ପହଲଗାମରେ ଆତଙ୍କୀ ପୋଛିଥିବା ପ୍ରତିଟି ସିନ୍ଦୂରର ବଦଲା ନେଲା ଭାରତ । ଅପରେସନ୍ ସିନ୍ଦୂରରେ ପାକିସ୍ତାନ ଓ ପିଓକେର ୯ଟି ଆତଙ୍କୀ ଆଡ୍ଡା ସ୍ବାହା । ସାରା ବିଶ୍ବ ଦେଖିଲା ଭାରତ ଉପରକୁ ଆଖି ଉଠାଇ ଦେଖିଲେ, ଶତ୍ରୁକୁ କେମିତି ମିଳେ ମୁହଁତୋଡ଼ ଜବାବ । ଭାରତର ୩ ସେନା ନିଖୁଣ ତାଳମେଳ ରଖି ପ୍ରାୟ ୨୫ ମିନିଟ୍ ଧରି ଜୈସ୍ ଓ ଲସ୍କର ଆଡ୍ଡାରେ ଏୟାରଷ୍ଟ୍ରାଇକ୍ କରିଥିବା ବେଳେ, ଜୈସ୍ ମୁଖ୍ୟ ମସୁଦ ଆଜହରର ୧୦ ପରିବାର ସଦସ୍ୟ ଓ ୪ ସହଯୋଗୀଙ୍କ ସମେତ ବହୁ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ମିଳିଛି ।
ଅନ୍ୟପଟେ ଗତରାତିରେ ଉଜାଗର ରହି ପୂରା ଅପରସେନର ଟିକିନିଖି ଅପଡେଟ୍ ନେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଶତ୍ରୁ ଛାତିରେ ଚଢ଼ି ଭାରତ ନେଲା ପହଲଗାମ୍ ପ୍ରତିଶୋଧ । ପାକିସ୍ତାନ ମାଟିରେ ଭାରତ ପାଳିଲା ଅଦିନିଆ ଦୀୱାଲି । ଧମାଧମ୍ ମିଜାଇଲ୍ ଧମାକା ପରେ ଧୂଆଁ ଧୂଆଁ ପାକିସ୍ତାନ୍ । ସର୍ପ୍ରାଇଜ୍ ଆଟାକରେ ହଜିଗଲା ଆତଙ୍କୀ ଆଡ୍ଡାର ନାମ୍-ଓ-ନିଶାନ୍ । ମଙ୍ଗଳବାର ରାତି ଗୋଟାଏ ୫ ରୁ ଗୋଟାଏ ୩୦ରେ ହୋଇଥିଲା ଅପରେସନ୍ ସିନ୍ଦୂର । ପାକିସ୍ତାନରେ ସେତେବେଳେ ରାତି ୧୨ଟା ୩୫ ହୋଇଥିଲା । କେହି କିଛି ବୁଝିବା ଆଗରୁ ଆକାଶରୁ ଆରମ୍ଭ ହୋଇଗଲା ଅଗ୍ନିବର୍ଷା । କିଏ ଡ୍ରୋନ୍ ଓ ମିଜାଇଲର ଝଲକଟିଏ ଦେଖିଥିଲା, ଆଉ କିଏ ଦେଖିବା ବେଳକୁ ଆକାଶକୁ ଛୁଉଁଥିଲା ବିଶାଳ ଅଗ୍ନିପିଣ୍ଡୁଳା । ଚାରିଆଡ଼େ ହୁଲୁସ୍ତୁଲ, ଧାଁଦୌଡ଼, ଆତଙ୍କୀ ମନରେ ଆତଙ୍କ ।
ଗୋଟିଏ ପଟେ ପାକିସ୍ତାନ ଓ ପିଓକେର ପ୍ରାୟ ସାଢ଼େ ୭ଶହ କିଲୋମିଟର ଅଞ୍ଚଳ ୨୫ ମିନିଟ୍ ଧରି ଜଳୁଥିବା ବେଳେ, ସେପଟେ କିନ୍ତୁ ନିଦ ବଟିକା ଖାଇ ଶୋଇଥିଲା ପାକିସ୍ତାନର ‘ମେଡ୍-ଇନ୍-ଚାଇନା’ ଏୟାର ଡିଫେନ୍ସ ସିଷ୍ଟମ୍ HQ-9 । ଅପରେସନ୍ ସିନ୍ଦୂରରେ ପିଓକେର ୫ଟି ଓ ପାକିସ୍ତାନ ପଞ୍ଜାବ ପ୍ରଦେଶର ୪ଟି ଜାଗାକୁ ଟାର୍ଗେଟ୍ କରାଯାଇଥିବା ବେଳେ, ସବୁଯାକ ଥିଲା ଜୈସ୍-ଏ-ମହମ୍ମଦ, ଲସ୍କର-ଏ-ତଇବା ଓ ହିଜବୁଲ ମୁଜାହିଦ୍ଦିନ ଆତଙ୍କୀ ଆଡ୍ଡା । ଭାରତୀୟ ଗୁଇନ୍ଦା ସଂସ୍ଥା, ଏହି ସବୁ ଟେରର୍ କ୍ୟାମ୍ପର ଏକଜାକ୍ଟ ଲୋକେସନ୍ ଦେବା ପରେ, ଲକ୍ କରାଯାଇଥିଲା ଟାର୍ଗେଟ୍ ।
ଆଉ ଗ୍ରୀନ୍ ସିଗ୍ନାଲ୍ ମିଳିବା ମାତ୍ରେ, ରାତି ଅଧିଆ ମିଳିତ ଅପରେସନ୍ ଆରମ୍ଭ କରିଥିଲେ ସ୍ଥଳସେନା, ବାୟୁସେନା ଓ ନୌସେନା । ୧୯୭୧ ଯୁଦ୍ଧ ପରେ ପ୍ରଥମଥର ପାଇଁ ତିନି ସେନା ମିଳିତ ଅପରେସନ୍ କରିଥିବା ବେଳେ, ୫ ଦଶନ୍ଧି ଭିତରେ ଇଏ ପାକିସ୍ତାନ ଭୂଖଣ୍ଡରେ ଭାରତର ସବୁଠୁ ବଡ଼ ମିଲିଟାରୀ ଆକ୍ସନ୍ । ଭାରତୀୟ ସୀମା ନଡେଇଁ ପାକିସ୍ତାନକୁ ତା ସୀମା ଦେଖାଇଦେଲା ଭାରତୀୟ ସେନା । ପାକିସ୍ତାନ ଆକାଶରେ ନପଶି, ୯ଟି ଆତଙ୍କୀସ୍ତାନ ଉପରେ ନିଶାନା ସାଧିଥିଲା ରାଫେଲ୍ ଫାଇଟର୍ ଜେଟ୍ । ଟାର୍ଗେଟକୁ ପିନ୍ ପଏଣ୍ଟ୍ ହିଟ୍ କଲା ୨୫୦ କିଲୋମିଟର୍ ରେଞ୍ଜ୍ର ମିସାଇଲ୍ ସ୍କାଲ୍ପ ବା ଷ୍ଟର୍ମ ସାଡୋ, ବହୁତଳ କୋଠା ଓ ବଙ୍କର୍ ଆଦିର ଛାତ କଣା କରି ବ୍ଲାଷ୍ଟ୍ ହେଉଥିବା ହାଇ-ପ୍ରିସିସନ୍ ବୋମା ‘ହାମାର୍’ ଏବଂ ଛୋଟ ଛୋଟ ଆତ୍ମଘାତୀ କାମିକାଜି ଡ୍ରୋନ୍ ।
ଆତଙ୍କୀ ଆଡ୍ଡାକୁ ଛାରଖାର କରିଦେଇଛି ଏଇ ୩ ଯୁଦ୍ଧାସ୍ତ୍ର । ସୀମାଠୁ ୧୦୦ କିଲୋମିଟର ଦୂର ଟେରର କ୍ୟାମ୍ପକୁ ବି ଧ୍ବଂସ କରାଯାଇଛି। ଏଥିରେ ଜୈସ୍ ମୁଖ୍ୟ ମସୁଦ ଆଜହରର ୧୦ ପରିବାର ସଦସ୍ୟ ଓ ୪ ସହଯୋଗୀ ସହ ବିଲାଲ ଟେରର୍ କ୍ୟାମ୍ପ ମୁଖ୍ୟ ୟାକୁବ୍ ମୁଗଲ ବି ସଫା ହୋଇଯାଇଛି । ଭାରତ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଅପରସେନ୍ ସିନ୍ଦୂରରେ ଖୁବ୍ ନିୟନ୍ତ୍ରିତ ଭାବେ କେବଳ ଆତଙ୍କୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ୍ କରାଯାଇଛି । କୌଣସି ସାଧାରଣ ଲୋକ, ସର୍ବସାଧାରଣ ଭିତ୍ତିଭୂମି କିମ୍ବା ପାକିସ୍ତାନୀ ସାମରିକ ଅନୁଷ୍ଠାନକୁ କ୍ଷତି କରାଯାଇନାହିଁ ।
ପ୍ରେସମିଟରେ ଆକ୍ରମଣସ୍ଥଳଗୁଡ଼ିକର ଲାଇଭ୍ ଭିଜୁଆଲ୍ ଦେଖାଇବା ସହ, ସବୁ ତଥ୍ୟ ପ୍ରମାଣ ମିଳିବା ପରେ କେବଳ ଆତଙ୍କୀ ଆଡ୍ଡାକୁ ସଠିକ୍ ଭାବେ ଟାର୍ଗେଟ୍ କରାଯାଇଛି ବୋଲି ସ୍ପଷ୍ଟ କରିଛନ୍ତି ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂ ଓ କର୍ଣ୍ଣେଲ ସୋଫିଆ କୁରେସୀ । ସେଦିନ ଥିଲା ମଙ୍ଗଳବାର, ଆଉ କାଲି ବି ମଙ୍ଗଳବାର । ପାକିସ୍ତାନ ବିରୋଧରେ ୨ ସପ୍ତାହ ଧରି ଭାରତ ଗୋଟିକ ପରେ ଗୋଟିଏ କୂଟନୈତିକ ପଦକ୍ଷେପ ନେଇଥିଲେ ବି, ନିଜ କୋଳରେ ପାଳୁଥିବା ପୋଷୁଥିବା ଆତଙ୍କୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା ପାକିସ୍ତାନ। ତେବେ ଧୈର୍ଯ୍ୟର ବି ଗୋଟେ ସୀମା ଥାଏ ।
ଶେଷରେ ଆକ୍ରମଣର ୧୪ଦିନ ପରେ ଭାରତ ଦେଇଛି କଡ଼ା ଜବାବ । ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଛନ୍ତି, ଆଗକୁ ବି ଭାରତରେ ବଡ଼ ଆକ୍ରମଣ ହୋଇପାରେ ବୋଲି ପାକ୍ ଆତଙ୍କୀ ମଡ୍ୟୁଲ ସଂପର୍କରେ ଗୁଇନ୍ଦା ସୂଚନା ମିଳିବାରୁ, ଏହି ଅପରେସନ୍ ହାତକୁ ନିଆଯାଇଥିଲା । ଗତରାତିରେ ଏହି ପୂରା ଅପରେସନ୍ ଉପରେ ନଜର ରଖିଥିଲେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।