ଭୁବନେଶ୍ବର : ବିଧାନସଭାରେ ଦିଗ୍ଦର୍ଶନ ନାଁରେ ଦଳୀୟ କାର୍ଯ୍ୟକ୍ରମ କରୁଛି ବିଜେପି। ଯାହାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛି ବିଜେଡି। ଶଙ୍ଖଭବନରେ ସାମ୍ବାଦିକ ସମ୍ମିଳନୀ କରି ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ ଓ ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି, ଓଡ଼ିଶା ବିଧାନସଭା ସଚିବାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଇଁ ସଚିବ ଏକ ପତ୍ର ଦେଇଛନ୍ତି। ନିବ ନିର୍ବାଚିତ ବିଧାୟକଙ୍କ ନିମନ୍ତେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ ବୋଲି ଦର୍ଶାଯାଇଛି। ତେବେ ଏହି କାର୍ଯ୍ୟକ୍ରମରେ ଯାହା ପରମ୍ପରା ରହିଛି ତାହାର ବ୍ୟତିକ୍ରମ ଦେଖାଯାଉଛି । ଗୃହର ସଦସ୍ୟ ନଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜେ.ପି ନଡ୍ଡାଙ୍କ ଭଳି ବ୍ୟକ୍ତି ବିଶେଷଙ୍କ ଦ୍ଵାରା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘାଟନ ଓ ଉଦଯାପନ ପରମ୍ପରାର ଭଙ୍ଗ ବୋଲି ଅଭିଯୋଗ କରିଛି ଦଳ । ଏହି କାର୍ଯ୍ୟକ୍ରମର ଉଦଘାଟନ ମୁଖ୍ୟମନ୍ତ୍ରୀ କି ଗୃହର ବାଚସ୍ପତିଙ୍କ ଦ୍ୱାରା କରାଯିବା ଉଚିତ୍ ବୋଲି ଦଳ ପକ୍ଷରୁ କୁହାଯାଇଛି ।
ବିଜେଡି ବରିଷ୍ଠ ନେତା ପ୍ରତାପ ଦେବ କହିଛନ୍ତି ଯେ, ପରମ୍ପରା ଅନୁସାରେ ମୁଖ୍ୟମନ୍ତ୍ରୀ କିମ୍ବା ବାଚସ୍ପତି ଏହି କାର୍ଯ୍ୟକ୍ରମର ଉଦଘାଟନ ଓ ଉଦଯାପନୀ ଅତିଥି ହେବା କଥା। କିନ୍ତୁ ପତ୍ର ଅନୁସାରେ ଗୃହର ସଦସ୍ୟ ନଥିଲେ ଵି ଧର୍ମେନ୍ଦ୍ର ପ୍ରଧାନ କିପରି ଉଦଘାଟନ କରିବେ ତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି। ସେହିପରି ଗୃହର ସଦସ୍ୟ ନଥିବା ସତ୍ତ୍ବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ତାକୁ ନେଇ ଉଠିଛି ପ୍ରଶ୍ନ। ଏହା ବାଚସ୍ପତିଙ୍କ ପଦ ମର୍ଯ୍ୟାଦାକୁ କ୍ଷୁଣ୍ଣ କରୁଛି ବୋଲି ବିଜେଡି କହିଛି। ପରମ୍ପରା ଭଙ୍ଗ ହେଲେ ବିଜେଡି ବିଧାୟକମାନେ ଏହି କାର୍ଯ୍ୟକ୍ରମରେ ଦୂରେଇ ରହିବେ ବୋଲି ବରିଷ୍ଠ ନେତା ପ୍ରତାପ ଦେବ ଓ ଗଣେଶ୍ବର ବେହେରା କହିଛନ୍ତି। ସେହିଭଳି ଏହି କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତାଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଇ ନଥିବା ବିଜେଡି ଅଭିଯୋଗ କରିଛି।