ଭୁବନେଶ୍ବର : କାଳବୈଶାଖୀ ବର୍ଷାରେ ଭିଜିଲା ଟୁଇନସିଟି । ଭୁବନେଶ୍ବର ଓ କଟକରେ ମଙ୍ଗଳବାର ଅପରାହ୍ନରେ ପବନ ସହ ବର୍ଷା ହୋଇଛି। ସକାଳୁ ତାପମାତ୍ରା ହ୍ରାସ ପାଇବା ସହ ସକାଳୁ ଖରା ସାଙ୍ଗକୁ କୋହଲା ପାଗ ଆଉ ଅପରାହ୍ନ ହେଲେ ପ୍ରବଳ ବର୍ଷା ହେଉଛି।
ସେପଟେ ଆଗାମୀ ୩ ଘଣ୍ଟା ପାଇଁ ୧୨ ଜିଲ୍ଲାକୁ ମଧ୍ୟ କାଳବୈଶାଖୀ ବର୍ଷା ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ, ମୟୁରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ବୌଦ୍ଧ, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ ଜିଲ୍ଲାକୁ ଆଗାମୀ ୩ ଘଣ୍ଟା ପାଇଁ ସତର୍କତା ଜାରି ହୋଇଛି । ଏହି ସବୁ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ୪୦ ରୁ ୫୦ କିମି ପବନ ବହିବା ନେଇ ଜାରି ହୋଇଛି ସତର୍କତା । ଏଥିସହିତ କିଛି ଅଞ୍ଚଳରେ କୁଆପଥର ବର୍ଷା ସମ୍ଭାବନା ମଧ୍ୟ ରହିଛି ।
ଅନ୍ୟପଟେ ରାଜ୍ୟରେ କାଳବୈଶାଖୀ ପ୍ରଭାବ ଆହୁରି ୫ ରୁ ୬ ଦିନ ପର୍ଯ୍ୟନ୍ତ ଜାରି ରହିବ। କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ଏହି ସମୟରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବାକୁ ଥିବା ବେଳେ କିଛି କିଛି ସ୍ଥାନରେ ଘଣ୍ଟା ପ୍ରତି ୪୦ରୁୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହାସହିତ ବର୍ଷାର ପ୍ରଭାବ ମଧ୍ୟ ଅଧିକ ରହିବ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାପାଇଁ ଚେତାବନୀ ଜାରି କରାଯାଇଛି। ବର୍ଷାର ପ୍ରଭାବ ମୁଖ୍ୟତଃ ଉପକୂଳବର୍ତ୍ତୀ ଜିଲ୍ଲାରେ ରହିବାର ସମ୍ଭାବନା ଥିବାରୁ ଏହାଦ୍ୱାରା ଆଗାମୀ ୪ରୁ ୫ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ।














