ଭୁବନେଶ୍ବର:ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶାଖାପାଟଣାରେ ଏନଟିପିସିର ଅତ୍ୟାଧୁନିକ ଗ୍ରୀନ ହାଇଡ୍ରୋଜେନ ହବ୍ ପ୍ରକଳ୍ପର ଶିଳାନ୍ୟାସ କରିବା ପରେ ସେଠାରୁ ଭୁବନେଶ୍ବର ଆସି ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ପହଞ୍ଚି ସାରିଥିବାରୁ ବିମାନ ବନ୍ଦରରୁ ରାଜଭବନ ରାସ୍ତାର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି। ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଏକାମ୍ର ବିଧାୟକ ବାବୁ ସିଂ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଆଜି ପ୍ରଧାନମନ୍ତ୍ରୀ ରାଜଭବନରେ ରାତ୍ରି ଯାପନ କରିବେ। ଆସନ୍ତାକାଲି ସକାଳେ ଜନତା ମୈଦାନରେ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ। ସକାଳ ୧୦ଟାରୁ ସାଢେ ୧୧ଟା ଯାଏ ମୋଦି ଜନତା ମୈଦାନରେ ରହିବା କାର୍ଯ୍ୟକ୍ରମ ରହିଛି। ପରେ ସେ ଦିଲ୍ଲୀ ଫେରିଯିବେ।
ଏପଟେ ଭୁବନେଶ୍ୱରରେ ପ୍ରବାସୀ ମହାକୁମ୍ଭର ଭବ୍ୟ ଶୁଭାରମ୍ଭ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସମ୍ମିଳନୀର ପ୍ରଥମ ଦିନରେ ଯୁବ ପ୍ରବାସୀ ଭାରତୀୟ ଦିବସର ଉଦଘାଟନ କରିଛନ୍ତି। ସ୍ୱାଗତ ଭାଷଣରେ ଭାରତ ବିକାଶରେ ପ୍ରବାସୀଙ୍କ ଭାଗିଦାରୀ ବଢେଇବାକୁ ଆହ୍ୱାନ ଦେଇଥିଲେ ମାଣ୍ଡଭ୍ୟ। ବିଶେଷ କରି ଦେଶ ବିଦେଶରେ ଯୁବ ନେତୃତ୍ୱର ବିକାଶ ଏବଂ ଏକ ଲକ୍ଷ ଯୁବ ନେତୃତ୍ୱ ତିଆରି ପାଇଁ ପ୍ରଧାନମନ୍ତ୍ରୀଙ୍କ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।














