ଭୁବନେଶ୍ୱର : ତାଳଚେରରେ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ପୀଡିତାଙ୍କୁ ନ୍ୟାୟ ଦାବିରେ ଆଜି କଣିହାଁ ବ୍ଲକ ବାଲିପସି ପଞ୍ଚାୟତକୁ ଯାଇଥିଲା ବିଜେଡ଼ିର ୫ ଜଣିଆ ମହିଳା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ୨୩ ବର୍ଷୀୟ ଦଳିତ ଯୁବତୀଙ୍କୁ ଏପ୍ରିଲ ୨୬ ତାରିଖରେ ତାଳଚେର ରେଳ ଷ୍ଟେସନ ପାଖରୁ ଅପହରଣ କରି ବଳାତ୍କାର ଓ ହତ୍ୟା କରିବା ପରେ ଏସିଡ୍ ପକାଇ ଶବକୁ ଜଳାଇ ଦେବାର ଜଘନ୍ୟ ନାରକୀୟ କାଣ୍ଡ ଘଟିଥିଲା । ବିଜୁ ଜନତା ଦଳ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଉକ୍ତ ଗ୍ରାମ ଗସ୍ତ କରି ପୀଡିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ, ଅନୁଗୋଳ ଡିଆଇଜି ଏବଂ ଏସ୍ପିଙ୍କୁ ଭେଟି ଘଟଣାର ସଠିକ୍ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଏକ ସ୍ମାରକ ପତ୍ର ପ୍ରଦାନ କରିଛି।
ଏହି ପ୍ରତିନିଧି ମଣ୍ଡଳରେ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ, ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକ, ପୂର୍ବତନ ମହିଳା କମିଶନ ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର, ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତ ସିଂହାର, ଅନୁଗୋଳ ଜିଲ୍ଲା ସଭାପତି ତଥା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପୂର୍ବତନ ଢେଙ୍କାନାଳ ସାଂସଦ ମହେଶ ସାହୁ, ପୂର୍ବତନ ବିଧାୟକ ସୁଶାନ୍ତ ବେହେରା, ମୁକେଶ କୁମାର ପାଳ, ରଜନୀକାନ୍ତ ସିଂ, ରାଜ୍ୟ ମୁଖପାତ୍ରସଂଗ୍ରାମ ମହାପାତ୍ର, କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ଉପାଧ୍ୟକ୍ଷା ଜୟନ୍ତୀ ପ୍ରଧାନ, ଜିଲ୍ଲା ପରିଷଦ ରଞ୍ଜନ ସାହୁ, ବଭୃ ପ୍ରସାଦ ପତି, ସୁଶ୍ରୀ ରିତା ରାଣୀ ଦାସ, ଗୋପାଳ ନାଏକ, ଅନୁଗୁଳ ବ୍ଲକ ରାଜଶ୍ରୀ ସାହୁ, ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ଅନୁଗୋଳ ବାର ଆସୋସିଏସନର ପୂର୍ବତନ ସଭାପତି ଦିଲ୍ଲୀପ ସାହୁ ଓ ଅନ୍ୟାନ୍ୟ ବରିଷ୍ଠ ନେତା ମାନେ ସାମିଲ ଥିଲେ ।
ଘଟଣାକୁ ୧୧ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ହାତ ଖାଲି ଥିବାରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲା ବିଜେଡି ଟିମ । ରାଜ୍ୟ ସରକାର ନାରୀକୁ ସଶକ୍ତ କରିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ଆଜି ସାରା ରାଜ୍ୟରେ ମହିଳା ଦୁଷ୍କର୍ମ ଓ ହତ୍ୟାର ଶିକାର ହେଉଛନ୍ତି । ପୁଲିସ ପୀଡିତା ପରିବାର ଲୋକଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ କିଭଳି ହଇରାଣ କରିଥିଲା ସେ ନେଇ ଆଜି ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଆଲୋଚନା କରିଥିଲା । ଆଗାମୀ ୨୪ ଘଣ୍ଟା ଭିତରେ ପୀଡିତାଙ୍କୁ ନ୍ୟାୟ ନମିଳିଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି ।