ବିଧାନସଭାରେ ବିଜେଡି ସକରାତ୍ମକ ପ୍ରସଙ୍ଗ ଉଠାଇବ
ଭୁବନେଶ୍ୱର : ବିଧାନସଭାରେ ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ଲଢ଼େଇ କରିବ ବିଜେଡି। ଓଡ଼ିଶାବାସୀ ବିରୋଧୀ ଦଳ ଭାବେ ବିଜେଡିକୁ ଯେଉଁ ଦାୟିତ୍ବ ଦେଇଛନ୍ତି ତାହାକୁ ସୁଚାରୁରୂପେ ପାଳନ କରିବ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ସୋମବାରଠୁ ଆରମ୍ଭ ହେଉଥିବା ବିଧାନସଭାର ଅଧିବେଶନରେ ଦଳର ଆଭିମୁଖ୍ୟ ନେଇ ୫୧ ବିଧାୟକଙ୍କ ସହ ନବୀନ ଆଲୋଚନା କରିଛନ୍ତି ।ଶଙ୍ଖ ଭବନଠାରେ ଆଜି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ଆଗାମୀ ବିଧାନସଭା ଅଧିବେଶନ ପାଇଁ ଦଳର ରଣନୀତି ପ୍ରସ୍ତୁତ କରାଯାଇଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ।
ଶ୍ରୀ ଦେବ ଆହୁରି କହିଛନ୍ତି ଯେ, ଦିବଙ୍ଗତ ପଦ୍ମଶୀ କମଳା ପୂଜାରୀଙ୍କ ପାଇଁ ଶୋକ ବାର୍ତ୍ତା ଦେଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ସମସ୍ତ ବିଧାୟକ ଉପସ୍ଥିତ ଥିଲେ। ଆଗକୁ ହେବାକୁ ଥିବା ବିଧାନସଭା ପାଇଁ ବିଜୁ ଜନତା ଦଳର ରଣନୀତି ନେଇ ଆଲୋଚନା ହୋଇଥିଲା। ଦଳ ସଭାପତି ନବୀନ ପଟ୍ଟନାୟକ ବିଧାୟକଙ୍କୁ ଯେଉଁ ବିଭିନ୍ନ ବିଭାଗର ଦାୟିତ୍ୱ ଦେଇଛନ୍ତି। ସେଥିପାଇଁ ପ୍ରସ୍ତୁତ ହେବୁ। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟକୁ ତଦାରଖ କରିବା ପାଇଁ ଆଲୋଚନା ହୋଇଥିଲା। ରାଜ୍ୟର ସାଧାରଣ ଜନତାଙ୍କ ହିତ ପାଇଁ ବିରୋଧୀ ଦଳ ହିସାବରେ ଆଗାମୀ ବିଧାନସଭାରେ ରଣନୀତିକୁ ଶାଣିତ କରିବୁ। ସରକାର କିଭଳି ଲକ୍ଷ୍ୟ ବିଚ୍ୟୁତ ନହେବେ ତାହାକୁ ଆମେ ଅନୁଧ୍ୟାନ କରିବୁ। ସକରାତ୍ମକ ଭାବେ ବିଧାନସଭାରେ ବିଭିନ୍ନ ପ୍ରସଙ୍ଗ ଉଠାଇବୁ।
ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ଯେଉଁ କଥା କହି ବିଜେପି ଦଳ ସରକାରକୁ ଆସିଛି, ପ୍ରଥମେ ସେହି ପ୍ରସଙ୍ଗ ଉଠିବ। ଧାନ, ବିଦ୍ୟୁତ ଓ ଭତ୍ତା ଆଦି ପ୍ରତିଶ୍ରୁତି ପୂରଣ କରୁଛନ୍ତି କି ନାହିଁ, ତାହା ଉପରେ ଆମେ ତୀକ୍ଷ୍ଣ ନଜର ରଖିବା ସହ ବିଧାନସଭାରେ ଉପସ୍ଥାପନ କରିବୁ।














