ଏମ୍କେସିଜି ମେଡିକାଲ ପରିଦର୍ଶନ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାରେ ବିଷାକ୍ତ ମଦ ପିଇ ଦୁଇ ଜଣଙ୍କ ମୃତ୍ୟୁ ଘଟଣାର ହେବ ଆରଡିସି ତଦନ୍ତ । ଏନେଇ ରାଜ୍ୟ ସରକାର ଦେଲେ ନିର୍ଦ୍ଦେଶ । ଆରଡିସି ତଦନ୍ତ ନେଇ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ସେ କହିଛନ୍ତି, ୨ ମାସ ଭିତରେ ତଦନ୍ତ ରିପୋର୍ଟ ଆସିବ । ଆଗକୁ ସେ କହିଛନ୍ତି, ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ଚୋରା ମଦ ଭାଟି ଉପରେ ଚଢ଼ାଉ ଜାରି ରହିଛି । ରାଜ୍ୟବ୍ୟାପୀ ବର୍ତ୍ତମାନ ସୁଦ୍ଧା ୧୧୭ ଜଣଙ୍କୁ ଗିରଫ କରାଯାଇଛି । ଚୋରା ମଦ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ବେଆଇନ ଭାଟିକୁ ବୁଲ ଡୋଜର ଲଗାଇ ଉଡ଼ାଇ ଦିଆଯିବ। ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ବେଆଇନ ଭାଟି ରହିବନି ବୋଲି ଆବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଶ୍ଵାସନା ଦେଇଛନ୍ତି।
ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୁରୁବାର ସନ୍ଧ୍ୟାରେ ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲ କଲେଜ ଗସ୍ତ କରି ଚିକିଟି ମଦ ଘଟଣାରେ ଅସୁସ୍ଥ ବ୍ୟକ୍ତିଙ୍କୁ ଭେଟି ସ୍ଵାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି। ଏଥ୍ ସହିତ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମସ୍ତଙ୍କୁ ଉତ୍ତମ ସ୍ଵାସ୍ଥ୍ୟସେବା ଯୋଗାଇଦେବାକୁ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ହରିଚନ୍ଦନ ହିଞ୍ଜିଳିକାଟୁ ନିକଟସ୍ଥ ସମରଝୋଳଠାରେ ହୋଇଥିବ ମର୍ମନ୍ତୁଦ ବସ ଦୁର୍ଘଟଣାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଆହତମାନଙ୍କୁ ମଧ୍ୟ ହସ୍ପିଟାଲରେ ଭେଟିବା ସହ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଅନ୍ୟପକ୍ଷରେ ବିଭିନ୍ନ ଦାବି ନେଇ ଆନ୍ଦୋଳନରତ ଷ୍ଟାଫ୍ ନର୍ସ ଏବଂ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଭେଟି ସମସ୍ତ ଦାବିର ବିଚାର କରାଯିବ ବୋଲି ସେ କହିଛନ୍ତି। ସମସ୍ତଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି।
ସୂଚନାଯୋଗ୍ୟ, ମଦ ମୃତ୍ଯୁକୁ ନେଇ ଆଜି ବିଧାନସଭା ତୁମ୍ବିତୋଫାନ ହୋଇଥିଲା । ବାରମ୍ବାର ହଙ୍ଗାମା ହେବାରୁ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁତଲବି କରିଦେଇଥିଲେ ବାଚସ୍ପତି । ଆରମ୍ଭରୁ ଗୃହରେ ଗଞ୍ଜାମ ଚିକିଟି ମଦମୃତ୍ଯୁ ନେଇ ହଟ୍ଟଗୋଳ ହୋଇଥିଲା । ଅବକାରୀ ମନ୍ତ୍ରୀ ତୁରନ୍ତ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲା ବିଜେଡି । କାହିଁକି ସରକାର ବିଷାକ୍ତ ମଦମୃତ୍ଯୁକୁ ନେଇ ଘଣ୍ଟ ଘୋଡାଇବାକୁ ଚାହୁଁଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି ।














