ଭୁବନେଶ୍ୱର: ଇସଲାମିକ ଶିକ୍ଷା ଉପରେ ବିଶେଷ ଧ୍ୟାନ ଦେଇ ଓଡିଶାର 27 ଜଣ ମୁସଲମାନ ବ୍ୟକ୍ତି ଏବଂ ସଂଗଠନ ଘରୋଇ ସ୍ତରରେ ମଡେଲ ସ୍କୁଲ ଖୋଲିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସହରର ୟୁନିଟ୍ ଚାରି ମସଜିଦ ଠାରେ ରବିବାର ଅନୁଷ୍ଠିତ ଜମିୟତ ଉଲମା ଓଡ଼ିଶାର ଏକ ରାଜ୍ୟ ସ୍ତରୀୟ ସମ୍ମିଳନୀରେ ସମ୍ପ୍ରଦାୟର ଲୋକମାନଙ୍କଠାରୁ ଏଭଳି ପ୍ରସ୍ତାବ ଆସିଛି। ଏହା ବ୍ୟତୀତ ରାଜ୍ୟ ତଥା ବିଭିନ୍ନ ମୁସଲମାନ ପ୍ରାଧାନ୍ୟ ଅଞ୍ଚଳରେ ଇସଲାମିକ୍ ଶିକ୍ଷା ପାଇଁ ଟ୍ୟୁସନ୍ କ୍ଲାସ ଖୋଲିବା ପାଇଁ ବ୍ୟକ୍ତିବିଶେଷ ତଥା ସଂଗଠନ ପକ୍ଷରୁ ମଧ୍ୟ 62 ଟି ପ୍ରସ୍ତାବ ଆସିଛି।
ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ସ୍ଥାନରୁ ମୁସଲମାନମାନେ ଯୋଗ ଦେଇଥିଲେ। ସମ୍ମିଳନୀର ବିଷୟବସ୍ତୁ ଥିଲା “ତହଫୁଜ୍ – ଏ – ଇମାନ”। ଏଥିରେ ଗୁରୁତ୍ୱ ଦିଆଯାଇଥିଲା ସମ୍ପ୍ରଦାୟର ଲୋକମାନେ ଆନ୍ତରିକତାର ସହ କିପରି ଶୃଙ୍ଖଳିତ ଇସଲାମିକ ଜୀବନ ଶଇଳୀ ଅନୁସରଣ କରନ୍ତୁ । ଜମିୟତର ସାଧାରଣ ସମ୍ପାଦକ ମୋଲାନା ଅକରମ ତକି କହିଛନ୍ତି ସ୍କୁଲ ଏବଂ ରାଜ୍ୟରେ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ସ୍ୱପ୍ନ ମଧ୍ୟ ଜମିୟତ ନିକଟକୁ ଆସିଛି। ତେବେ ରାଜ୍ୟରେ ଏପରି କଉଣସି ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ଜମିୟତ କେବଳ ବାହ୍ୟ ସହାୟତା ପ୍ରଦାନ କରିବବୋଲି ସେ ସ୍ପଷ୍ଟ କରିଛନ୍ତି। କିନ୍ତୁ ସେମାନେ ଗୁରୁତ୍ୱ ଦେବେ, ସେହି ଅନୁଷ୍ଠାନଗୁଡ଼ିକ ମୁଖ୍ୟ ସ୍ରୋତ ଶିକ୍ଷା ସହ ଇସଲାମିକ ଶିକ୍ଷା ଉପରେ କିପରି ବିଶେଷ ଧ୍ୟାନ ଦେବେ ।
ରାଜ୍ୟରେ ଶିକ୍ଷାନୁଷ୍ଠାନ ଗଠନ କରିବାକୁ ଆଗ୍ରହୀ ବ୍ୟକ୍ତି ଓ ସଂଗଠନ ସହ ଆଲୋଚନା ପାଇଁ ଜମିୟତ ଖୁବ୍ ଶୀଘ୍ର ଏକ ବଇଠକ ଡକାଇ ଯୋଜନା ଏବଂ ପ୍ରାଥମିକ ପ୍ରସ୍ତୁତି ଉପରେ ଆଲୋଚନା କରିବ। ସେ କହିଛନ୍ତି ଯଦି ଏହି ଯୋଜନା ସଫଳ ହୁଏ ତେବେ ରାଜ୍ୟରେ ସେମାନଙ୍କ ମାର୍ଗଦର୍ଶନରେ ଏହା ପ୍ରଥମ ହେବ। ବାଙ୍ଗାଲୋରର ମୋଲାନା ଅସୀମ ଅବଦୁଲ୍ଲା ଦେଶର ଇସଲାମିକ ଶିକ୍ଷାର ସ୍ଥିତି ଉପରେ ଆଲୋଚନା କରି ଦୁଖ ପ୍ରକାଶ କରିଛନ୍ତି ଯେ ବର୍ତ୍ତମାନ ସମ୍ପ୍ରଦାୟର ପିଲାଙ୍କ ମଧ୍ୟରୁ କେବଳ ଚାରି ପ୍ରତିଶତ ମଦରସା ଶିକ୍ଷା ପାଇଁ ଯାଉଛନ୍ତି। ସେ କହିଛନ୍ତି ସମ୍ପ୍ରଦାୟର ସମସ୍ତ ପିଲାମାଙ୍କ ଶିକ୍ଷାପାଇଁ ରାଜ୍ୟର ମୁସଲମାନ ବୁଦ୍ଧିଜୀବୀ ଏବଂ ଅନ୍ୟମାନେ ଆଗକୁ ଆସିବା ଉଚିତ।
ଅସୁସ୍ଥତା ହେତୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିବା ଜମିୟତ ଉଲେମା ହିନ୍ଦ ଜାତୀୟ ଉପାଧ୍ୟକ୍ଷ ମୋଲାନା ସଲମାନ ବିଜନଉରି ଏହି ସମ୍ମିଳନୀକୁ ଅନ-ଲାଇନରେ ସମ୍ବୋଧିତ କରି ବହୁମୂଲ୍ୟ ପରାମର୍ଶ ଦେଇଥିଲେ। ପଶ୍ଚିମବଙ୍ଗର ଜନଶିକ୍ଷା ତଥା ପାଠାଗାର ସେବା ମନ୍ତ୍ରୀ ମୋଲାନା ସିଦିକୁଲ୍ଲା ଚଉଧୁରୀ ତାଙ୍କ ଅଭିଭାଷଣରେ ସମ୍ପ୍ରଦାୟ ପାଇଁ ଜମିୟତ କାର୍ଯ୍ୟକଳାପକୁ ପ୍ରଶଂସା କରିଛନ୍ତି। ଏହି ସମ୍ମିଳନୀକୁ ଜମିୟତର ରାଜ୍ୟ ସଭାପତି ମୋଲାନା ଗୁଫ୍ରାନ ଅଲି ଏବଂ ମୋଲାନା ମୋହସିନ ହୁସେନ ମଧ୍ୟ ସମ୍ବୋଧନ କରିଥିଲେ।














