ଭୁବନେଶ୍ବର : ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏନେଇ ଶନିବାର ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶକ୍ତି ଓ ଯୋଗାଣ ବିଭାଗ ସହ ବଦଳିଛନ୍ତି ଅବକାରୀ ବିଭାଗର ସଚିବ। ଆଜି ସାଧାରଣ ପ୍ରଶାସନ ପକ୍ଷରୁ ପାଇଥିବା ବିଜ୍ଞପ୍ତି ଅନୁସାରେ SRC ଓ ରାଜସ୍ବ ବିଭାଗର ଦାୟିତ୍ବ ତୁଲାଉଥିବା ଦେଓରଂଜନ ସିଂହଙ୍କୁ ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।
ଏଥି ସହିତ ଶକ୍ତି ବିଭାଗ ସଚିବ ପଦରୁ ହେମନ୍ତ ଶର୍ମାଙ୍କ ବଦଳି କରାଯାଇ ତାଙ୍କ ସ୍ଥାନରେ ପ୍ରମୁଖ ସଚିବ ବିଶାଲ ଦେବଙ୍କୁ ଶକ୍ତି ବିଭାଗ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ବୀର ବିକ୍ରମ ଯାଦବଙ୍କୁ ଖାଦ୍ୟ ଯୋଗାଣ ସଚିବ ପଦରୁ ଅପସାରଣ କରାଯାଇ ତାଙ୍କ ସ୍ଥାନରେ ସଂଜୟ ସିଂହଙ୍କୁ ଖାଦ୍ୟ ଯୋଗାଣ ବିଭାଗର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ଏଥି ସହିତ ସେ ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ ମଧ୍ୟ ତୁଲାଇବେ।
ସେହିପରି କ୍ରୀଡ଼ା ସଚିବ ଭାବେ ଦାୟିତ୍ବ ନିର୍ବାହ କରୁଥିବା ଭାସ୍କର ଜ୍ୟୋତି ଶର୍ମାଙ୍କୁ OPTCL ସିଏମ୍ଡି ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ଏଥି ସହିତକେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଗିରିଶ ଏସ୍ଏନ୍ଙ୍କୁ ପଞ୍ଚାୟତିରାଜ ସଚିବ ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି।ସେହିପରି ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ସଚିବ ପଦରୁ ଅରବିନ୍ଦ ପାଢୀ ଏବଂ ଅବକାରୀ କମିଶନର ପଦରୁ ସୁଶୀଲ କୁମାର ଲୋହାନୀଙ୍କୁ ଅପସାରଣ କରାଯାଇ ସ୍ବତନ୍ତ୍ର ସଚିବ ଗୁହା ପୁନମ ତାପସ କୁମାରଙ୍କୁ ଏହି ଦୁଇ ବିଭାଗ ଦାୟିତ୍ବ ପ୍ରଦାନ କରାଯାଇଛି।














