ଭୁବନେଶ୍ୱର: ରାଜ୍ୟରେ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର ଉପରେ ରାଜ୍ୟପାଳ ଡ ହରିବାବୁ କମ୍ଭମପାଟି ଗୁରୁତ୍ଵାରୋପ କରିଛନ୍ତିl ବୁଧବାର ଲୋକ ଭବନର ନ୍ୟୁ ଅଭିଷେକ ପ୍ରେକ୍ଷାଳୟ ଠାରେ ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ବିଭାଗର କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା ହୋଇଥିଲା। ଆଲୋଚନାରେ ଯୋଗ ଦେଇ ରାଜ୍ଯପାଳ କହିଛନ୍ତି, ସୌରଶକ୍ତିଚାଳିତ ଜଳସେଚନ ପମ୍ପର ବ୍ୟାପକ ବ୍ୟବହାର ଦ୍ବାରା କୃଷକମାନଙ୍କ ଜମିରେ ଜଳସେଚନ ଖର୍ଚ୍ଚ ହ୍ରାସ ପାଇବ। ସେମାନଙ୍କ ଆୟ ବୃଦ୍ଧି କରିବ ଏବଂ ରାଜ୍ୟର ନବୀକରଣଯୋଗ୍ୟ ଶକ୍ତି ଲକ୍ଷ୍ୟ ହାସଲରେ ସହାୟକ ହେବ।
ପିଏମ୍-କୁସୁମ ଯୋଜନା ସଂପର୍କରେ ଉଲ୍ଲେଖ କରି ରାଜ୍ୟପାଳ କହିଛନ୍ତି, ବିଭାଗର ସଚେତନତା ଅଭିଯାନକୁ ଆହୁରି ତ୍ୱରାନ୍ୱିତ କରିବା ଏବଂ ପାରମ୍ପରିକ ବିଦ୍ୟୁତଚାଳିତ ପମ୍ପ ପରିବର୍ତ୍ତେ ସୌରଚାଳିତ ପମ୍ପ ବ୍ୟବହାରକୁ ବ୍ୟାପକ କରିବା ପାଇଁ ଉପଯୁକ୍ତ ରଣନୀତି ପ୍ରସ୍ତୁତ କରିବାକୁ ରାଜ୍ଯପାଳ ପରାମର୍ଶ ଦେଇଥିଲେ। ବୈଠକରେ ବିଭାଗୀୟ ଅଧିକାରୀମାନେ ଜଳ ସଂପଦ ବିଭାଗର କାର୍ଯ୍ୟାବଳୀ, ଭୂପୃଷ୍ଠ ଓ ଭୂତଳ ଜଳ ସମ୍ପଦ, ବୃହତ୍ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଭୂତଳ ଜଳ ବିକାଶ, କମାଣ୍ଡ ଏରିଆ ବିକାଶ, ବର୍ଷୱାରୀ ଜଳସେଚନ ସଫଳତା, ସୃଷ୍ଟି ହୋଇଥିବା ଓ ପ୍ରସ୍ତାବିତ ସେଚନ କ୍ଷମତା, ଭିତ୍ତିଭୂମି ବିକାଶ ପଦକ୍ଷେପ, ଜଳବାୟୁ ସହନଶୀଳ ବ୍ୟବସ୍ଥା, ୨୦୪୭ ରୋଡମ୍ୟାପ୍ ଏବଂ ଭବିଷ୍ୟତ ଯୋଜନା ସମ୍ପର୍କରେ ବିସ୍ତୃତଭାବେ ଉପସ୍ଥାପନ କରିଥିଲେ।
ରାଜ୍ୟ ବଜେଟ୍ରେ ଜଳ ସମ୍ପଦ ବିଭାଗ ପାଇଁ ୧୪,୫୦୦ କୋଟି ଟଙ୍କା ବ୍ୟୟବରାଦ କରିଥିବାରୁ ରାଜ୍ୟପାଳ ସନ୍ତୋଷ ପ୍ରକାଶ କରିଛନ୍ତି। ମତ୍ସ୍ୟଚାଷ ବିକାଶ ମୁଖ୍ୟତଃ ମତ୍ସ୍ୟ ବିଭାଗର ଅଧୀନରେ ଥିଲେ ମଧ୍ୟ, ଜଳ ଉପଲବ୍ଧତା ସୁନିଶ୍ଚିତ କରି ଜଳ ସମ୍ପଦ ବିଭାଗ ଏଥିରେ ସହାୟକ ଭୂମିକା ନିଭାଇପାରିବ ବୋଲି ରାଜ୍ୟପାଳ ମତ ପ୍ରକାଶ କରିଥିଲେ। ହାତକୁ ନିଆଯାଇଥିବା ଜଳସେଚନ ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାପ୍ତ ହେବା ଉପରେ ଗୁରୁତ୍ୱାରୋପ କରି ରାଜ୍ଯପାଳ କହିଥିଲେ ଯେ, ଏହା ଦ୍ୱାରା କୃଷକ ଓ ଗ୍ରାମୀଣ ଗୋଷ୍ଠୀ ମାନେ ସର୍ବାଧିକ ଲାଭ ପାଇପାରିବେ। ଏହି ବୈଠକରେ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ବିଭାଗର ବରିଷ୍ଠ ଅଧିକାରୀମାନେ ଏବଂ ଲୋକସେବା ଭବନର ଅଧିକାରୀ ଉପସ୍ଥିତ ଥିଲେ।














