ଭୁବନେଶ୍ବର: କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଏହା ପ୍ରଭାବରେ ଆସନ୍ତା ୨୧ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। କ୍ରମେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆହୁରି ତୀବ୍ର ବା ଘନୀଭୂତ ହେବ। ୨୩ ତାରିଖ ମଧ୍ୟରେ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖରୁ ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୨ ପରଠୁ ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ମନା କରାଯାଇଛି। ସମୁଦ୍ର ମଧ୍ୟରେ ଥିବା ମତ୍ସଜୀବୀଙ୍କୁ ୨୧ ସୁଦ୍ଧା ଫେରିଆସିବାକୁ ଅନୁରୋଧ କରାଯାଇଛି। ଏ ନେଇ ଆଇଏମଡି ଡିଜି ସୂଚନା ଦେଇଛନ୍ତି।
ଆସନ୍ତା ୨୩, ୨୪ ଓ ୨୫ ତାରିଖରେ ଉପକୂଳ ଓଡ଼ିଶା ସହ ପାର୍ଶ୍ୱବର୍ତ୍ତୀ ଜିଲ୍ଲା ଓ ଆଭ୍ୟନ୍ତରୀଣ ଓଡିଶାରେ ବି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଏଯାଏଁ ବାତ୍ୟା ଉପରେ କୌଣସି ଆକଳନ କରାଯାଇନଥିବାବେଳେ ଲଘୁଚାପ ସୃଷ୍ଟି ହେବା ପରେ ହିଁ ଚିତ୍ର ସ୍ପଷ୍ଟ ହେବ ବୋଲି ସୂଚନା ଦିଆଯାଇଛି। ଉତ୍ତର ଆନ୍ଧ୍ର, ଓଡ଼ିଶା, ପଶ୍ଚିମବଙ୍ଗ, ବାଂଲାଦେଶ ଉପରେ ପ୍ରଭାବ ରହିବ।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂନା ଅନୁଯାୟୀ, ଆଜି ଉତ୍ତର ଆଣ୍ଡାମାନ ସାଗର ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ବାୟୁମଣ୍ଡଳର ଉପରି ଭାଗରେ ଏହା ୫.୮ କିମି ପର୍ୟ୍ୟନ୍ତ ବ୍ୟାପ୍ତ ରହିଛି। ଏହା ଧୀରେ ଧୀରେ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆସନ୍ତା ୨୧ ତାରିଖରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଏହା ଅବପାତର ରୂପ ନେଇ ସ୍ଥଳଭାଗ ମୁହାଁ ହୋଇପାରେ ବୋଲି ଆଇଏମ୍ଡି ପୂର୍ବାନୁମାନ କରିଛି। ତେବେ ଏହା କେଉଁଠି ସ୍ଥଳଭାଗ ଅତିକ୍ରମ କରିବ ଓ ଏହାର ରୂପରେଖ କେତେ ତୀବ୍ରତର ହେବ ସେ ନେଇ ଏବେ ସ୍ପଷ୍ଟ ହୋଇପାରିନି।














