ଭୁବନେଶ୍ବର: ବରିଷ୍ଠ ଆଇଏଏସ୍ ମନୋଜ ଆହୁଜା ଓଡ଼ିଶା ସରକାରଙ୍କ ନୂଆ ମୁଖ୍ୟ ଶାସନ ସଚିବ ହୋଇଛନ୍ତି। ମନୋଜ ଆହୁଜାଙ୍କ ନିଯୁକ୍ତି ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୯୦ ବ୍ୟାଚ୍ର ବରିଷ୍ଠ ଆଇଏଏସ୍ ମନୋଜ ଆହୁଜା ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ।
କେନ୍ଦ୍ରୀୟ ଡେପୁଟେସନ୍ରେ ଥିବା ୧୯୯୦ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ମନୋଜ ଆହୁଜା ଓଡ଼ିଶା ଫେରିବା ପୂର୍ବରୁ କେନ୍ଦ୍ର କୃଷି ମନ୍ତ୍ରଣାଳୟ ସଚିବ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର କରିଥିବା ଅନୁରୋଧକୁ କେନ୍ଦ୍ର ସରକାର ଗ୍ରହଣ କରିଥିଲେ। ଗତ ୨୫ ତାରିଖରେ କ୍ୟାବିନେଟ୍ର ନିଯୁକ୍ତି ସଂକ୍ରାନ୍ତୀୟ କମିଟି ତାଙ୍କୁ ଓଡ଼ିଶା ଫେରିବା ପାଇଁ ଅନୁମତି ଦେଇଥିଲା। ଏଥିସହିତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମନୋଜ ଆହୁଜା ଆସନ୍ତା ଡିସେମ୍ବର ମାସରେ ଅବସର ନେବେ। ଶ୍ରୀ ଆହୁଜାଙ୍କ ପତ୍ନୀ ୧୯୯୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଆରତୀ ଆହୁଜା କେନ୍ଦ୍ରୀୟ ଡେପୁଟେସନ୍ରେ ଥିଲା ବେଳେ ଗତ ଫେବ୍ରୁଆରି ମାସରେ ଅବସର ନେଇସାରିଛନ୍ତି।
୧୯୯୦ ବ୍ୟାଚ ବରିଷ୍ଠ ଆଇଏଏସ ଅଫିସର ହେଉଛନ୍ତି ମନୋଜ ଆହୁଜା । ନିକଟରେ କେନ୍ଦ୍ର ଡେପୁଟେସନରୁ ଫେରିଛନ୍ତି । କେନ୍ଦ୍ର କୃଷି ସଚିବ ଦାୟିତ୍ଵରେ ଥିଲେ ମନୋଜ ଆହୁଜା । ଫେବୃଆରୀ ୨୦୨୨ରେ କୃଷି ସଚିବ ଦାୟିତ୍ଵ ନେଇଥିଲେ । ୨୦୧୭ରେ କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ଲାଲ ବାହାଦୂର ଶାସ୍ତ୍ରୀ ଏକାଡେମୀର ସ୍ଵତନ୍ତ୍ର ନିର୍ଦ୍ଦେଶକ ଭାବେ କାମ କରିଥିଲେ । ୨୦୨୦ରେ କେନ୍ଦ୍ର ଶିକ୍ଷାମନ୍ତ୍ରାଳୟରେ ସେ ସିବିଏସଇ ଅଧ୍ୟକ୍ଷ ଭାବେ ଦାୟିତ୍ଵରେ ରହିଥଲେ । ଖୋର୍ଦ୍ଧା ଜିଲ୍ଲାପାଳ ଭାବେ କ୍ଯାରିୟର ଆରମ୍ଭ କରିଥିଲେ ମନୋଜ । ଏହା ପରେ ୨୦୦୯ରେ ଖାଦ୍ୟ ଯୋଗାଣ ସଚିବ, ୨୦୧୦ରେ ଖଣି ଇସ୍ପାତ ବିଭାଗ ସଚିବ ହୋଇଥିଲେ । ୨୦୧୨ରେ କ୍ରୀଡ଼ା ଯୁବ ବ୍ଯାପାର ଓ ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ ବାଣିଜ୍ୟ କର କମିଶନର ଥିଲେ । ୨୦୧୫ରେ ସମବାୟ ବିଭାଗର ସଚିବ ଦାୟିତ୍ଵ ଗ୍ରହଣ କରିଥିଲେ ।
ଆସନ୍ତା ଜୁନ ୩୦ରୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଦାୟିତ୍ଵ ଗ୍ରହଣ କରିବେ ମନୋଜ ଆହୁଜା । ବର୍ତ୍ତମାନ ଥିବା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ଆସନ୍ତା ଜୁନ ୩୦ରେ ଶେଷ ହେଉଛି । ସେହିଦିନ ପ୍ରଦୀପଙ୍କ ଠାରୁ ଦାୟିତ୍ଵ ସମ୍ଭାଳିବେ ମନୋଜ ଆହୁଜା ।