ମୁଖ୍ୟମନ୍ତ୍ରୀଙ୍କ ସହ ପୁରିରେ ଅନୁଷ୍ଠିତ ଜାତୀୟ ସ୍ବାସ୍ଥ୍ୟ ମିଶନ କାର୍ଯ୍ୟକ୍ରମରେ ଯୋଗଦେବେ
ଭୁବନେଶ୍ବର : ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡା । ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ମନ୍ତ୍ରୀ ଜେ.ପି ନଡ୍ଡା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ପକ୍ଷରୁ ଆସନ୍ତା ଫେବ୍ରୁଆରି ୨୮ ଓ ମାର୍ଚ୍ଚ ୧ ତାରିଖରେ ଓଡ଼ିଶାର ପୁରୀଠାରେ ଜନସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାରେ ଉତ୍ତମ ଓ ଅନୁକରଣୀୟ ଅଭ୍ୟାସ ଓ ଉଦ୍ଭାବନ ସମ୍ପର୍କିତ ନବମ ଜାତୀୟ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମାନଜନକ କାର୍ଯ୍ୟକ୍ରମ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ ସେମାନଙ୍କର ଅଭିନବ ଅଭ୍ୟାସ ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଯୋଗାଣ ବୃଦ୍ଧି ଉଦ୍ଦେଶ୍ୟରେ ପ୍ରଭାବଶାଳୀ ରଣନୀତି ପ୍ରଦର୍ଶନ କରିବା ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ।
ନବମ ଜାତୀୟ ଶିଖର ସମ୍ମିଳନୀକୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡା ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ/ପ୍ରମୁଖ ସଚିବ, ମିଶନ ନିର୍ଦ୍ଦେଶକ, ବରିଷ୍ଠ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ନୋଡାଲ ଅଧିକାରୀ (ଏନ୍ଏଚ୍ଏମ୍ ଅଧିକାରୀ) ଏବଂ ମନ୍ତ୍ରଣାଳୟ, ଏନ୍ଏଚ୍ଏସ୍ଆରସି ଏବଂ ଆରଆରସି-ଏନଇର ବରିଷ୍ଠ ପ୍ରତିନିଧିମାନେ ଅଂଶଗ୍ରହଣ କରିବେ।
୨୦୧୩ ମସିହାରେ ଏହାର ଆରମ୍ଭ ପରଠାରୁ ଏହି ଜାତୀୟ ସମ୍ମିଳନୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଜ୍ଞାନ ଆଦାନପ୍ରଦାନ ଏବଂ କ୍ରସ୍-ଲର୍ଣ୍ଣିଂକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବାର୍ଷିକ ପ୍ରୟାସରେ ପରିଣତ ହୋଇଛି। ବର୍ଷ ବର୍ଷ ଧରି, ଏହା ସଫଳତାର ସହ ଅଗ୍ରଣୀ ପଦକ୍ଷେପ ସଂପର୍କିତ ସୂଚନା ପ୍ରସାରଣ କରିଛି ଯାହା ଭାରତର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି । ଏହା ପୂର୍ବରୁ ୨୦୨୨ ମେ’ ମାସରେ ଗୁଜରାଟର କେଭାଡିଆଠାରେ ଚିନ୍ତନ ଶିବିର ସହ ଏହି ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।
ଜାତୀୟ ସ୍ୱାସ୍ଥ୍ୟସେବା ଇନୋଭେସନ ପୋର୍ଟାଲ (ଏନଏଚଆଇଏନପି) ମାଧ୍ୟମରେ ସେମାନଙ୍କର ସର୍ବୋତ୍ତମ ଅଭ୍ୟାସ ଏବଂ ଉଦ୍ଭାବନ ଦାଖଲ କରିବାକୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ପ୍ରଦାନ ସହ ୨୦୨୩ ଡିସେମ୍ବରରେ ଚଳିତ ବର୍ଷର ଶିଖର ସମ୍ମିଳନୀ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଟ୍ରାୟାଲ ଏବଂ ଡୁପ୍ଲିକେଟ ଏଣ୍ଟ୍ରିକୁ ମିଶାଇ ସମୁଦାୟ ୧୬୫ଟି ଏଣ୍ଟ୍ରି ଦାଖଲ କରାଯାଇଥିଲା। ଜେଏସ୍ (ପଲିସି)ର ଅଧ୍ୟକ୍ଷତ୍ୱରେ କାର୍ଯ୍ୟକ୍ରମ ବିଭାଜନକୁ ନେଇ ଏକ କଠୋର ସମୀକ୍ଷା ପ୍ରକ୍ରିୟା ଏବଂ ଚୂଡ଼ାନ୍ତ ଆକଳନ ପରେ ଶିଖର ସମ୍ମିଳନୀ ପାଇଁ ମୌଖିକ ଉପସ୍ଥାପନା ଏବଂ ପୋଷ୍ଟର ଚୟନ ଚୂଡ଼ାନ୍ତ ହୋଇଥିଲା।














