ଭୁବନେଶ୍ବର: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ ନଡ୍ଡା ଦଳର ସଦସ୍ୟତା ଅଭିଯାନରେ ସାମିଲ ହୋଇଥିଲେ। ଏହି ଅବସରରେ ସେ କହିଥିଲେ, ବିଜେପି ଏକମାତ୍ର ଗଣତାନ୍ତ୍ରିକ, କ୍ୟାଡର ଯୁକ୍ତ ରାଜନୈତିକ ଦଳ। କଂଗ୍ରେସର ଏପରି ସଦସ୍ୟତା ଅଭିଯାନ ଦେଖିଛନ୍ତି କି ବୋଲି ପ୍ରଶ୍ନ ନଡ୍ଡା ପ୍ରଶ୍ନ କରିଛନ୍ତି। ଏଥିସହ ଏକମାତ୍ର ବିଜେପିରେ ହିଁ ଅତ୍ୟନ୍ତ ସ୍ବଚ୍ଛ ଭାବେ ସଦସ୍ୟତା ଗ୍ରହଣ ହୁଏ । ସଦସ୍ୟତା ଗ୍ରହଣ ସରିବା ପରେ କାର୍ଯ୍ୟକର୍ତ୍ତା ନିର୍ବାଚନ ହେବ ବୋଲି ସେ କହିଛନ୍ତି । ବିଜେପିରେ ଜଣେ ନେତାଙ୍କ ପୁଅ ନେତା ହୁଅନ୍ତିନି। ଜଣେ ସାଧାରଣ ଲୋକ ନେତା ହୁଅନ୍ତି।
ରୁଟିନ୍ ତିଆରି କରି ଲୋକଙ୍କ ସହ ଯୋଡି ହୁଅ । ସୋସିଆଲ ମିଡ଼ିଆରେ ଅଧିକରୁ ଅଧିକ କ୍ରିୟାଶୀଳ ହୁଅ । ଏବେଠୁ ଆଗାମୀ ନିର୍ବାଚନ ଜିତିବାର ଗୁରୁମନ୍ତ୍ର ଦେଇ ଦଳର ବିଧାୟକ ଓ ସାଂସଦଙ୍କୁ ଏଭଳି ବଡ଼ ଟାସ୍କ ଦେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ଦିନିକିଆ ଗସ୍ତରେ ଆଜି ରାଜ୍ୟ କାର୍ଯ୍ୟାଳୟରେ ବୈଠକ ସହ ଭୁବନେଶ୍ୱରରେ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ୫ ଶହରୁ ଅଧିକ ବୁଦ୍ଧିଜୀବୀ ଏବଂ ଛାତ୍ରଛାତ୍ରୀଙ୍କୁ ଦଳର ସଦସ୍ୟ ବି କରାଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ । ୧୫ ଦିନିଆ ୱାର୍କ ଚାର୍ଟ ବନାଅ .. ରାଜ୍ୟ ସଭାପତିଙ୍କ ନିକଟରେ ଦାଖଲ କର । ପ୍ରତିଦିନ କିଛି ଲୋକଙ୍କ ପାଖକୁ ଯାଅ .. ସଦସ୍ୟତା ଅଭିଯାନ ଜରିଆରେ ସଂଗଠନ ମଜଭୁତ କର । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ଓ ସାଂସଦମାନଙ୍କୁ ଆଜି କାମ କରିବାର ତରିକା ଶିଖାଇଛନ୍ତି, ଆଉ ଥରେ ଜିତିବାକୁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିବାର ମନ୍ତ୍ର ବି ଦେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ।
ନିଜ ଭିତରେ ଦକ୍ଷତା ବଢାଇବାର ଆହ୍ୱାନ ଦେଇ ବିଧାୟକମାନଙ୍କୁ ଶକ୍ତି କେନ୍ଦ୍ର ଓ ସାଂସଦମାନଙ୍କୁ ନିୟମିତ ମଣ୍ଡଳକୁ ଯିବାକୁ ଟାସ୍କ ଦେଇଛନ୍ତି । କେବଳ ସେତିକି ନୁହେଁ ପ୍ରତିଦିନ ରୁଟିନ ତିଆରି କରି କାମ କରିବାକୁ ପରାମର୍ଶ ଦେଇ ଯେତେବେଳେ ବି ଗ୍ରାଉଣ୍ଡକୁ ଯାଉଛ, ସବୁଠୁ ଦଳିତ ଏବଂ ଅସହାୟ ହରିଜନ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବାକୁ ପରାମର୍ଶ ଦେଇଛନ୍ତି ନଡ୍ଡା । ଏଥିସହ ସବୁ ନେତାଙ୍କ ସୋସିଆଲ ମିଡ଼ିଆ ଉପରେ ଦଳର ନଜର ରହିଛି । କେଉଁ ବିଧାୟକ ଏବଂ ସାଂସଦ କେତେ ସକ୍ରିୟ, ତାର ଅଡିଟ ରିପୋର୍ଟ ତିଆରି ହୋଇଛି । ତେଣୁ ସୋସିଆଲ ମିଡ଼ିଆରେ ନିଜ ସକ୍ରିୟତା ବଢ଼ାଇବା ସହ ପ୍ରତ୍ୟେକ ବିଧାୟକ ନିଜ ରେଫରେନ୍ସ କୋଡରେ ହଜାରେ ଲୋକଙ୍କୁ ଯୋଡ଼ିବାକୁ ଟାର୍ଗେଟ ବି ଦେଇଛନ୍ତି ।
ସେହିପରି ନେତାମାନେ ଦେଇଥିବା ୧୫ ଦିନିଆ ରିପୋର୍ଟକୁ ସଭାପତି ନିୟମିତ ସମୀକ୍ଷା କରିବାକୁ ବି ନିର୍ଦେଶ ଦେଇଛନ୍ତି ନଡ୍ଡା । ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ମନମୋହନ ସାମଲ ଓ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଏହା ପୂର୍ବରୁ ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ୫ ଶହରୁ ଅଧିକ ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀଙ୍କୁ ସଦସ୍ୟତା କରାଇଥିଲେ ଜେ.ପି. ନଡ୍ଡା । ଏହି ଅବସରରେ କହିଥିଲେ ବିଜେପି ବିଶ୍ୱର ସବୁଠୁ ବଡ଼ ଗଣତାନ୍ତ୍ରିକ ଓ ବିଚାରଧାରାରର ଦଳ । ବୁଥ୍ ସ୍ତରରୁ ଆରମ୍ଭ ହୋଇ ରାଷ୍ଟ୍ରୀୟ ସଭାପତିଙ୍କ ଚୟନ ନିର୍ବାଚନ ଆଧାରରେ ହୁଏ ।
ବିଜେପିରେ ନେତାଙ୍କ ପୁଅ ନେତା ହୁଏନି । କଂଗ୍ରେସକୁ ଟାର୍ଗେଟ କରି କହିଥିଲେ ଦେଶର ସବୁଠୁ ପୁରୁଣା ଦଳ ଏବେ ସହରୀ ନକ୍ସଲିଙ୍କ ମୁଖପାତ୍ର ସାଜିଛି । ଧାରା ୩୭୦ ପୁଣି ଆଣିବାକୁ ପ୍ରୟାସ କରିଥିବା ଲୋକଙ୍କ ସହ ହାତ ମିଳାଉଛି କଂଗ୍ରେସ । ଏ କେମିତି ବିଚାରଧାରା ବୋଲି ପ୍ରଶ୍ନ କରି, କଂଗ୍ରେସ ଅମଳରେ ମୁଦ୍ରାସ୍ପୀତି ୨ ଅଙ୍କ ତଳକୁ ଖସୁ ନଥିଲା ବେଳେ ଆଜି ସେମାନେ ଆମକୁ ମହଙ୍ଗା କଥା କହୁଛନ୍ତି ବୋଲି କହିଛନ୍ତି । ନାଁ ନନେଇ ରାହୁଲ ଓ ପ୍ରିୟଙ୍କାଙ୍କୁ ଟାର୍ଗେଟ୍ କରି ଭାଇଭଉଣୀଙ୍କୁ ଭାରତର ଆଉ କିଛି ବିକାଶ ଦିଶୁ ନାହିଁ, ସବୁବେଳେ କେବଳ ଦୁଇଟି କଥା ବେକାରୀ ଓ ଦରଦାମ ବୃଦ୍ଧି ଦେଖାଯାଉଛି ବୋଲି କଟାକ୍ଷ କରିଥିଲେ ନଡ୍ଡା । ପ୍ରଥମ ପର୍ଯ୍ୟାୟ ସଦସ୍ୟତା ଅଭିଯାନରେ ସାରା ଦେଶରେ ୬ କୋଟି ସଦସ୍ୟ ହୋଇଥିବା ବେଳେ ରାଜ୍ୟରେ ୨୫ ଲକ୍ଷ ସଦସ୍ୟ ଯୋଡି ହୋଇଛନ୍ତି । ଆଉ ୨ ଟି ପର୍ଯ୍ୟାୟରେ କୋଟିଏରୁ ଅଧିକ ସଦସ୍ୟତା ଟାର୍ଗେଟ ହାସଲ ପାଇଁ ଟାର୍ଗେଟ ଦେଇଛନ୍ତି ନଡ୍ଡା।