ଭୁବନେଶ୍ୱର: ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଗଣମାଧ୍ୟମ ସଂଯୋଜକ ପ୍ରତାପ ଜେନା କହିଛନ୍ତି ଯେ, ବିଜେପି ସରକାର ଦାୟିତ୍ୱ ନେବାର ଶହେ ଦିନ ନ ପୁରୁଣୁ ଅପମିଶ୍ରିତ ମଦ ପିଇ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚିକିଟି ଠାରେ ୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଲୋକ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏହି ଘଟଣା ବାବଦରେ ଆଜି ବିଜୁ ଜନତା ଦଳ ବିଧାନସଭାରେ ପ୍ରଶ୍ନ ଉଠାଇଛି। ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଏହି ମଦମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନେତୃତ୍ୱରେ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛନ୍ତି। ଏହି ଟିମ୍ରେ ଶ୍ରୀ ପୂଜାରୀଙ୍କ ସହ ପୂର୍ବତନ ମନ୍ତ୍ରୀ ଉଷା ଦେବୀ, ପୂର୍ବତନ ବିଧାୟକ ଡକ୍ଟର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଏବଂ ବିକ୍ରମ କୁମାର ପଣ୍ଡା ରହିଛନ୍ତି। ଆସନ୍ତାକାଲି ସକାଳେ ଏହି ଟିମ୍ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ସଭାପତି ନବୀନ ପଟ୍ଟନାୟକଙ୍କୁ ମଦମୃତ୍ୟୁ ଘଟଣାର ବିସ୍ତୃତ ବିବରଣୀ ପ୍ରଦାନ କରିବେ।
ଏଠାରେ ସୂଚନାଯୋଗ୍ୟ ଯେ ଚିକିଟି ବେଆଇନ ମଦ କାରବାର ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟପକ୍ଷରେ ଅବକାରୀ ବିଭାଗ ପକ୍ଷରୁ ଗତକାଲି ସନ୍ଧ୍ୟା ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୭,୨୭୪ ଲିଟର ବେଆଇନ ମଦ ଜବତ କରାଯିବା ସହ ୭୨ ଜଣଙ୍କୁ ଗିରଫ କରାଯାଇଛି । ଏଥି ମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାରେ ୩୮୫ ଲିଟର ମଦ ଜବତ ହୋଇଛି । ଆଗାମୀ ଦିନରେ ଏପରି ଚଢ଼ାଉକୁ ଜୋରଦାର କରାଯିବା ସହ ବେଆଇନ ମଦ କାରବାରରେ ଲିପ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।