ଭୁବନେଶ୍ବର : ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କୁ ବିଜୁ ଜନତା ଦଳର ପୋଲାଭରମ ଟିମ ଆଜି ସକାଳେ ନବୀନ ନିବାସରେ ଭେଟି ତାଙ୍କର ରିପୋର୍ଟ ପ୍ରଦାନ କରିଛନ୍ତି । ଏ ଅବସରରେ ସେମାନେ ବିରୋଧି ଦଳ ନେତାଙ୍କୁ ପ୍ରକଳ୍ପ ଅଞ୍ଚଳର ବାସ୍ତବ ସ୍ଥିତି ସଂପର୍କରେ ଅବଗତ କରାଇଥିଲେ । ଏହି ପ୍ରକଳ୍ପ ଦ୍ୱାରା ମାଲକାନଗିରିର ମୋଟୁ ପଞ୍ଚାୟତ ସମେତ କାଲିମେଳା ଓ ପଡ଼ିଆ ବ୍ଲକର ୨୩୬ଟି ଗାଁର ଲୋକମାନେ କ୍ଷତିଗ୍ରସ୍ତ ହେବେ । ସେମାନଙ୍କର ଭିଟାମାଟି ଓ ଜୀବୀକା ଉଜୁଡି ଯିବ । ମାଲକାନଗିରି ଜିଲ୍ଲାରେ ସାଧାରଣତଃ ଅଧିକ ବର୍ଷା ହୋଇଥାଏ । ତେଣୁ ଏ ପ୍ରକଳ୍ପ, ପରିସ୍ଥିତିକୁ ଆହୁରି ଜଟିଳ କରିବ ବୋଲି ପ୍ରତିନିଧି ଦଳ ମତବ୍ୟକ୍ତ କରିଥିଲେ ।
ଏହି ପରିପ୍ରେକ୍ଷୀରେ ପ୍ରକଳ୍ପକୁ ସବ ସ୍ତରରେ ପାର୍ଲିଆମେଣ୍ଟ ଠାରୁ ଆରମ୍ଭ କରି ବିଧାନ ସଭା ତଥା ପଞ୍ଚାୟତ ସ୍ତରରେ ଦୃଢ଼ ବିରୋଧ କରିବା ପାଇଁ ବିରୋଧି ଦଳ ନେତା ପରମର୍ଶ ଦେଇଥିଲେ । ସେ କହିଥିଲେ ଆଦିବାସୀ ଭାଇଭଉଣୀମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ବିଜୁ ଜନତା ଦଳ ସବୁ ବେଳେ ପ୍ରାଥମିକତା ଦେଇଆସିଛି । ଆଦିବାସୀ ଭାଇଭଉଣୀମାନଙ୍କ ହକ ପାଇଁ ବିଜୁ ଜନତା ଦଳ ତାର ଲଢ଼େଇ ଜାରି ରଖିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଏହି ପ୍ରତିନିଧି ଦଳର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ସାଂସଦ ମୁନ୍ନା ଖାଁ, ବିଧାୟକ ମନୋହର ରାନ୍ଧାରୀ, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଧାୟକ ଝିନ ହିକକା, ଭ୍ରୁଗୁ ବକ୍ସିପାତ୍ର, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ବିଜେଡିର ମିଡିଆ ସଂଯୋଜକ ପ୍ରିୟବ୍ରତ ମାଝୀ ପ୍ରମୁଖ ଆସି ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ।














