ଭୁବନେଶ୍ୱର: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆସନ୍ତାକାଲି (ଗୁରୁବାର) ଓଡିଶା ଗସ୍ତରେ ଆସିବେ। ଶ୍ରୀ ଗଡ଼କରୀ ଗୁରୁବାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ। ଫଳରେ ରାଜ୍ୟର ସଡ଼କ ଭିତ୍ତିଭୂମିକୁ ଏକ ବଡ଼ ଧରଣର ପ୍ରୋତ୍ସାହନ ମିଳିବ ବୋଲି ଆଶା କରାଯାଉଛି।
ଦିନିକିଆ ରାଜ୍ୟ ଗସ୍ତରେ ଆସୁଥିବା ଗଡ଼କରୀ ୪ ହଜାର କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିବା ସହ ରାଜ୍ୟରେ ଚାଲିଥିବା ରାଜପଥ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବେ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜୟନ୍ତୀ ଅବସରରେ ସେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଡ. ହରେକୃଷ୍ଣ ମହତାବ ସ୍ମାରକୀ ବକ୍ତୃତାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଶ୍ରୀ ଗଡ଼କରୀ ବରମୁଣ୍ଡା ଯାଇ ପାଖାପାଖି ୩୨୦୦ କୋଟି ଟଙ୍କାର ୧୭ଟି ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ପ୍ରାୟ ୮୨୦ କୋଟି ଟଙ୍କାର ଦୁଇଟି ପ୍ରକଳ୍ପର ଉଦଘାଟନ କରିବେ। ତାଳଚେରରୁ କାମାକ୍ଷାନଗର ଜାତୀୟ ରାଜପଥ-୧୪୯ ଓ ୫୩କୁ ୭୯୫ କୋଟି ଟଙ୍କା ବ୍ୟୟରେ ୪ ଲେନ୍ ଏବଂ ୧୬ ନମ୍ବର ଜାତୀୟ ରାଜପଥର ବାଲିକୁଦା, ଶିଖରପୁର ଓ ବଡ଼ଚଣାଠାରେ ୪୬ କୋଟି ଟଙ୍କାରେ ଅଣ୍ଡର ପାସ ନିର୍ମାଣ କରାଯିବ
୯୭୩ କୋଟି ଟଙ୍କା ବ୍ୟୟରେ ବଅଁରପାଳ-ଗୋଡିବନ୍ଧ ୪ ଲେନ୍ ନିର୍ମାଣ, ୫୯ ନମ୍ବର ଜାତୀୟ ରାଜପଥର ଦାରିଙ୍ଗବାଡ଼ି ଘାଟ ଅଂଶକୁ ୭୧୮ କୋଟି ଟଙ୍କାରେ ପ୍ରଶସ୍ତୀକରଣ, ମଙ୍ଗଳପୁରରୁ କୟାଁଙ୍ଗୋଲା ପର୍ଯ୍ୟନ୍ତ ୧୦ ନମ୍ବର ଜାତୀୟ ରାଜପଥକୁ ୩୭୪ କୋଟି ଟଙ୍କାରେ ପ୍ରଶସ୍ତୀକରଣ ଓ ଜରିମୁଳିକୁ ସଂଯୋଗ କରୁଥିବା ପୂଜାରୀପାଲ୍ଲୀ ଘାଟିରେ ମହାନଦୀ ଉପରେ ୨୭୩.୯୪ କୋଟି ଟଙ୍କାରେ ପୋଲ ନିର୍ମାଣ କରାଯିବ।
ରାଜ୍ୟର ପରିବହନ ଭିତ୍ତିଭୂମିକୁ ସୁଦୃଢ଼ କରିବା, ପଣ୍ୟ ପରିବହନ ବ୍ୟବସ୍ଥାକୁ ସହଜ କରିବା ଏବଂ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଯୋଗାଯୋଗରେ ଉନ୍ନତି ଆଣିବା ଏହି ପ୍ରକଳ୍ପଗୁଡ଼ିକର ଉଦ୍ଦେଶ୍ୟ। ନୂଆ ଭିତ୍ତିଭୂମି ପଦକ୍ଷେପ ସମେତ ସଡ଼କ କ୍ଷେତ୍ର ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ବୋଲି ଶ୍ରୀ ହରିଚନ୍ଦନ ଗଣମାଧ୍ୟମକୁ କହିଛନ୍ତି।