ଜମ୍ମୁ: ଜମ୍ମୁ-କାଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ । ପର୍ଯ୍ୟଟକଙ୍କୁ ଟାର୍ଗେଟ୍ କରି ଆଖିବୁଜା ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ । ଏହି ଆକ୍ରମଣରେ ୨୦ରୁ ଅଧିକ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ଏକାଧିକ ପର୍ଯ୍ୟଟକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆଜି ଦିନ ପ୍ରାୟ ସାଢେ ୨ଟା ସମୟରେ ପହଲଗାମ୍ରେ ଏହି ଭୟଙ୍କର ଆତଙ୍କୀ ହାମ୍ଲା ହୋଇଛି । ଆକ୍ରମଣ ପରେ ସୁରକ୍ଷା ବାହିନୀ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ।
ପହାଲଗାମ ହିଲ୍ ଷ୍ଟେସନଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଛି । ରକ୍ତର ହୋଲି ଖେଳିଛନ୍ତି ଆତଙ୍କବାଦୀ । ଏହି ସମୟରେ କିଛି ପର୍ଯ୍ୟଟକ ସେଠି ଘୋଡା ସବାରି କରୁଥିଲେ । ହଠାତ୍ ଦଳେ ଆତଙ୍କବାଦୀ ସେଠାରେ ପହଞ୍ଚି ପର୍ଯ୍ୟଟକଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲେ । ଆକ୍ରମଣରେ ୨୦ରୁ ଅଧିକ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବାର ଆଶଙ୍କା କରାଯାଉଛି ।
ଏହି ଆତଙ୍କୀ ହାମ୍ଲା ପରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ତେବେ ଏହି ଆକ୍ରମଣ ପାଇଁ ପାକିସ୍ତାନର ଲସ୍କର-ଇ-ତୋଏବା ଆତଙ୍କୀ ସଂଗଠନର ସ୍ଥାନୀୟ ଶାଖା ରେଜିଷ୍ଟାନ୍ସ ଫ୍ରଣ୍ଟ ନିଜକୁ ଦାୟୀ କରିଛି ।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଲଗାମ ଆତଙ୍କୀ ଆକ୍ରମଣକୁ କଡ଼ା ନିନ୍ଦା କରିବା ସହ ଘଟଣା ସମ୍ପର୍କରେ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ସହିତ ଫୋନରେ କଥା ହୋଇଛନ୍ତି । ଏ ଦିଗରେ ଗୃହମନ୍ତ୍ରୀଙ୍କୁ ଉପଯୁକ୍ତ ପଦକ୍ଷେପ ନେବାକୁ ଏବଂ ପହଲଗାମ୍କୁ ଯାଇ ସ୍ଥିତି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେବା ପରେ ଶାହା ପହଲଗାମ୍ ଅଭିମୁଖେ ବାହାରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଯେଉଁମାନେ ଆକ୍ରମଣ କରିଛନ୍ତି ସେମାନଙ୍କୁ ଛଡ଼ା ଯିବନି । ସେମାନଙ୍କ ମନ୍ଦ ଉଦ୍ଦେଶ୍ୟ ସଫଳ ହେବାକୁ ଦିଆଯିବନି । ଆତଙ୍କବାଦ ବିରୋଧୀ ଲଢ଼େଇକୁ ଆହୁରି କଠୋର କରାଯିବ ।’ ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହିତ ଆହତଙ୍କୁ ସମସ୍ତ ପ୍ରକାର ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ସେହିପରି ପୂର୍ବତନ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ପହାଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି । ‘ଏକ୍ସ’ ଜରିଆରେ ପିଡିପି ମୁଖ୍ୟ କହିଛନ୍ତି, ପହାଲଗାମ୍ରେ ପର୍ଯ୍ୟଟକଙ୍କ ଉପରେ ହିଂସା ଆଦୌ ଗ୍ରହଣଯୋଗ୍ୟ ନୁହେଁ ଏବଂ ଏହାର ନିନ୍ଦା କରାଯିବା ଉଚିତ୍ । ସୁରକ୍ଷାରେ ଏଭଳି ତ୍ରୁଟିର ଯାଞ୍ଚ ଆବଶ୍ୟକ ।
କାଶ୍ମୀରର ପ୍ରମୁଖ୍ୟ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ପହଲଗାମ୍ ଅନ୍ୟତମ । ମାର୍ଚ୍ଚରେ ତୁଷାରପାତ ପରେ ହଜାର ହଜାର ସଂଖ୍ୟକ ପର୍ଯ୍ୟଟକ ଏଠାକୁ ବୁଲି ଆସୁଛନ୍ତି । ପର୍ଯ୍ୟଟକମାନେ ପହଲଗାମର ଏକ ପାହଡରେ ଟ୍ରେକିଂ ପାଇଁ ଯାଇଥାନ୍ତି, ଯେଉଁଠାରେ ଏହି ଆତଙ୍କବାଦୀ ଆକ୍ରମଣ ଘଟିଛି ।