ଭୁବନେଶ୍ବର: ରାଜ୍ୟ ସରକାର ଅଙ୍ଗନବାଡ଼ି କର୍ମୀମାନଙ୍କୁ ମଧ୍ୟ ‘ସୁଭଦ୍ରା’ ଯୋଜନାରେ ସାମିଲ କରିଛନ୍ତି। ଏହା ଦ୍ବାରା ଏହି ଯୋଜନାରୁ ବାଦ୍ ପଡ଼ିଥିବା ଅଙ୍ଗନବାଡ଼ି କର୍ମୀମାନେ ‘ସୁଭଦ୍ରା’ ଯୋଜନାରେ ସାମିଲ ହେବେ। ବାଦ୍ ପଡ଼ିଥିବା ଅଙ୍ଗନବାଡ଼ି କର୍ମୀମାନଙ୍କୁ ସୁଭଦ୍ରା ଯୋଜନାରେ ଟଙ୍କା ମିଳିବା। ଅଙ୍ଗନବାଡ଼ି କର୍ମୀମାନଙ୍କୁ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏନେଇ ସୂଚନା ଦେଇଛନ୍ତି।
ବୁଧବାର ଗଣମାଧ୍ୟମକୁ ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଖାରଜ ହୋଇଥିବା ୨ ଲକ୍ଷ ୬୭ ହଜାର ଆବେଦନର ରି-ଚେକ୍ ହେବ। ଦରକାର ପଡ଼ିଲେ ବାରମ୍ବାର ଚେକ ହେବ। କେହି ଏହି ଯୋଜନାରୁ ବଞ୍ଚିତ ହେବେ ନାହିଁ। ଏଥିପାଇଁ ୧ ତାରିଖରେ ନୋଡାଲ ଏଜେନ୍ସି ନିଯୁକ୍ତ ହେବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନସୁଦ୍ଧା ୧ କୋଟି ୬୦ହଜାର ମହିଳା ଆବେଦନ କରିସାରିଲେଣି। ୨ଟି ପର୍ଯ୍ୟାୟରେ ମୋଟ ୬୦ଲକ୍ଷ ମହିଳାଙ୍କୁ ସହାୟତା ପ୍ରଦାନ କରାଯାଇଛି। ଖୁବଶୀଘ୍ର ତୃତୀୟ ପର୍ଯ୍ୟାୟରେ ବାକି ରହିଥିବା ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯିବ। ଶେଷ ହିତାଧିକାରୀ ‘ସୁଭଦ୍ରା ‘ଟଙ୍କା ପାଇବା ଯାଏଁ ଏହି ପ୍ରକ୍ରିୟା ଜାରି ରହିବ । ଏବେ ବି ଯାଞ୍ଚ ପ୍ରକ୍ରିୟା ଚାଲିଛି । ଏଯାଏଁ ପ୍ରାୟ ୬୦ ଲକ୍ଷ ମହିଳା ‘ସୁଭଦ୍ରା’ ଟଙ୍କା ପାଇସାରିଲେଣି । ଆହୁରି ୪୦ ଲକ୍ଷରୁ ଅଧିକ ହିତାଧିକାରୀ ଏହି ଟଙ୍କା ପାଇବାକୁ ଅପେକ୍ଷା କରିଛନ୍ତି । ତୃତୀୟ ପର୍ଯ୍ୟାୟରେ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।














