୧୬ ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ପରିବହନ ବନ୍ଦ ପାଇଁ ଆହ୍ବାନ
ପାରାଦୀପ : କିଛିଦିନର ନୀରବତା ପରେ ପାରାଦୀପର ଜେସିସି (ଜଏଣ୍ଟ କୋ-ଅର୍ଡିନେସନ କମିଟି)ବଡ ଧରଣର ଆନ୍ଦୋଳନ ପାଇଁ ଶନିବାର ଡାକରା ଦେଇଛି।ଏ ନେଇ ସନ୍ଧ୍ୟାରେ ପାରାଦୀପ ଟ୍ରକ ମାଲିକସଂଘ କାର୍ଯ୍ୟାଳୟ ପରିସରରେ ଖବରଦାତା ସମ୍ମିଳନୀ କରାଯାଇଥିଲା।ସେଥିରେ ୩ ଟି ବୃହତ ଟ୍ରକ ମାଲିକସଂଘକୁ ନେଇ ଗଠିତ ଜେସିସି ଅଧ୍ୟକ୍ଷ ସୁମନ୍ତ କୁମାର ବିଶ୍ବାଳ, ସଂଯୋଜକ ରାକେଶ କୁମାର ଜେନା ସବିଶେଷ ବିବରଣୀ ଦେଇଥିଲେ।ଯଥା ପାରାଦୀପ ବନ୍ଦରକୁ ପରିବହନ କରୁଥିବା ଟ୍ରକ ଓ ଅନ୍ୟ ଭାରୀଯାନ ଚଳାଚଳ ଶୃଙ୍ଖଳିତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ।ପ୍ରତ୍ୟେକ ଗାଡ଼ି ଚଣ୍ଡିଖୋଲ ଠାରୁ ପାରାଦୀପ ପର୍ଯ୍ୟନ୍ତ ଧାଡିରେ ଆସୁଥିଲେ।ସେମାନଙ୍କ ମଧ୍ୟରେ ଯଦି କେହି ଧାଡ଼ି ଭାଙ୍ଗୁଥିଲା ସେତେବେଳେ ସଂପୃକ୍ତ ଗାଡିକୁ କଳା ତାଲିକାଭୁକ୍ତ କରାଯାଉଥିଲା।ଏହାଦ୍ବାରା ସବୁ ଗାଡ଼ି ସମୟାନୁସାରେ ବନ୍ଦର ମଧ୍ୟରେ ପ୍ରବେଶ କରୁଥିଲେ।୨୦୨୩ମାର୍ଚ୍ଚ ମାସରେ ପ୍ରଶାସନ ଏକ ନିର୍ଦ୍ଦିଷ୍ଟ କମ୍ପାନୀର ଗାଡିକୁ ଧାଡ଼ି ଭାଙ୍ଗି ଡାହାଣ ପଟେ ପ୍ରବେଶ ପାଇଁ ଅନୁମତି ଦେଇଥିଲେ।ତାହା ରାତି ୧୨ ଟାରୁ ଭୋର ୪ ଟା ମଧ୍ୟରେ ରହୁଥିଲା।ଏହା ମଧ୍ୟରେ ରାଜନୈତିକ ଓ ପ୍ରଶାସନିକ ପରିବର୍ତ୍ତନ ଘଟିଛି।ଜେସିସି ଯେଉଁ ଭଳି ପାଟ୍ରୋଲିଂ କରୁଥିଲା ତାକୁ ବାଧ୍ୟତାମୂଳକ ଭାବେ ପ୍ରଶାସନ ବନ୍ଦ କରିଛନ୍ତି।ଏବେ ଯେକୌଣସି ଲୋକ ଦଲାଲ ଓ ପୋଲିସ ମାଧ୍ୟମରେ ଧାଡ଼ି ଭାଙ୍ଗି ଟ୍ରକ ଡାହାଣ ପଟେ ବନ୍ଦର ଭିତରକୁ ଯାଉଛନ୍ତି।ଫଳରେ ରାଜପଥ ଜାମ୍ ରହୁଛି ଏବଂ ପ୍ରତିଦିନ ଦୁର୍ଘଟଣା ଘଟୁଛି।ଧାଡିରେ ଥିବା ଟ୍ରକ ଚଣ୍ଡିଖୋଲରୁ ପାରାଦୀପ ପର୍ଯ୍ୟନ୍ତ ଯିବା ଲାଗି ୨୫ ଦିନରୁ ଅଧିକ ସମୟ ଲାଗୁଛି।କିନ୍ତୁ ଧାଡ଼ି ଭଙ୍ଗା ଟ୍ରକ ସପ୍ତାହ ମଧ୍ୟରେ ଦୁଇ ଥର ପଣ୍ୟ ନେଇ ଯାଇ ପାରୁଛି।ଏପରି ବିଶୃଙ୍ଖଳା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପାଖରେ ଆମେ ଏକାଧିକ ଥର ପ୍ରତିବାଦ କରିଛୁ।ଚିଠି ଦେଇଛୁ।ଗତ ଜୁନ ୨୫ ରେ ଆୟୋଜିତ ରୋଡ ସେଫ୍ଟି ବୈଠକରେ ଆଲୋଚନା ହୋଇଛି।ଏହାକୁ ସମାଧାନ କରିବା ପାଇଁ ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କୁ ତତ୍କାଳୀନ ଜିଲ୍ଲାପାଳ ଚିଠି ଲେଖିଥିଲେ।ଏହାସତ୍ତ୍ୱେ ଏହା ଉପରେ କୌଣସି ଆଲୋଚନା ହେଉନାହିଁ।ଗତ ୧୫ ଦିନ ମଧ୍ୟରେ ଏକାଧିକ ଦୁର୍ଘଟଣା ହୋଇଛି।ଏପରିକି ଜଣେ ପୋଲିସ କର୍ମଚାରୀ ଏଭଳି ଦୁର୍ଘଟଣା ଯୋଗୁଁ ଜୀବନ ହାରିଛନ୍ତି।ସେତେବେଳେ ବିଧାୟକ ତଥା ମନ୍ତ୍ରୀ ସମ୍ପଦ ସ୍ବାଇଁ ଏହାକୁ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।ସବୁଆଡୁ ନିରାଶ ହେବାପରେ ଏବେ ଆମେ ପରିବହନ ବ୍ୟବସ୍ଥା ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛୁ।ଆନ୍ଦୋଳନ ବେଳେ ଯଦି କିଛି ଆଇନଶୃଙ୍ଖଳା ପରିସ୍ଥିତି ଉପୁଜେ ସେଥିପାଇଁ ପ୍ରଶାସନ ଦାୟୀ ରହିବେ ବୋଲି ସୁମନ୍ତ କହିଥିଲେ।ଘଟଣା ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ଲଳିତ ମୋହନ ବେହେରାଙ୍କୁ ପଚାରିଲେ କୁହନ୍ତି ଆମେ ଭୀଡ ନିୟନ୍ତ୍ରଣ ପାଇଁ ପୋଲିସକୁ କହିଛୁ।ତାଙ୍କର ଯେଉଁ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି ତାକୁ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଚେଷ୍ଟା କରିବୁ।
ଉକ୍ତ ବୈଠକରେ ୩ ସଂଘର ଅନ୍ୟ କର୍ମକର୍ତ୍ତାଙ୍କ ମଧ୍ୟରେ ମାନସ ପାତ୍ର, ସରୋଜ ମହାପାତ୍ର, ରମାକାନ୍ତ ପରିଜା, ସୂର୍ଯ୍ୟକାନ୍ତ ପରିଜା, ସମ୍ବିତ ତ୍ରିପାଠୀ, ସଞ୍ଜୟ କୁମାର ରାଉତ, ରାଜେଶ ମହାନ୍ତି, ବିଶ୍ବରଞ୍ଜନ ପଲାଇ, ସୁଧୀର କୁମାର ଜେନା ଉପସ୍ଥିତ ଥିଲେ।