କହି ଭୋଟ ହାତେଇବାକୁ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଆଦିବାସୀଙ୍କ ବିକାଶ ପାଇଁ କାମ କରୁଛନ୍ତି । ଆଦିବାସୀଙ୍କ କଳା, ସଂସ୍କୃତି ଓ ଭାଷା ଯାହା ସେମାନଙ୍କ ପରିଚୟ ତାର ସୁରକ୍ଷା ସହ ସେମାନଙ୍କ ଆର୍ଥିକ ଓ ସାମାଜିକ ବିକାଶକୁ ମଧ୍ୟ ସମାନ ଗୁରୁତ୍ବ ଦିଅନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ସେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ଆଦିବାସୀଙ୍କ ବିରୋଧରେ ଥିବା ୫୦ ହଜାର ପୋଲିସ କେସ୍, ଜଙ୍ଗଲ ଓ ଅବକାରୀ ସମ୍ପର୍କିତ ମାମଲାକୁ ରଦ୍ଦ କରିଛନ୍ତି ମୁଖ୍ୟମନ୍ତ୍ରୀ।
ଆଦିବାସୀ ହଷ୍ଟେଲ ଜରିଆରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ମାଗଣା ପାଠ ପଢୁଛନ୍ତି । ଅନ୍ବେଶା, ଆକାଂକ୍ଷା ଓ ଆଦର୍ଶ ବିଦ୍ୟାଳୟ ଜରିଆରେ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଇଂରାଜୀ ମିଡିୟମରେ ପଢିବାର ସୁଯୋଗ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସାରସକଣାବାସୀଙ୍କ ଅନୁରୋଧରେ ମୁଖ୍ୟମନ୍ତ୍ରୀ ନେଇଥିବା ପଦକ୍ଷେପର ହିସାବ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ। ଚନ୍ଦନପୁର ଘାଟି ରାସ୍ତା ସହ ପିଇବା ପାଣି ସମସ୍ୟାର ସମାଧାନ ହୋଇଛି। ନୂଆ-ଓ ସ୍କଲାରସିପ ସହ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମିଳିଛି ସ୍ବତନ୍ତ୍ର ଛାତ୍ରବୃତ୍ତି। ଅନ୍ୟ କୌଣସି ରାଜ୍ୟ ଓ ଦଳ ଏଭଳି ଯୋଜନା କରିନାହାଁନ୍ତି ବୋଲି ସେ କହିଛନ୍ତି ।
ସେହିପରି ଯଶୀପୁରରେ ପାଣ୍ଡିଆନ୍ ପ୍ରଚାର କରି କହିଛନ୍ତି, ନିର୍ବାଚନ ଆସିଲେ ବିରୋଧୀଙ୍କୁ ଲୋକଙ୍କ କଷ୍ଟ କଥା ମନେପଡେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ସବୁବେଳେ ଆଦିବାସୀଙ୍କ ସାମାଜିକ ଓ ଆର୍ଥିକ ଉନ୍ନତି ପାଇଁ ଚେଷ୍ଟା କରନ୍ତି। ଆଉ ଲୋକଙ୍କ ଆବେଦନ ଆଧାରରେ ନିଆଯାଇଥିବା ପଦକ୍ଷେପର ହିସାବ ସମ୍ମାନର ସହ ଦିଅନ୍ତି। ଆଦିବାସୀଙ୍କୁ ମୁଖ୍ୟମନ୍ତ୍ରୀ ତାଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଦେଇଛନ୍ତି । ତେଣୁ ୫ବର୍ଷରେ ଥରେ ସୁଯୋଗ ମିଳିଛି ତାଙ୍କୁ ଆଶୀର୍ବାଦ କରିବାକୁ। ଯଶୀପୁରରେ ପ୍ରଚାର କରି ଜନତାଙ୍କୁ ଏହି ଆହ୍ବାନ ଦେଇଛନ୍ତି 5T ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଯଶୀପୁରର ଜଳସେଚନ ସମସ୍ୟାର ସମାଧାନ ପାଇଁ ୩୩୫ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ମୁଖ୍ୟମନ୍ତ୍ରୀ। ମା କୀଚକେଶ୍ବରୀ ମନ୍ଦିରର ରୂପାନ୍ତରଣ ପାଇଁ ୮ କୋଟି ୪୦ ଲକ୍ଷ ଦିଆଯାଇଛି।
ସେହିଭଳି କୁଡୁକି ଓ ହୋ ସମ୍ପ୍ରଦାୟ ଲାଗି ବିଭିନ୍ନ ସ୍ଥାନରେ ଭବନ ନିର୍ମାଣ ପାଇଁ ମଧ୍ୟ ଆର୍ଥିକ ସହାୟତା ଦେଇଛନ୍ତି। ପିଇବା ପାଣି ପାଇଁ ୬୫୦କୋଟି ଟଙ୍କାର ପ୍ରକଳ୍ପ କାମ ଚାଲିଛି। ଆଦିବାସୀଙ୍କ କଳା ସଂସ୍କୃତି ଓ ପୂଜାସ୍ଥଳୀର ସୁରକ୍ଷା ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଜରିଆରେ କୋଟି କୋଟି ଟଙ୍କା ପ୍ରଦାନ କରୁଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟ କୌଣସି ଦଳ କିମ୍ବା ସରକାର ଆଦିବାସୀଙ୍କ ପାଇଁ ଏସଡିସି ଗଠନ କରିନାହାଁନ୍ତି। ଲଘୁ ବନଜାତ ଦ୍ରବ୍ୟ ଉପରେ ଆଦିବାସୀ ମହିଳାଙ୍କୁ ଉପଯୁକ୍ତ ମୂଲ୍ୟ ଦେବାକୁ ମୁଖ୍ୟମନ୍ତ୍ରୀ ଲାଭ ଯୋଜନା ଆରମ୍ଭ କରିଛନ୍ତି ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।














