ଭୁବନେଶ୍ୱର : ଗତ କିଛି ଦିନ ଭିତରେ, ଓଡ଼ିଶାର ରାଜଭଵନ ଭିତରେ ଦେଖିବାକୁ ମିଳିଥିବା କିଛି ରାଜନୈତିକ ଗତିବିଧିକୁ ନେଇ ଆଜି ବିଜୁ ଜନତା ଦଳ ପକ୍ଷରୁ ଏହା ଉପରେ ପ୍ରଶ୍ନ ଉଠାଇବା ସଙ୍ଗେ ସଙ୍ଗେ, ଝାଡଖଣ୍ଡ ନିର୍ବାଚନ ପାଇଁ ଓଡିଶା ରାଜ ଭଵନ ଏକ ୱାର ରୁମ ବା ରାଜନୈତିକ ପେଣ୍ଠସ୍ଥଳୀ ପାଲଟିଛି ବୋଲି ଅଭିଯୋଗ କରାଯାଇଛି। ଏହି ରାଜନୈତିକ କାର୍ଯ୍ୟକ୍ରମ ଯୋଗୁ ଓଡ଼ିଶା ରାଜ ଭଵନର ଗାରିମା କ୍ଷୁର୍ଣ୍ଣହେଉଛି ବୋଲି କୁହାଯାଇଛି।
ଆଜି ବିଜେଡି ମୁଖ୍ୟାଳୟ ଶଙ୍ଖ ଭଵନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ତଥା ବିଜେଡି ମୁଖପାତ୍ର ଶ୍ରୀମତୀ ସୁଲତା ଦେଓ ଓ ଶ୍ରୀ ସସ୍ମିତ ପାତ୍ର କହିଥିଲେ, ରାଜ ଭଵନ ହେଉଛି ଏକ ଗାରିମାମୟ ସ୍ଥାନ ଓ ରାଜନୀତିରୁ ଊର୍ଦ୍ଧ୍ଵରେ, କିନ୍ତୁ ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ଵଶର୍ମା ଓ ପୂର୍ବତନ ଉପରାଷ୍ଟ୍ରପତି ଶ୍ରୀ ଭେଙ୍କିଆ ନାଇଡ଼ୁଙ୍କ ରାଜ ଭଵନକୁ ଆଗମନ ନିଶ୍ଚିତ ଭାବେ ପ୍ରଶ୍ନ ସୃଷ୍ଟି କରିଛି। ଶ୍ରୀମତୀ ଦେଓ କହିଥିଲେ, ହିମନ୍ତ ବିଶ୍ଵଶର୍ମା ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇ କହିଥିଲେ, ସେ ବ୍ୟକ୍ତିଗତ କାରଣରୁ ଓଡ଼ିଶାର ରାଜ୍ୟପାଳଙ୍କୁ ଭେଟିବାକୁ ଆସିଛନ୍ତି।
କିନ୍ତୁ, ତାପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯେତେବେଳେ ଝାଡଖଣ୍ଡ ଯାଇ ସେଠାରେ ଏକ ନିର୍ବାଚନୀ ସଭାରେ ଭାଷଣ ଦେଇଥିଲେ, ସେତେବେଳେ ବିଶ୍ଵଶର୍ମା ଓ ଭେଙ୍କିଆ ନାଇଡ଼ୁଙ୍କ ଗସ୍ତ ରାଜନୈତିକ କାରଣରୁ ଥିଲା ବୋଲି ସ୍ପଷ୍ଟ ହୋଇଥିଲା। ଓଡ଼ିଶାର ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ଝାଡଖଣ୍ଡ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହେବେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ସେ ନିର୍ବାଚନ ଲଢିବେ କି ନାହିଁ, ସେଥିରେ ବିଜେଡିର କିଛି ଯାଏ ଆସେ ନାହିଁ, କିନ୍ତୁ ଓଡ଼ିଶାର ରାଜ ଭଵନକୁ ରାଜନୀତିର ଆଡ୍ଡାସ୍ଥଳୀରେ ପରିଣତ ନକରାଯାଉ ଓ ଏହାର ଗାରିମା ନଷ୍ଟ ନହେଉ ବୋଲି ଶ୍ରୀମତୀ ଦେଓ କହିଥିଲେ।
ସେ ଆହୁରି କହିଥିଲେ, ରାଜ୍ୟପାଳଙ୍କ ପୁଅଙ୍କ ଦ୍ୱାରା ଜଣେ ଏଏସଓଙ୍କ ଉପରେ ହୋଇଥିବା ଅମାନବୀୟ ଆକ୍ରମଣ ଘଟଣାରେ ଏ ପର୍ଯ୍ୟନ୍ତ ନ୍ୟାୟ ନମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ। ପନ୍ଦର ଦିନରେ ଏହି କେସରେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବାକୁ କୁହାଯାଇଥିଲା, ଯାହା ତିନିମାସରୁ ଊର୍ଦ୍ଧ୍ଵ ସମୟ ବିତିଯିବା ପରେ ମଧ୍ୟ ରିପୋର୍ଟ ଆସି ପାରିନାହିଁ।
ଦଳର ଜାତୀୟ ମୁଖପାତ୍ର ଓ ରାଜ୍ୟସଭା ସାଂସଦ ଶ୍ରୀ ସସ୍ମିତ ପାତ୍ର ସିଧା ସଳଖ ପ୍ରଶ୍ନ କରିଥିଲେ, ଝାଡଖଣ୍ଡ ନିର୍ବାଚନ ପାଇଁ ଓଡ଼ିଶାର ରାଜଭଵନ ବିଜେପିର ୱାର ରୁମ ବା ରାଜନୈତିକ ପେଣ୍ଠସ୍ଥଳୀ ପାଲଟିଛି କି? ଏହି ରାଜନୈତିକ ଗତିବିଧିର ମୁଖ୍ୟ ପୁରୋଧା ନିଜେ ରାଜ୍ୟପାଳ ମହୋଦୟ ଅଛନ୍ତି, ସେ ଏ ବିଷୟରେ ସ୍ପଷ୍ଟୀକରଣ ରଖିବା ଉଚିତ। ଦ୍ଵିତୀୟ ପ୍ରଶ୍ନ ହେଉଛି, ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସାମିଲ ହୋଇଛନ୍ତି କି, ଯେଉଁଥିପାଇଁ ସେ ସାମ୍ବିଧାନିକ ପଦବୀରେ ଥାଇ ମଧ୍ୟ ନିଜର ରାଜନୈତିକ ସ୍ୱାର୍ଥ ହାସଲ ଲାଗି, ରାଜଭଵନ ଗାରିମାକୁ ଜଳାଞ୍ଜଳି ଦେବାକୁ ପଛାଉ ନାହାନ୍ତି।
ବିଜେପିର ବରିଷ୍ଠ ନେତାମାନେ ସ୍ପଷ୍ଟ କରିବା ଦରକାର, ସେମାନେ ରାଜଭଵନକୁ ବ୍ୟକ୍ତିଗତ କାରଣରୁ ନା ରାଜନୈତିକ କାରଣରୁ ରାଜ ଭଵନକୁ ଗସ୍ତ କରୁଛନ୍ତି। ରାଜ୍ୟପାଳ ମହୋଦୟ ତାଙ୍କ ପୁଅ ପ୍ରୀତି ଛାଡି କେବେ ଏଏସଓଙ୍କୁ ନ୍ୟାୟ ପ୍ରଦାନ କରିବେ। ତାଛଡା, ନ୍ୟାୟ ତା ବାଟରେ ଯିବ ବୋଲି କହୁଥିବା, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମହୋଦୟ ମଧ୍ୟ ସ୍ପଷ୍ଟ କରିବା ଦରକାର ଯେ ତାଙ୍କ ସରକାର କେବେ ଏହି କେସରେ ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଶ୍ରୀ ପାତ୍ର କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ, ବିଜେଡି ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି ପ୍ରାରମ୍ଭିକ ସୂଚନା ଦେଇଥିଲେ।














