୧ କୋଟି ସଦସ୍ୟ ସଂଗ୍ରହ ପାଇଁ ଆହ୍ୱାନ
ଭୁବନେଶ୍ବର: ଆରମ୍ଭ ହେଲା ବିଜେପିର ସଦସ୍ୟତା ଅଭିଯାନ । ରାଜ୍ୟରେ ୧ କୋଟି ସଦସ୍ୟ ସଂଗ୍ରହ ପାଇଁ କର୍ମକର୍ତ୍ତାଙ୍କୁ ଅହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ରାଜ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବହୁ ନେତା ସଦସ୍ୟତା ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗକୁ ସଦସ୍ୟ ସଂଗ୍ରହ ଅଭିଯାନ ଆହୁରି ବଢ଼ିବ। ଆଗାମୀ ୫ ବର୍ଷରେ ନୂଆ ଓଡ଼ିଶା ଓ ସମୃଦ୍ଧ ଓଡ଼ିଶା ଗଠନ କରାଯିବ। ମୋଦିଙ୍କ ପୂର୍ବୋଦୟ ଲକ୍ଷ୍ୟ ଓଡ଼ିଶାରୁ ହିଁ ଆରମ୍ଭ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ବିଜେପିର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ କାର୍ଯ୍ୟକର୍ତ୍ତାଙ୍କୁ ଟାସ୍କ ଦେଇଛନ୍ତି ପ୍ରଭାରୀ ବିଜୟପାଲ ସିଂ ତୋମାର । ରେଲେୱେ ଷ୍ଟେସନ, ବସ ଷ୍ଟାଣ୍ଡ, କଲେଜ ବାହାରେ ସଦସ୍ୟତା ଅଭିଯାନ କରିବା ସହ ପ୍ରତି ବୁଥରେ ୪ ଶହ ସଦସ୍ୟ କରିବାକୁ ଟାର୍ଗେଟ ଦିଆଯାଇଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି,ଏହା ଆମ ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ପାଇଁ ଏକ ସୌଭାଗ୍ୟର ଦିନ। ଦଳର ସଦସ୍ୟଙ୍କ ତ୍ୟାଗ, ତପସ୍ୟା ଏବଂ ବଳିଦାନ ପାଇଁ ଭାରତୀୟ ଜନତା ପାର୍ଟି ଆଜି ସଫଳତାର ଶୀର୍ଷ ଛୁଇଁଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ସମୃଦ୍ଧ ଭାରତ ନିର୍ମାଣ ପାଇଁ ସମାଜର ସମସ୍ତ ବର୍ଗର ନାଗରିକ ଆଜି ରାଷ୍ଟ୍ର ନିର୍ମାଣ ପାଇଁ ନିଜକୁ ଦଳରେ ସାମିଲ କରିଛନ୍ତି। ରାଷ୍ଟ୍ରବାଦୀ ଦଳ ଭାବେ ଦେଶର ସର୍ବାଙ୍ଗୀନ ବିକାଶକୁ ଗୁରୁତ୍ଵ ଦିଆଯାଉଛି। ଦେଶରେ ବିକାଶର ପରିବର୍ତ୍ତନ ସହ ଆମ ରାଜ୍ୟ ମଧ୍ୟ ପୂର୍ବୋଦୟ ବିକାଶର କେନ୍ଦ୍ର ପାଲଟିଛି। ଡ଼ବଲ ଇଞ୍ଜିନ ସରକାରରେ ଓଡ଼ିଶାରେ ଖୁବ କମ ସମୟରେ ଅନେକ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହାକୁ ଆହୁରି ସର୍ବବ୍ୟାପି ସର୍ବସ୍ପର୍ଶୀ କରିବା ନିମନ୍ତେ ଆମେ ସମସ୍ତେ ସଂକଳ୍ପ ନେବା, ୧ କୋଟି ସଦସ୍ୟଙ୍କୁ ଦଳରେ ସାମିଲ କରି ବିକଶିତ ଭାରତ, ବିକଶିତ ଓଡ଼ିଶା ନିର୍ମାଣରେ ନିଜର ବହୁମୂଲ୍ୟ ଯୋଗଦାନ ଦେବା।
ରାଜ୍ୟ ସରକାରରେ ଏକ ବର୍ଷର ଉପଲବ୍ଧି ୧୦୦ ଦିନ ପୂର୍ବରୁ ହୋଇଛି। ଏହି ସବୁ କଥା ଲୋକଙ୍କ ପାଖରେ ପହଞ୍ଚାଇ ୪୫ ଦିନରେ ଭିତରେ ଟାର୍ଗେଟ ହାସଲ କରି ରେକର୍ଡ କରି ଦେଖେଇବାକୁ ସେ ଆହ୍ବାନ ଦେଇଛନ୍ତି ।














