ସୁଭଦ୍ରା ଯୋଜନାର ସଫଳତା ପାଇଁ ଦୀପ ଜାଳନ୍ତୁ: ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଲା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ୫ମ ପର୍ଯ୍ୟାୟ ଟଙ୍କା । ମହିଳାଙ୍କ ବ୍ୟାଙ୍କ୍ ଖାତାକୁ ସିଧାସଳଖ ୫ ହଜାର ଟଙ୍କା ପଠାଯାଇଛି । ଆଜି ପଞ୍ଚମ ପର୍ଯ୍ୟାୟରେ ଆଉ ୨ ଲକ୍ଷ ୩୦ ହଜାରରୁ ଅଧିକ ନୂଆ ହିତାଧିକାରୀଙ୍କୁ ପ୍ରଦାନ କରାଗଲା ଅର୍ଥରାଶି । ମହିଳା ଓ ଶିଶୁ ବିକାଶ ସମ୍ମିଳନୀ କକ୍ଷରୁ ଆବାସୀ ମାଧ୍ୟମରେ ଟଙ୍କା ବାଣ୍ଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଏଥିସହ ଆଜି ସୁଦ୍ଧା ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା କୋଟିଏ ପାର କରିଛି । ସୁଭଦ୍ରା ସଫଳତାକୁ ନେଇ ଅଙ୍ଗନବାଡି କର୍ମୀଙ୍କୁ ୧୫ଶହ ଟଙ୍କା ଏବଂ ସହାୟିକା ମାନଙ୍କୁ ୫ଶହ ଟଙ୍କା ଦିଆଯିବ ବୋଲି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ତେବେ ଅନ୍ୟପଟେ ଆଉ ଦିନକ ପରେ ଅର୍ଥାତ୍ ମାର୍ଚ୍ଚ ୮ ତାରିଖରେ ଆନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରା ଯୋଜନାରେ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ । ବ୍ରହ୍ମପୁରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୨ୟ କିସ୍ତି ଟଙ୍କା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ସୁଭଦ୍ରା ସହାୟତା ରାଶି ୧କୋଟିରୁ ଉର୍ଦ୍ଧ୍ଵ ମହିଳାଙ୍କ ନିକଟରେ ପହଞ୍ଚାଇବାରେ ଅଙ୍ଗନବାଡି କର୍ମୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି l ‘ସୁଭଦ୍ରା’ ଫର୍ମକୁ ଘରେ ଘରେ ପହଞ୍ଚାଇବା ପାଇଁ ପ୍ରତି ଅଙ୍ଗନବାଡି କର୍ମୀଙ୍କୁ ୧୫ ଶହ ଓ ସହାୟିକାଙ୍କୁ ୫ ଶହ ଟଙ୍କା ପ୍ରୋତ୍ସାହନ ରାଶି ଦିଆଯିବ l ସୁଭଦ୍ରା ପ୍ଲସ ଜରିଆରେ କେବଳ ସହାୟତା ରାଶି ନୁହେଁ ବରଂ ମହିଳାଙ୍କୁ ଟ୍ରେନିଂ ଦେବା, ସ୍କିଲ ବଢାଇବା ଏବଂ ତାଙ୍କ ନିର୍ମିତ ଉତ୍ପାଦର ବିକ୍ରି ପାଇଁ ବଜାର ବ୍ୟବସ୍ଥା କରିବା ସହ ସଶକ୍ତ ଓଡ଼ିଶା ଗଠନ ପାଇଁ ବହୁ ଲକ୍ଷପତି ଦିଦି ସୃଷ୍ଟି କରାଯିବ। ପ୍ରତି ଗାଁରେ ୫ ଜଣ ଲେଖାଏଁ ଲକ୍ଷପତି ଦିଦି ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଛି l ଖୁବ କମ ସମୟ ମଧ୍ୟରେ ସଫଳତାର ସହ ‘ସୁଭଦ୍ରା’କୁ ଘରେ ଘରେ ପହଞ୍ଚାଇବା ପାଇଁ ମା’ ସୁଭଦ୍ରା ଆମକୁ ଯେଉଁ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରିଛନ୍ତି ସେଥି ନିମନ୍ତେ ଆସନ୍ତା କାଲି ୭ ତାରିଖ ସନ୍ଧ୍ୟାରେ ସୁଭଦ୍ରା ସହାୟତା ପାଇ ଥିବା ହିତାଧିକାରୀମାନେ ମା’ସୁଭଦ୍ରାଙ୍କ ଆଶୀର୍ବାଦ ପାଇଁ ଗୋଟିଏ ଗୋଟିଏ ଦୀପ ଜାଳିବା ପାଇଁ ଅନୁରୋଧ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।