ଭଦ୍ରକ : ବାତ୍ୟା “ଦାନା” ରେ ସରକାର କୋଟି କୋଟି ଟଙ୍କା ସାଧାରଣ ଜନତାଙ୍କ ପାଇଁ ଖର୍ଚ୍ଚ କରୁଥିବା ବେଳେ ସରକାରୀ ଚାକିରିଆ ପାତର ଅନ୍ତର କରୁଥିବାରୁ ସଂପୃକ୍ତ ଚାକିରିଆଙ୍କୁୁ ପଂଚାୟତବାସୀ ପଂଚାୟତ ଅଫିସ ଘରେ ଅଟକ ରଖିଥିବା ଦେଖିବାକୁ ମିଳିଥିଲା। ପରେ ପୁଲିସର ହସ୍ତକ୍ଷେପ ଫଳରେ ସଂପୃକ୍ତ ସରକାରୀ କର୍ମଚାରୀ ଜଣକ ସାଧାରଣ ଜନତାଙ୍କ କବଳରୁ ମୁକ୍ତି ପାଇଥିଲେ। ଏଭଳି ଏକ ଘଟଣା ଘଟିଛି ବାଂଶଡା ଥାନା ଅଧିନସ୍ଥ ବଜରାପୁର ପଂଚାୟତରେ। ପ୍ରାପ୍ତ ଘଟଣାରୁ ଜଣାଯାଏ ଏହି ପଂଚାୟତ ଦାୟିତ୍ୱରେ ଥିବା ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଦେହ ଖରାପ ହେବାରୁ ସେ ବାତ୍ୟା ପର ଦିନ ଛୁଟି ନେଇ ଘରକୁ ଯାଇଥିଲେ। ଘରକୁ ଯିବା ପୂର୍ବରୁ ପଂଚାୟତକୁ ଆସିଥିବା ରିଲିଫ ସାମଗ୍ରୀ ଗୁଡିକ ସଂପୃକ୍ତ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂପୃକ୍ତ ନୋଡାଲ ଅଫିସରଙ୍କ ଠାରୁ ଗ୍ରହଣ କରି ପଂଚାୟତରେ ରଖି ଛୁଟିରେ ଚାଲିଯାଇଥିଲେ। ପଂଚାୟତକୁ ଆସିଥିବା ସମସ୍ତ ରିଲିଫ ସାମଗ୍ରୀ ଗୁଡିକ ପଂଚାୟତ ସରପଂଚ ଏବଂ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ କେମିତି କଣ ବଂଟନ କରାଯିବା ସେ ପାଇଁ ପଂଚାୟତ ଅଧିକାରୀ ମାନେ ବସି ସିଦ୍ଧାନ୍ତ ନେଇ ବଂଟନ କରିବାର ନିୟମ ଅଛି। ମାତ୍ର ବଜରାପୁର ପଂଚାୟତର ପଂଚୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଛୁଟିରେ ଥିବା ବେଳେ ଏହି ଦାୟିତ୍ୱ ସେ ସେହି ପଂଚାୟତ ରେ ଥିବା ଜିଆରଏସ ସୁଲତା ଉପାଧ୍ୟାୟଙ୍କୁ ଦେଇଥିଲେ। ସଂପୃକ୍ତ ଜିଆରଏସ କାହାରିଙ୍କୁ ନ ପଚାରି ନିଜ ଇଛାରେ ଏକ ନିର୍ଦିଷ୍ଟ ରାଜନୈତିକ ଦଳର ଲୋକ ମାନଙ୍କୁ ଆସିଥିବା ରିଲିଫ ସାମଗ୍ରୀ ବଂଟନ କରି ଦେଇଥିଲେ। ଏହାକୁ ନେଇ ସାଧାରଣରେ ଉତେଜନା ପ୍ରକାଶ ପାଇବା ସହ ଏହି ବିଷୟରେ ବଜରାପୁର ପଂଚାୟତବାସୀ ଭଦ୍ରକ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ଆଜି ସଂପୃକ୍ତ ଜିଆରଏସ ସୁଲତା ଉପାଧ୍ୟାୟ ଆସି ପଂଚାୟତ ଅଫିସରେ ପହଂଚିବା ପରେ ଅଂଚଳବାସୀ ସଂପୃକ୍ତ ଜିଆରଏସଙ୍କୁ କାହିଁକି ଦଳୀୟ ଭିତିରେ ରିଲିଫ ସାମଗ୍ରୀ ବଂଟନ କଲ ବୋଲି ପଚାରିଥିଲେ ମାତ୍ର ସଂପୃକ୍ତ ଜିଆରଏସ କୌଣସି ସନ୍ତୋଷ ଜନକ ଉତର ଦେଇ ନ ପାରିବାରୁ ପଂଚାୟତବାସୀ ସଂପୃକ୍ତ ଜିଆରଏସ ଙ୍କୁ ଅଫିସ ଘରେ ଅଟକ ରଖିଥିଲେ। କୌଣସି ସୂତ୍ରରୁ ଖବର ପାଇଘଂଟେଶ୍ୱର ଫାଣ୍ଡି ଅଧିକାରୀ ଯାଇ ସଂପୃକ୍ତ ଜିଆରଏସଙ୍କୁ ଲୋକଙ୍କ କବଳରୁ ଉଦ୍ଧାର କରିଥିଲେ। ଏ ନେଇ ବିଜେପିର ଏକ ପ୍ରତିନିଧି ଦଳ ଆସନ୍ତାକାଲି ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ସଂପୃକ୍ତ ଜିଆରଏସଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବବାକୁ ଏକ ଦାବୀ ପତ୍ର ପ୍ରଦାନ କରିବେ ବୋଲି ଜଣାଯାଇଛି। ଅନ୍ୟ ପକ୍ଷରେ ସଂପୃକ୍ତ ଜିଆରଏସ ସୁଲତା ଉପାଧ୍ୟାୟ ଦଳୀୟ ଭିତିରେ କୌଣସି କାର୍ଯ୍ୟ କରି ନାହାନ୍ତି ବୋଲି କହିଛନ୍ତି।














