ନିଯୁକ୍ତି ପରୀକ୍ଷାରେ ଅନିୟମିତତା ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଆଜି ସନ୍ଧ୍ୟାରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଅନେକ ବିଭାଗ ଓ କାର୍ଯ୍ୟଶୈଳୀ ଉପରେ ସମୀକ୍ଷା ହୋଇଥିଲା। ଏହି ବୈଠକରେ ୮ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଥିବା ଜଣାପଡ଼ିଛି । ରାଜ୍ୟ ସରକାରଙ୍କ ବିଭିନ୍ନ ନିଯୁକ୍ତି ଏଜେନ୍ସୀ ଦ୍ୱାରା ଆୟୋଜିତ ପରୀକ୍ଷାରେ ଅନିୟମିତତାକୁ ନେଇ ବାରମ୍ବାର ବିବାଦ ଦେଖାଦେବା ପରେ ମୋହନ ମାଝୀ ସରକାର କଠୋର ଆଭିମୁଖ୍ୟ ଆପଣାଇଛନ୍ତି । ଏଣିକି ପରୀକ୍ଷା ପ୍ରକ୍ରିୟାରେ ଅନିୟମିତତା କଲେ ଅପରାଧୀଙ୍କୁ ୩ରୁ ୫ବର୍ଷ ଜେଲଦଣ୍ଡ ସହ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନ ଦେବାକୁ ପଡ଼ିବ । ଏଥିପାଇଁ ଓଡ଼ିଶା ସାର୍ବଜନୀନ ପରୀକ୍ଷା(ଅନୁଚିତ୍ ସାଧନ ନିବାରଣ) ଆଇନ-୨୦୨୪କୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ ଲୋକସେବା ଭବନରେ ଆୟୋଜିତ କ୍ୟାବିନେଟ୍ ବୈଠକରେ ମୋଟ ୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଥିରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ୫ଟି, ସାଧାରଣ ପ୍ରଶାସନ ବିଭାଗର ଗୋଟିଏ ଓ ଜଳସମ୍ପଦ ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବ ରହିଥିବାବେଳେ ବିଧାନସଭା ଅଧିବେଶନ ଆହୂତ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ ମିଳିଛି । ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ରାଜ୍ୟ ସରକାରୀ ଚାକିରି ଚୟନ ପରୀକ୍ଷାରେ ପାରଦର୍ଶିତା ଆଣିବା ପାଇଁ ‘ଓଡ଼ିଶା ସାର୍ବଜନୀନ ପରୀକ୍ଷା(ଅନୁଚିତ୍ ସାଧନ ନିବାରଣ) ଆଇନ-୨୦୨୪’କୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି), ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ, ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ ଆୟୋଗ, ସର୍ଭିସ ସିଲେକ୍ସନ ବୋର୍ଡ, ଓଡ଼ିଶା ପୁଲିସ ସିଲେକ୍ସନ ବୋର୍ଡ, ଓଡ଼ିଶା ଶିକ୍ଷା(ରାଜ୍ୟ ପାଇଁ ସିଲେକ୍ସନ ବୋର୍ଡ) ରୁଲସ-୧୯୯୨, ଓଡ଼ିଶା ଜେଇଇ ସମେତ ରାଜ୍ୟ ସରକାରଙ୍କ ଦ୍ୱାରା ନିୟୋଜିତ କିମ୍ବା ଗଠିତ ଚୟନ କମିଟି/ଏଜେନ୍ସୀ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତି ଏଜେନ୍ସୀ ଦ୍ୱାରା ପରିଚାଳିତ ସମସ୍ତ ସରକାରୀ ପରୀକ୍ଷା ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ପାରଦର୍ଶୀ କରିବାକୁ ଏହି ନୂଆ ଆଇନ ଅଣାଯାଇଛି । ଏହି ବିଲକୁ ଆସନ୍ତା ଶୀତ ଅଧିବେଶନରେ ବିଧାନସଭାରେ ପାରିତ କରିବାରକୁ ସରକାର ଲକ୍ଷ୍ୟ ରଖିଛନ୍ତି ।
ଏଥିରେ ୫ଟି ମତ୍ସ୍ଯ ଓ ପ୍ରାଣୀ ସମ୍ପଦ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନାରେ ୫ବର୍ଷରେ ଖର୍ଚ୍ଚ ହେବ ୧୦୩୧ କୋଟି । ୩ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ । ୫ଲକ୍ଷ ଅଣ୍ଡା ପ୍ରତିଦିନ ଉତ୍ପାଦନ ହେବ । ୯୫.୫୮ ମେଟ୍ରିକ ଟନ କୁକୁଡ଼ା ମାଂସ ଉତ୍ପାଦନ ହେବ । ମତ୍ସ୍ୟ କ୍ଷେତ୍ରରେ ଭିତ୍ତିଭୂମି ସୃଦୁଢ ପାଇଁ ୩ ବର୍ଷ ପାଇଁ ୪୪୯ କୋଟି ଟଙ୍କା ଖର୍ଚ୍ଚ ହେବ । ଗୋମାତା ନାଁରେ ଯୋଜନା ଆସିବ । ୩ ବର୍ଷ ପାଇଁ ୩୪୨ କୋଟି ଟଙ୍କା ଖର୍ଚ୍ଚ ହେବ । ବାର୍ଷିକ ୨.୫ କୋଟି ଭ୍ୟାକ୍ସିନ, ୧.୩୦ କୋଟି ପ୍ରାଣୀଧନ ଚିକିତ୍ସା କରାଯିବ ବୋଲି କ୍ଯାବିନେଟରେ ନିଷ୍ପତ୍ତି ହୋଇଛି । ଜଳ ସମ୍ପଦ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକ୍ରମରେ ୯୬୫୨ କୋଟି ବ୍ୟୟବରାଦକୁ କ୍ୟାବିନେଟ ଅନୁମୋଦନ କରିଛି । ଏହି କାର୍ଯ୍ୟକ୍ରମରେ ୬୪୩୫ ହେକ୍ଟର ସେଚ ଅଞ୍ଚଳ ଏବଂ ୧ଲକ୍ଷ ୫୮ହଜାର ହେକ୍ଟର ଅତିରିକ୍ତ ସେଚ ଜଳ ସୃଷ୍ଟି କରାଯିବ । ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଧେୟକ-୨୦୨୪ ପ୍ରଣୟନକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି । କୌଣସି ସରକାରୀ ପରୀକ୍ଷା ପ୍ରକ୍ରିୟାରେ ବ୍ୟାଘାତ କିମ୍ବା ଚଞ୍ଚକତା କଲେ ରହିବ ଦଣ୍ଡ ବିଧାନ । ୩ ରୁ ୫ ବର୍ଷ ଜେଲ ସହ ୧୦ ଲକ୍ଷ ଜୋରିମାନା ରାଶି ଦେବାକୁ ହେବ । ସେବା ପ୍ରଦାନକାରୀକୁ ୧ କୋଟି ପର୍ଯ୍ୟନ୍ତ ଜୋରିମାନା ହୋଇପାରେ ।
ଏହି ‘ଓଡ଼ିଶା ପବ୍ଲିକ ଏକ୍ସଜାମିନେସନ(ପ୍ରିଭେନ୍ସନ୍ ଅଫ ଅନଫେୟାର ମିନସ) ଆକ୍ଟ-୨୦୨୪’ କାର୍ଯ୍ୟକ୍ଷମ ହେଲେ, ସରକାରୀ ଚାକିରି ପାଇଁ ଚୟନ ପରୀକ୍ଷାରେ ବିଭିନ୍ନ ପ୍ରକାରର ଅନ୍ୟାୟ ଯଥା ମିଥ୍ୟା ପରିଚୟ ପ୍ରଦାନ, ନିର୍ଦ୍ଧାରିତ ସମୟ ପୂର୍ବରୁ ପରୀକ୍ଷା ସଂକ୍ରାନ୍ତ ସୂଚନା ଲିକ୍, ପରୀକ୍ଷା ହଲ୍ ଭିତରକୁ ଅନଧିକୃତ ଲୋକଙ୍କ ପ୍ରବେଶ ନିଷେଧ ତଥ୍ୟା ବ୍ୟାଘାତ ସୃଷ୍ଟି ଆଦିକୁ ରୋକିବା ସହ ପରୀକ୍ଷାର ଅଖଣ୍ଡତା ବଜାୟ ରଖିବା ପାଇଁ ଏହି ବିଲ୍ ଅଣାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହି ଆଇନରେ ସମସ୍ତ ଅପରାଧ, ଜାମିନବିହୀନ ଓ ରଫାଅଯୋଗ୍ୟ ହେବ । କୌଣସି ବ୍ୟକ୍ତି ପରୀକ୍ଷାରେ ଅନୁଚିତ୍ ଉପାୟ ଓ ଅପରାଧ କଲେ ତାଙ୍କୁ ୩ରୁ ୫ବର୍ଷ ଜେଲ୍ ଦଣ୍ଡ ଓ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନାରେ ଦଣ୍ଡିତ କରାଯିବ । ସେବାପ୍ରଦାନକାରୀ ମଧ୍ୟ ଏକକୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନାରେ ସହ ଦଣ୍ଡିତ ହେବେ ଓ ଆନୁପାତିକ ପରୀକ୍ଷା ଖର୍ଚ୍ଚ ମଧ୍ୟ ତାଙ୍କଠୁ ଆଦାୟ କରାଯିବ । ଜୋରିମାନା ପଇଠରେ ବିଫଳ ହେଲେ ଭାରତୀୟ ନ୍ୟାୟ ସଂହିତା-୨୦୨୩ର ବ୍ୟବସ୍ଥା ଅନୁସାରେ ଅତିରିକ୍ତ ଜେଲ୍ ଦଣ୍ଡ ଲାଗୁ କରାଯିବ ବୋଲି ଏଥିରେ ବ୍ୟବସ୍ଥା ରହିଛି ।
ସୂଚନାଯୋଗ୍ୟ, ରାଜ୍ୟର ବିଭିନ୍ନ ସରକାରୀ ନିଯୁକ୍ତି ଏଜେନ୍ସୀ ଦ୍ୱାରା କରାଯାଉଥିବା ପରୀକ୍ଷାରେ ଅନିୟମିତତାକୁ ନେଇ ବାରମ୍ବାର ଅଭିଯୋଗ ହେବା ସହ ପରୀକ୍ଷାର୍ଥୀମାନେ ରାଜରାସ୍ତାରେ ବିରୋଧ ପ୍ରଦର୍ଶନ କରିଆସୁଥିଲେ । ଏବେ ମୋହନ ସରକାର ଏଭଳି ଆଇନ ଆଣି ପରୀକ୍ଷାରେ ଅନିୟମିତତା ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇବାକୁ ପ୍ରୟାସ କରିଥିବା ଜଣାପଡ଼ିଛି ।














