ଭୁବନେଶ୍ୱର: ବିଜେଡି ସରକାର ବନ୍ଦ କରି ଦେଇଥିବା ସ୍କୁଲ ଗୁଡିକ ଖୋଲିବାକୁ ବିଜେପି ସରକାରର ଯୋଜନା । ଯେଉଁଠି ପିଲାମାନଙ୍କୁ ଦୂର ସ୍ଥାନକୁ ଯିବାକୁ ପଡୁଛି, ଯେଉଁ ସ୍ଥାନରେ ଭୁଲ ରିପୋର୍ଟ ଜରିଆରେ ସ୍କୁଲ ବନ୍ଦ କରି ଦିଆଯାଇଛି, ସ୍ଥାନୀୟ ଲୋକଙ୍କ ଦାବି ଅଣଦେଖା କରାଯାଇଛି, ସେହି ସବୁ ସ୍କୁଲଗୁଡିକୁ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଜେପି ସରକାର ପୁଣି ଥରେ ଖୋଲିବାକୁ ଯୋଜନା କରୁଛନ୍ତି । ଗଣଶିକ୍ଷା ବିଭାଗ ପକ୍ଷରୁ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି ରିପୋର୍ଟ ପ୍ରସ୍ତୁତ କରନ୍ତୁ ଲୋକଙ୍କ ଦାବି ଅନୁଯାୟୀ କେଉଁଠି ବନ୍ଦ ହୋଇଥିବା ସ୍କୁଲର ଖୋଲିବା ଆବଶ୍ୟକତା ଅଛି । ସଚିବ ବିସ୍ତୃତ ରିପୋର୍ଟ ଦେବା ପରେ ସେହି ରିପୋର୍ଟ ଆଧାରରେ ବିଜେଡି ସରକାରରେ ବନ୍ଦ କରି ଦିଆଯାଇଥିବା ସ୍କୁଲ ଗୁଡିକୁ ଆମେ ଖୋଲିବୁ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି |
ଏନେଇ ବିଜେଡିର ପୂର୍ବତନ ବିଧାୟକ ଆମର ପ୍ରସାଦ ଶତପଥୀ କହିଛନ୍ତି ଯେ ଆବଶ୍ୟକତାକୁ ଦୃଷ୍ଟିରେ ରଖି କିଛି ସ୍କୁଲକୁ ବନ୍ଦ ନ କରିବା ପାଇଁ ପୂର୍ବରୁ ବିଧାନସଭାର ଆଲୋଚନା ହୋଇଥିଲା । ମୋ ସମେତ ଅନେକ ବିଜେଡି ସଦସ୍ୟମାନେ ଗୃହରେ କହିଥିଲୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି କିଛି ସ୍କୁଲ ବନ୍ଦ ନ କରାଯାଉ । ବର୍ତ୍ତମାନ ତ ତାହା କୋର୍ଟରେ ବିଚାରାଧୀନ ରହିଛି । ସରକାର ଶିକ୍ଷାକୁ ଅଗ୍ରାଧିକାର ଦେଇ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗମନାଗମନର ଅସୁବିଧା ଥିବା ସ୍ଥାନରେ ସଂଖ୍ୟାକୁ ଆଧାର ନ କରି ସ୍କୁଲ ଗୁଡିକ ଖୋଲିବା ଉଚିତ ।














