ପାରାଦୀପ: ପାରାଦୀପ ବନ୍ଦର ୩ ନଂ ଗେଟ୍ ଆଗରେ ମଙ୍ଗଳବାର ରାତି ୯ ଟାରୁ ଚାଲିଥିବା ଧାରଣା ବୁଧବାର ମଧ୍ୟାହ୍ନ ୧୨ଟା ବେଳେ ହଟିଛି।ଟ୍ରେନ ଚାପାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ଆଇପିଆରସିଏଲ (ଇଣ୍ଡିଆନ ପୋର୍ଟ ରେଲୱେ କର୍ପୋରେସନ ଲିମିଟେଡ଼)କମ୍ପାନୀ ୧୭ ଲକ୍ଷ ଟଙ୍କା, ଶତ୍କାର ପାଇଁ ୨୦ ହଜାର ଟଙ୍କା ଦେବାପାଇଁ ନିଷ୍ପତ୍ତି ହେବାପରେ ଧାରଣା ଟଳିଥିଲା।ଏହାବାଦ୍ ବନ୍ଦର ବୀମା ଅର୍ଥ, ଇପିଏଫ ଅର୍ଥ ଓ ଅନ୍ୟ ସୁବିଧା ବାବଦକୁ ପ୍ରାୟ ୪୫ ରୁ ୪୭ ଲକ୍ଷ ଟଙ୍କା ମୃତକଙ୍କ ପରିବାର ପାଇବେ ବୋଲି ଆନ୍ଦୋଳନ ନେତୃତ୍ୱ ନେଉଥିବା ପାରାଦୀପ ମଜଦୂର ସଂଘ ସଂପାଦକ ଅଭିମନ୍ୟୁ ବେହେରା କହିଛନ୍ତି।ସୂଚନାଯୋଗ୍ୟ ଗତ ରବିବାର ଭୋରୁ ଆଇପିଆରସିଏଲ ଠିକାସଂସ୍ଥା ଅଧିନରେ କାମ କରୁଥିବା ଶ୍ରମିକ ସତ୍ୟସୁବ୍ରତ ଦଳାଇ ବନ୍ଦର ନିଷିଦ୍ଧାଞ୍ଚଳରେ ଇଞ୍ଜିନ ବଗି ଯୋଡିବା ସମୟରେ ଚାପି ହୋଇ ଯାଇଥିଲେ।ଏଥିରେ ସେ ଗୁରୁତର ଆହତ ହୋଇଥିଲେ।କଟକ ବଡ ମେଡ଼ିକାଲରେ ଚିକିତ୍ସାଧିନ ସମୟରେ ମଙ୍ଗଳବାର ସନ୍ଧ୍ୟାରେ ମୃତ୍ୟୁ ହୋଇଥିଲା।ମୃତକଙ୍କ ଘର କୁଜଙ୍ଗ ଥାନା ଅନ୍ତର୍ଗତ ନବାଡିଆ ଗ୍ରାମରେ।ମୃତଦେହକୁ ଗାଁ ଲୋକ ଆଣି ବନ୍ଦର ୩ ନଂ ଗେଟ୍ ଆଗରେ ରଖି ଧାରଣା ଦେଇଥିଲେ।ଫଳରେ ଯାତାୟାତ ପ୍ରଭାବିତ ହୋଇଥିଲା।ରାତିରେ ଆଲୋଚନା ବିଫଳ ହୋଇଥିଲା ବୁଧବାର ସକାଳୁ ଅଧିକ ଲୋକ ଆସି ୩ ନଂ ଗେଟ୍ ସହିତ ୨ ନଂ ଗେଟ୍ ଆଗରେ ବସିଥିଲେ।ଫଳରେ ବନ୍ଦର ଅପରେସନ ଏକପ୍ରକାର ବନ୍ଦ ଅବସ୍ଥାରେ ପହଞ୍ଚି ଯାଇଥିଲା।ପରେ ବନ୍ଦର ପ୍ରଶାସନିକ ଅଧିକାରୀ, କମ୍ପାନୀ କର୍ତ୍ତୃପକ୍ଷ, ୟୁନିୟନ କର୍ମକର୍ତ୍ତା, ଗାଁ ଲୋକେ ବସି ଆଲୋଚନା କରି ଉପରୋକ୍ତ ନିଷ୍ପତ୍ତି ନେଇଥିଲେ।ପୂର୍ବରୁ ବନ୍ଦର ମଧ୍ୟରେ ଏଭଳି ଦୀର୍ଘ ସମୟ ଧାରଣା ହୋଇ ନ ଥିଲା।ଏବେର ସରକାର ଆସିଲା ପରେ ଏମିତି ଦୁଇଥର ହେଲାଣି।