ଭଦ୍ରକ: ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଯାଜପୁର ଜଳସେଚନ ବିଭାଗ ଅଧୀନରେ ଥିବା ଭଦ୍ରକ ଜିଲାର ଧୁଷୁରୀ ଜଳସେଚନ ବିଭାଗର ଅବସରପ୍ରାପ୍ତ କନିଷ୍ଠ ଯନ୍ତ୍ରୀ ବ୍ୟୋମକେଶ ଦାଶ ଓ ତାଙ୍କ ପତ୍ନୀଙ୍କୁ ବେଆଇନ୍ ସଂପତି ଠୁଳ ମାମଲାରେ ଦଣ୍ଡ ହୋଇଛି। ଭିଜିଲାନ୍ସ ବିଭାଗ କଟକର ନିର୍ଦ୍ଦେଶକଙ୍କ ପ୍ରେସ୍ ନୋଟ୍ ମୂଳେ ଦିଆଯାଇଥିବା ସୂଚନା ଅନୁସାରେ ଆଜି ବ୍ୟୋମକେଶ ଦାଶ ଓ ତାଙ୍କ ପତ୍ନୀ ବିଜୟାଲକ୍ଷ୍ମୀ ଦାଶଙ୍କୁ ଭିଜିଲାନ୍ସ ବିଭାଗ କେଶ୍ ନଂ ୟୁ.ଏସ୍. ୧୩(୨),ଆର/ଡବ୍ଲ୍ୟୁ, ୧୩(୧) (ଇ) ପିସି ଆକ୍ଟ ୧୯୮୮ ମୂଳେ ଅନୁପଯୁକ୍ତ ସଂପତି ଠୁଳ କାରଣରୁ ମକଦ୍ଦମା ରୁଜୁ ହୋଇଥିଲା। ଭୁବନେଶ୍ୱର ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ବିଚାରପତି ଆଜି ଶ୍ରୀ ଦାଶଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ କଠୋର କାରାଦଣ୍ଡ ଦେବା ସହ ୧୦ ହଜାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟତମ ଦୋଷୀ ଭାବେ ତାଙ୍କ ପତ୍ନୀ ବିଜୟାଲକ୍ଷ୍ମୀ ଦାଶ ଉପସ୍ଥିତ ନଥିବାରୁ ଦଣ୍ଡର ଶୁଣାଣି ପାଇଁ ମାନ୍ୟବର କୋର୍ଟଙ୍କ ସମ୍ମୁଖରେ ଏନ୍ବିଡବ୍ଲ୍ୟୁ ଜାରି କରାଯାଇଛି। ଏବଂ ଏଥିପାଇଁ ଶ୍ରୀ ଦାଶଙ୍କ ପେନସନ ବନ୍ଦ ରଖାଯାଇଛି। ଏହି ଘଟଣାରେ ତଦନ୍ତକାରୀ ଅଧିକାରୀ ଭିଜିଲାନ୍ସ ବିଭାଗର ପୂର୍ବତନ ଇନ୍ସିପେକ୍ଟର ପି. ନାୟକ, ଭିଜିଲାନ୍ସ ବିଭାଗର ପିପି ହେମନ୍ତ କୁମାର ସ୍ୱାଇଁ ମାମଲା ପରିଚାଳନା କରୁଥିଲେ।














