ଭୁବନେଶ୍ବର : ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଲଘୁଚାପ। ଗତକାଲିର ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ ଆଜି ଦକ୍ଷିଣପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା ଆଗାମୀ ୨୪ ଘଣ୍ଟା ଯାଏଁ ନିଜର ତୀବ୍ରତା ବଜାୟ ରଖିବା ସହ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଉତ୍ତର ଉତ୍ତରପଶ୍ଚିମ ଦିଗରେ ଗତିକରିବାର ସମ୍ଭାବନା ରହିଛି, ପରବର୍ତ୍ତୀ ୨୪ ଘଣ୍ଟାରେ ଗତିର ଦିଗ ପରିବର୍ତ୍ତନ ସହ ଉତ୍ତର ଉତ୍ତରପୂର୍ବ ଦିଗରେ ଗତିକରି କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଧୀରେ ଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡ଼ିଶାରେ ଆଗାମୀ ୩ ଦିନ ଯାଏଁ ବର୍ଷା ଘଡଘଡି ବିଜୁଳି ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।
ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ସଞ୍ଜୀବ ଦ୍ବିବେଦୀ କହିଛନ୍ତି ବାଦଲମୟ ଆକାଶ ପାଇଁ ଖରାର ପ୍ରକୋପ ଟିକେ କମ୍ ରହିଛି । ଆଜି ଉପକୂଳ ଓଡ଼ିଶା ସହ ମୟୂରଭଞ୍ଜ କେଉଁଝର ଜିଲ୍ଲାର ବିଚ୍ଛିନ୍ନ ଅଞ୍ଚଳରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ଼ ଅନୁଗୁଳ ରାୟଗଡ଼ା ଢେଙ୍କାନାଳ କୋରାପୁଟ ଜିଲ୍ଲା ମାନଙ୍କରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।
ସେପଟେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଲଘୁଚାପ ଦକ୍ଷିଣ ପଶ୍ଚିମ ଦିଗରେ ଗତି କରି ୯ ତାରିଖ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିବ। ଏହା ଉତ୍ତର ଦିଗକୁ ଗତି କରି ୧୦ରେ ଓଡ଼ିଶା ଉପକୂଳଠାରୁ ଦୂରରେ ସମୁଦ୍ରରେ ରହିବ। ୯ ଓ ୧୦ ତାରିଖରେ ଏହା ଅବପାତର ରୂପ ନେବାର ସମ୍ଭାବନା ରହିଛି। ଯଦିଓ ଏହି ଲଘୁଚାପର ପ୍ରଭାବ ସିଧା ଓଡ଼ିଶା ଉପରେ ପଡ଼ିବ ନାହିଁ; କିନ୍ତୁ ଏହା ଦ୍ୱାରା ରାଜ୍ୟକୁ ସାମୁଦ୍ରିକ ପବନ ବହିବ ଓ ଏହା ପଶ୍ଚିମା ବାୟୁ ସହିତ ମିଶିବ। ଏହା ପ୍ରଭାବରେ ଉପକୂଳ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାମାନଙ୍କରେ ମଝିରେ ମଝିରେ କାଳବୈଶାଖୀ ଜନିତ ବର୍ଷା ହେବ।
୧୦ ତାରିଖରେ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା, ୧୩ ତାରିଖରୁ ୧୫ ତାରିଖ ମଧ୍ୟରେ ଉତ୍ତର-ଉପକୂଳ ଓ ସଂଲଗ୍ନ ଯାଜପୁର, କେନ୍ଦୁଝର, ମୟୂରଭଞ୍ଜରେ ସ୍ୱଳ୍ପ ଓ କେତେକ ସ୍ଥାନରେ ମଧ୍ୟମ ବର୍ଷା, ୧୬ ଓ ୧୭ରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇପାରେ। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଓ ମୟୂରଭଞ୍ଜରେ ଅପେକ୍ଷାକୃତ ଅଧିକ ବର୍ଷା ହେବା ବେଳେ ଦକ୍ଷିଣ ଆଭ୍ୟନ୍ତରୀଣରେ କାଁ ଭାଁ ବର୍ଷା ହୋଇପାରେ। ୮-୯ରେ ତାପମାତ୍ରା ୧ ଡିଗ୍ରୀରୁ ୨ ଡିଗ୍ରୀ ଅନେକ ସ୍ଥାନରେ ବଢ଼ି ୧୦ରେ ଅଳ୍ପ କେତେକ ସ୍ଥାନରେ କମିବ। ବଲାଙ୍ଗିର, କଳାହାଣ୍ଡି, ସୋନପୁର ଓ ସୁନ୍ଦରଗଡ଼ରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ। ତେବେ ୧୪ରୁ ସାରା ରାଜ୍ୟରେ ତାପମାତ୍ରା କମିପାରେ। ସୁନ୍ଦରଗଡ଼ ସମେତ ଉତ୍ତର ପଶ୍ଚିମ ଓଡ଼ିଶାରେ ସବୁଠାରୁ ଅଧିକ କମିବ। ଉପକୂଳରେ ଗୁଳୁଗୁଳି ବଡ଼ିବା ସହ ୧୩ ଓ ୧୪ରେ ଉତ୍ତର ଉପକୂଳ ଓ ସଂଲଗ୍ନ ଅଞ୍ଚଳର ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ପଡ଼ିପାରେ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି।