କଟକ : ୧୬ ନମ୍ବର ଜାତୀୟ ରାଜପଥର ଧର୍ମଶାଳା ଥାନା ଅନ୍ତର୍ଗତ ବାରବାଟୀ ବଜାର ନିକଟରେ ଗତକାଲି ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଓଭରବ୍ରିଜ୍ ତଳକୁ ଏକ ବସ୍ ଖସିପଡ଼ିବାରୁ ସେଥିରେ ଥିବା ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଊର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ କଟକ ବଡମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କୁ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥାକୁ ସୁନିଶ୍ଚିତ କରିଛନ୍ତି ରାଜ୍ୟ ସରକାର । ପ୍ରତି ମୃତକଙ୍କ ପରିବାରକୁ ନବୀନ ସରକାର ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଥିବାବେଳେ ସେମାନଙ୍କ ଚିକିତ୍ସା ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଛି ।
ଅନ୍ୟପଟେ ଆଜି ଭୋରୁ 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଏସସିବି ମେଡିକାଲ କାଜୁଆଲଟିରେ ପହଞ୍ଚି ଆହତଙ୍କୁ ଭେଟିବା ସହ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। କାଜୁଆଲଟିରେ ବର୍ତ୍ତମାନ ୪୬ ଆହତ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ସମ୍ବେଦନଶୀଳ ଥିବାରୁ ସେମାନଙ୍କୁ ଟ୍ରମା ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି। ଅନ୍ୟ ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି।
5T ଅଧ୍ୟକ୍ଷଙ୍କୁ ଆହତ ମାନେ ଉତ୍ତମ ଚିକିତ୍ସା ପାଉଥିବା ନେଇ ଅବଗତ କରିବା ସହିତ ଦେଖିବାକୁ ଆସିଥିବାରୁ ଭାବବିହ୍ବଳ ହୋଇପଡ଼ିଥିଲେ। ସମସ୍ତଙ୍କୁ ଧୈର୍ଯ୍ୟ ଧରିବା ପାଇଁ କହିବା ସହିତ ଚିକିତ୍ସାରେ ନିୟୋଜିତ ଡାକ୍ତରୀ ଟିମଙ୍କୁ ଧନ୍ୟବାଦ ଜଣାଇଥିଲେ ୫ଟି ଅଧ୍ୟକ୍ଷ। ସମସ୍ତ ଆହତଙ୍କୁ ମାଗଣା ଚିକତ୍ସା ସେବା ସହିତ ମେଡିସିନ ଓ ଅନ୍ୟାନ୍ୟ ସୁବିଧା କରିବାକୁ ନିର୍ଦେଶ ଦେଇଛନ୍ତି। ଏହି ସମୟରେ ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ୱାଳ, କଟକ ଜିଲ୍ଲାପାଳ ଅରବିନ୍ଦ ଡାକୁଆ, କଟକ ଡିସିପି ପ୍ରକାଶ ଆର, ପରିବହନ କମିଶନର ଅମିତାଭ ଠାକୁର, ଯାଜପୁର ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ, ଏସସିବି ଅଧିକ୍ଷକ ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ ଓ ଯାଜପୁର ଏସ.ପି ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଏନ୍ଏଚ୍-୧୬ର ବାରବାଟୀ ଛକ ନିକଟରେ ଓଭରବ୍ରିଜ୍ରୁ ତଳକୁ ଖସି ପଡ଼ିଛି ଗୋଟିଏ ଯାତ୍ରୀବାହୀ ବସ୍। ‘କାଳିଆନନା’ (ଓଡି-୦୨ବିଜେ ୮୫୯୯) ବସ୍ଟି ପୁରୀରୁ ଆଜି ଦିନ ୪ଟାରୁ ବାହାରିଥିଲା। ଏହା ପଶ୍ଚିମବଙ୍ଗର ହଳଦିଆ ଯିବାର ଥିଲା। ଏଥିରେ ୫୦ରୁ ଅଧିକ ଯାତ୍ରୀଥିଲେ। କିନ୍ତୁ ଅଧା ବାଟରେ ଏପରି ଦୁର୍ଘଟଣା ଘଟିଛି।ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ବ୍ରିଜ୍ ତଳକୁ ଖସି ବସ୍ଟି ଚେପା ହୋଇଯାଇଥିବାରୁ ଯାତ୍ରୀଙ୍କୁ ବାହାରକୁ ଆଣିବା କଷ୍ଟକର ହୋଇଥିଲା। ଖବର ପାଇ କୁଆଖିଆ ଓ ଧର୍ମଶାଳାର ପୁଲିସ, ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ। ୧୬ଟି ଆମ୍ବୁଲାନ୍ସ ପହଞ୍ଚି ଯାତ୍ରୀଙ୍କୁ ଧର୍ମଶାଳା ଡାକ୍ତରଖାନାକୁ ନେଇଥିଲେ। ପରେ ସମସ୍ତଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।