ଓଡ଼ିଶାର ଗରିମା ରକ୍ଷା କରିବା ପାଇଁ ସବୁ ସମ୍ପ୍ରଦାୟକୁ କଲେ ନିବେଦନ
ଭୁବନେଶ୍ୱର : ଗତ କିଛିଦିନ ହେବ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ସାମାଜିକ ବିଶୃଙ୍ଖଳା ଘଟୁଥିବା ଖବର ଆସୁଛି। ବିଶେଷ କରି ସମ୍ପ୍ରଦାୟ ସମ୍ପ୍ରଦାୟ ମଧ୍ୟରେ ବିଶୃଙ୍ଖଳା ବଢିବାରେ ଲାଗିଛି। ଯାହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏନେଇ ମଙ୍ଗଳବାର ନବୀନ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ରାଜ୍ୟରେ ସାମାଜିକ ବିଶୃଙ୍ଖଳା ପ୍ରସଙ୍ଗ ଉତ୍ଥାପନ କରି ଓଡ଼ିଶାର ଗରିମା ରକ୍ଷା କରିବା ପାଇଁ ସବୁ ସମ୍ପ୍ରଦାୟକୁ କଲେ ନିବେଦନ କରିବା ସହ ରାଜ୍ୟ ସରକାର ଏବଂ ସମସ୍ତ ସରକାରୀ ଅଧିକାରୀଙ୍କୁ ସବୁ ବର୍ଗର ଲୋକଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।
ନବୀନ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ ଏକ ଶାନ୍ତିପ୍ରିୟ ରାଜ୍ୟ ଭାବେ ଓଡ଼ିଶାର ଖ୍ୟାତି ରହିଛି। ଏହା ଏପରି ଏକ ରାଜ୍ୟ ଯେଉଁଠି ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ, ଶାନ୍ତି ଓ ସହଭାଗିତା ଯୁଗ ଯୁଗ ଧରି ରହି ଆସିଛି। କିନ୍ତୁ ଚିନ୍ତାର ବିଷୟ ଯେ ଏବେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ସାମାଜିକ ବିଶୃଙ୍ଖଳା ଘଟୁଥିବାର ଖବର ଆସୁଛି। ଅନେକ ଗୋଷ୍ଠୀ ଓ ପୀଡ଼ିତ ନାଗରିକ ତାଙ୍କୁ ଭେଟି ସେମାନଙ୍କ ଦୁଃଖ ଜଣାଉଛନ୍ତି। ସେମାନେ ଆକ୍ରମଣ ଓ ବିଦ୍ୱେଷର ଶିକାର ହେଉଥିବା ଦୁଃଖର କଥା ବୋଲି ନବୀନ ଉଲ୍ଲେଖ କରିଛନ୍ତି। ଏଥିପାଇଁ ନବୀନ ସମସ୍ତ ସମ୍ପ୍ରଦାୟକୁ ଓଡ଼ିଶାର ଭାବମୂର୍ତ୍ତି ତଥା ଗରିମା ରକ୍ଷା କରିବା ପାଇଁ ନିବେଦନ କରିଛନ୍ତି।
ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ ଭାବେ ଲୋକଙ୍କ ଧନ, ଜୀବନର ସୁରକ୍ଷା ସହ ଆଇନଶୃଙ୍ଖଳା ବଜାୟ ରଖିବା ଦିଗରେ କାମ କରିବାକୁ ନବୀନ ଅପିଲ୍ କହିଛନ୍ତି। ଏକ ସଦଭାବନାପୂର୍ଣ୍ଣ ରାଜ୍ୟ ଭାବରେ ଓଡ଼ିଶାର ପ୍ରତିଛବି ହିଁ ଆମ ରାଜ୍ୟକୁ ନିବେଶକଙ୍କୁ ଆକୃଷ୍ଟ କରିଆସିଛି ଓ ଓଡ଼ିଶାର ଆର୍ଥିକ ଭିତ୍ତିଭୂମି ସୁଦୃଢ଼ ହୋଇପାରିଛି। ଏଭଳି ଆଚରଣ ପାଇଁ ବିଗତ ଦିନରେ ତାଙ୍କ ସରକାର ୬୦ ପ୍ରତିଶତରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିପାରିଛି। ତେଣୁ ରାଜ୍ୟର ସବୁ ବର୍ଗର ଲୋକଙ୍କ ସୁରକ୍ଷା ପାଇଁ ଯଥା ସମ୍ଭବ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ନବୀନ ରାଜ୍ୟ ସରକାର ଏବଂ ସମସ୍ତ ସରକାରୀ ଅଧିକାରୀଙ୍କୁ ଅନୁରୋଧ କରୁଛନ୍ତି।