ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କୁ ଆଜି ଭାରତୀୟ ପ୍ରଶାସନିକ ସେବାର ଓଡ଼ିଶା କ୍ୟାଡରର ପ୍ରୋବେସନର ଅଧିକାରୀମାନେ ସାକ୍ଷାତ କରିଛନ୍ତି । ଲୋକସେବା ଭବନସ୍ଥିତ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରେ ୨୦୨୪ ବ୍ୟାଚ୍ର ଏହି ଅଧିକାରୀମାନେ ସାକ୍ଷାତ କରିବା ସହ ବିଭିନ୍ନ ପ୍ରସଙ୍ଗରେ ପଚାରି ବୁଝିଥିଲେ । ପ୍ରଶାସନିକ ବ୍ୟବସ୍ଥାର ବିଭିନ୍ନ ଢାଞ୍ଚା, କାର୍ଯ୍ୟକାରୀ ହେଉଥିବା ଯୋଜନା, କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ ସଂପର୍କରେ ଶ୍ରୀ ଆହୁଜା ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ରାଜ୍ୟର କଳା, ସଂସ୍କୃତି, ଭାଷା-ସାହିତ୍ୟ, ଭାସ୍କର୍ଯ୍ୟ ଆଦି ସଂପର୍କରେ ଜାଣିବାର ନିତାନ୍ତ ଆବଶ୍ୟକତା ରହିଛି । ଓଡ଼ିଶା ଆଜି ପ୍ରତିଟି କ୍ଷେତ୍ରରେ ପ୍ରଗତି ହାସଲ କରିବା ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ କ୍ଷେତ୍ରରେ ଅନେକ ରାଜ୍ୟ ତୁଳନାରେ ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରୁଥିବା ସେ ସୂଚନା ଦେଇଥିଲେ । ଏହି ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ନୂତନ ଅଧିକାରୀମାନେ କାର୍ଯ୍ୟ କରିବା ଉଚିତ । ଏଥି ସହିତ ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ସଚେତନ ରହି ସାମାଜିକ ଦାୟିତ୍ୱବୋଧ ଓ କର୍ତ୍ତବ୍ୟପରାୟଣତାର ପ୍ରଦର୍ଶନ କରିବାକୁ ସେ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ । କୃତ୍ରିମ ବୁଦ୍ଧିମତ୍ତା ଓ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ବିଭିନ୍ନ ସମସ୍ୟାର ସମାଧାନ ଓ ଧାର୍ଯ୍ୟ ଲକ୍ଷ୍ୟ ହାସଲ ଦିଗରେ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ । ତୃଣମୂଳ ସ୍ତରକୁ ଅଧିକାରୀ ଭାବେ ନୁହେଁ ବରଂ ସାଧାରଣ ଲୋକ ଭାବେ ଅଙ୍ଗନବାଡ଼ି କେନ୍ଦ୍ର, ବିଭିନ୍ନ ବିଦ୍ୟାଳୟ, ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସର୍ବସାଧାରଣ ବ୍ୟବହାର କରୁଥିବା ସେବା ସ୍ଥାନକୁ ଯାଇ ଲୋକଙ୍କ ସମସ୍ୟା ଓ ସାମାଜିକ ବିଧିବ୍ୟବସ୍ଥା ସଂପର୍କରେ ଅବଗତ ହୋଇପାରିଲେ ନିଜ କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିବାରେ ସହାୟକ ହେବ । ଏତଦ୍ବ୍ୟତୀତ, ଅଧିକାରୀମାନଙ୍କର ଓଡ଼ିଶା ସଂପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ଓଡ଼ିଶା ଆଜି ଶିଳ୍ପ, ବୟନ, କୃଷି, ଅକ୍ଷୟ ଶକ୍ତି ଆଦି କ୍ଷେତ୍ରରେ ଅଗ୍ରସର ହେଉଥିବାରୁ ଏହି ଧାରାରେ କାର୍ଯ୍ୟ କରିବା ପାଇଁ ଶ୍ରୀ ଆହୁଜା ପରାମର୍ଶ ଦେଇଥିଲେ ।
ଏହା ପୂର୍ବରୁ ଉକ୍ତ ଅଧିକାରୀମାନେ ଉନ୍ନୟନ କମିଶନର ଶ୍ରୀ ଅନୁ ଗର୍ଗଙ୍କୁ ମଧ୍ୟ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ପଚାରି ବୁଝିଥିଲେ । ରାଜ୍ୟରେ ଗରିବୀ ହାରରେ ଦ୍ରୁତ ହ୍ରାସ ହେବା ସହ ବର୍ତ୍ତମାନ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ବିଭିନ୍ନ କ୍ଷେତ୍ର ପାଇଁ ବଜେଟରେ ଅଧିକ ଆର୍ଥିକ ବ୍ୟୟବରାଦ କରାଯାଉଥିବା ଶ୍ରୀମତୀ ଗର୍ଗ ସୂଚନା ଦେଇଥିଲେ । ପ୍ରତ୍ୟେକ ମୁହୂର୍ତ୍ତରେ ଶିଖିବାର ମାନସିକତା ରଖିବା ସହ କାର୍ଯ୍ୟକ୍ଷେତ୍ରରେ ସନ୍ତୁଳିତ ଭାବେ କାର୍ଯ୍ୟ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଏହି ଅବସରରେ ଗୋପବନ୍ଧୁ ଏକାଡେମୀର ଏଡିଜି ଶ୍ରୀ ମନିଷ ଅଗ୍ରୱାଲ ଉପସ୍ଥିତ ଥିଲେ । ଉକ୍ତ ଅଧିକାରୀମାନେ ଗୋପବନ୍ଧୁ ଏକାଡେମୀରେ ତାଲିମ ନେବା ସହ ବିଭିନ୍ନ ଜିଲ୍ଲାରେ କ୍ଷେତ୍ରସ୍ତରୀୟ ଅଭିଜ୍ଞତା ହାସଲ କରୁଛନ୍ତି ।