ଭୁବନେଶ୍ବର: ଉନ୍ମୋଚନ ହେଲା ‘ସୁଭଦ୍ରା’ ପୋର୍ଟାଲ। ‘ସୁଭଦ୍ରା’ ସମ୍ପର୍କିତ ସମସ୍ତ ସୂଚନା ପୋର୍ଟାଲରେ ଉପଲବ୍ଧ ହେବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରା ପୋର୍ଟାଲ ଉନ୍ମୋଚନ କରିଛନ୍ତି। https://subhadra.odisha.gov.in/ ରେ ସମସ୍ତ ସୂଚନା ରହିବ। ସାଧାରଣ ନାଗରିକ ଏଥିରୁ ସଠିକ୍ ତଥ୍ୟ ପାଇପାରିବେ। ମହିଳାମାନେ କୌଣସି ବି ତଥ୍ୟ ଜାଣିବାକୁ ଚାହିଁଲେ ପୋର୍ଟାଲରୁ ଜାଣିପାରିବେ। ସେଥିପାଇଁ ପୋର୍ଟାଲରେ ସଠିକ୍ ଏବଂ ସରଳ ଭାବେ ସୂଚନା ଉପଲବ୍ଧ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
ଏହାର ଉପାଦାନ ଉଭୟ ଓଡିଆ ଓ ଇଂରାଜୀ ଭାଷାରେ ପ୍ରଦତ୍ତ ଅଛି । ହିତାଧିକାରୀଙ୍କ ଯୋଗ୍ୟତା, ସେମାନଙ୍କ ଅଧିକାର, ଦାୟିତ୍ୱ ସହ ବାରମ୍ବାର ପଚରାଯାଉଥିବା ପ୍ରଶ୍ନ ଓ ଏହାର ଉତ୍ତର ଏହି ୱେବ ପୋର୍ଟାଲରେ ଉପଲବ୍ଧ ଅଛି। ସୁଭଦ୍ରା ସମ୍ବନ୍ଧୀୟ ଆପଣମାନଙ୍କ ମନରେ ଆସୁଥିବା ଯେକୌଣସି ପ୍ରଶ୍ନର ଉତ୍ତର ଆପଣ ଏହି ୱେବ ପୋର୍ଟାଲରେ ପାଇପାରିବେ । ସୁଭଦ୍ରା ଯୋଜନା ସମ୍ବନ୍ଧୀୟ କୌଣସି ନୂଆ ଘୋଷଣା ଆପଣ ଏହି ୱେବ ପୋର୍ଟାଲରେ ପାଇପାରିବେ । ଆଉ କିଛି ଜାଣିବାକୁ ହେଲେ ଆପଣ ଟୋଲ ଫ୍ରି ନମ୍ବର -୧୪୬୭୮ ରେ କଲ କରିବେ । ଏହି ଟୋଲ ଫ୍ରି ନମ୍ବର ସକାଳ ୬ରୁ ରାତି ୧୦ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ। ଏହି ଫର୍ମ ସମ୍ପୂର୍ଣ ମାଗଣାରେ ଯଥେଷ୍ଟ ପରିମାଣରେ ଉପଲବ୍ଧ ରହିବ ।
ସୂଚନା ଅନୁଯାୟୀ, ଫର୍ମ ବଣ୍ଟନ ଆରମ୍ଭ ହୋଇଛି, ୪ରୁ ଫର୍ମ ସଂଗ୍ରହ ଆରମ୍ଭ ହେବ। ଫର୍ମ ପୂରଣ କରି ଆଧାର କାର୍ଡ ନକଲ ସହ ଦାଖଲ କରିବେ । ମୋ ସେବା କେନ୍ଦ୍ର ବା ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରିବେ। ଫର୍ମ ବଣ୍ଟନ ଓ ଦାଖଲ ସଂପୂର୍ଣ୍ଣ ମାଗଣାରେ ହେବ ବୋଲି କହିଛନ୍ତି ପ୍ରଭାତୀ । ରାକ୍ଷୀ ପୂର୍ଣ୍ଣିମାରେ ମିଳିବାକୁ ଥିବା କିସ୍ତି ୧୭ରୁ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ନିଜେ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ। ସବୁ ଯୋଗ୍ୟ ମହିଳାଙ୍କୁ ମିଳିବା ପର୍ଯ୍ୟନ୍ତ ଏହା ଚାଲୁ ରହିବ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।














