ପୁରୀ: ଆସନ୍ତାକାଲି ସୁନାବେଶ। ରଥ ଉପରେ ମହଣ ମହଣ ସୁନାରେ ସଜେଇ ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ। ଆସନ୍ତାକାଲି ହରିଶୟନ ଏକାଦଶୀ ତିଥି ଥିବାରୁ ରଥ ଉପରେ ମହାପ୍ରଭୁ ଶ୍ରୀ ବଳଭଦ୍ର, ଶ୍ରୀ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କୁ ସୁନାବେଶ କରାଯିବ। ହୀରାନୀଳା ଖଚିତ ବିଭିନ୍ନ ସୁବର୍ଣ୍ଣ ଅଳଙ୍କାରରେ ଆଭୂଷିତ ହେବେ ମହାପ୍ରଭୁ।
ସୁନାବେଶ ପାଇଁ ହେଲା ନୀତି ନିର୍ଘଣ୍ଟ । ସକାଳ ୬ଟାରୁ ଆରମ୍ଭ ହେବ ମଙ୍ଗଳ ଆଳତୀ ନୀତି । ଦିନ ୧୦ଟା ୩୦ ସୁଦ୍ଧା ଗୋପାଳ ବଲ୍ଲଭ ଭୋଗ ନୀତି । ସେହିପରି ଦିନ ୨ଟାରୁ ୩ଟା ମଧ୍ୟରେ ମଧ୍ୟାହ୍ନ ଧୂପ ନୀତି । ଆଉ ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ହେବ ସୁନାବେଶ । ରାତି ୧୦ଟା କିମ୍ବା ୧୧ଟା ଯାଏଁ ଦୁର୍ଲଭ ବେଶ ଦର୍ଶନ । ତେବେ ରଥରେ ଚତୁର୍ଦ୍ଧା ବିଗ୍ରହଙ୍କ ସୁନ୍ଦର ସୁନାବେଶ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ହେବ । ଭିଡ଼ ନିୟନ୍ତ୍ରଣ ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଛି। ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି ।
ପୂର୍ବଭଳି ମେଡିକାଲ ଛକରୁ ଚାଲି ଚାଲି ଯିବେ ଭକ୍ତ । ଏଥିପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ମେଡିକାଲ ଛକରୁ ଶ୍ରୀମନ୍ଦିର ମଧ୍ୟରେ ବଡଦାଣ୍ଡକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ କରାଯାଇଛି । ଆବଶ୍ୟକ ପଡିଲେ ଶ୍ରୀମାର୍ଗକୁ ବ୍ୟବହାର କରାଯିବ । ଅଧିକ ଭିଡ଼ ହେଲେ ଲୋକଙ୍କୁ ବାହାର କରିବା ପାଇଁ ସିଲ ହୋଇଥିବା ରାସ୍ତାକୁ ମଧ୍ୟ ବ୍ୟବହାର କରାଯିବ ବୋଲି କହିଛନ୍ତି ପୁରୀ ଏସପି ପିନାକ ମିଶ୍ର ।