ଡିଏମଇଟି ପକ୍ଷରୁ ୫ ଜଣିଆ ଟିମ୍ ଗଠିତ, ଆସନ୍ତାକାଲି ରିପୋର୍ଟ ଦେବେ
କୋରାପୁଟ: କୋରାପୁଟର ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜରେ ଭୁଲ୍ ଇଞ୍ଜେକସନ୍ ଦିଆଯିବା ଯୋଗୁ ଚାଲିଗଲା ୬ ରୋଗୀଙ୍କ ଜୀବନ। ଆଇସିୟୁରେ ଚିକିତ୍ସିତ ୪ ଓ ଓ୍ବାର୍ଡରେ ଥିବା ୨ ରୋଗୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ସର୍ଜରୀ ୱାର୍ଡରେ ଗତକାଲି ରାତିରେ ଅଳ୍ପ ସମୟ ମଧ୍ୟରେ ୬ ଜଣ ରୋଗୀଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ବଢ଼ିଛି ଅସନ୍ତୋଷ। ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିଏମଇଟି। ଏଥିଲାଗି ୫ ଜଣିଆ ଟିମ୍ ଗଠନ କରାଯାଇଛି। ବ୍ରହ୍ମପୁରର ଏମକେସିଜିରୁ ୩ ଓ କଟକର ଏସସିବିରୁ୨ ଜଣିଆ ଟିମ୍ ସହିଦ ଲଷ୍ମଣ ନାୟକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ଯାଇ ଘଟଣାର ଫୁଙ୍ଖାନୁପୁଙ୍ଖ ତଦନ୍ତ କରିବେ ବୋଲି ଜଣାଯାଇଛି। ଆସନ୍ତାକାଲି ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଡିଏମଇଟି ନିର୍ଦ୍ଦେଶକ ସନ୍ତୋଷ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଦିଆଯାଇଥିବା ଔଷଧର ପାର୍ଶ୍ବ ପ୍ରତିକ୍ରିୟା କିଛି ରହିଛି କି ନା ସ୍ବାଭାବିକ ମୃତ୍ୟୁ ଘଟିଛି, ସେନେଇ ଟିକିନିଖି ତଦନ୍ତ କରିବ ଟିମ୍। ଖାଲି ସେତିକି ନୁହେଁ, ରୋଗୀଙ୍କୁ ଦିଆଯାଇଥିବା ଔଷଧଗୁଡ଼ିକର ମାନ ଯାଞ୍ଚ ବି କରାଯିବ।
ସୂଚନା ଅନୁଯାୟୀ କୋରାପୁଟ, ବୋରିଗୁମ୍ମା, କଳାହାଣ୍ଡି, ସେମିଳିଗୁଡା, ମାଛରା ଭଳି ବିଭିନ୍ନ ଅଞ୍ଚଳରୁ ଅନେକ ଗୁରୁତର ରୋଗୀ ହସ୍ପିଟାଲର ଆଇସିୟୁ ଏବଂ ସର୍ଜରୀ ଓ୍ବାର୍ଡରେ ଚିକିତ୍ସିତ ହେଉଥିଲେ। ହଠାତ୍ ରାତି ୧୧ ରୁ ପ୍ରାୟ ଅଧଘଣ୍ଟା ମଧ୍ୟରେ ଆଇସିୟୁର ଗୁରୁତର ଚିକିତ୍ସିତ ରୋଗୀଙ୍କ ଭିତରୁ ଶୂକ୍ରା ମାଝୀ, ରୁକୁଣି ପେଣ୍ଟିଆ ଓ ଫୁଲମତି ମାଝୀ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ସାଧାରଣ ସର୍ଜରୀ ୱାର୍ଡର ବେଡ଼ରେ ଥିବା ଭଗବାନ ପରିଜା ଓ ବତୀ ଖରା ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ଗତରାତିରେ କୋରାପୁଟ ମେଡିକାଲ କଲେଜରେ ମାତ୍ର କେଇ ଘଣ୍ଟା ଭିତରେ ୬ ଜଣ ରୋଗୀଙ୍କ ଅଚାନକ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । କିଏ ଦୁର୍ଘଟଣାର ଶିକାର ହୋଇଥିଲେ, କାହାକୁ ଛୁରାମାଡ଼ ହୋଇଥିଲା, ଆଉ କିଏ କ୍ୟାନ୍ସର ଆକ୍ରାନ୍ତ ଥିଲେ । ସର୍ଜରୀ ଆଇସିୟୁରେ ୪ ଜଣ ଓ ସର୍ଜରୀ ୱାର୍ଡରେ ୨ ଜଣଙ୍କୁ ଭର୍ତ୍ତି କରାଯାଇଥିଲା । କେଉଁ ରୋଗୀଙ୍କର ଅସ୍ତ୍ରୋପଚାର ବି ସରିଥିଲା, ତ କିଏ କଥା ହେଉଥିଲେ ଓ ଖାଇବାକୁ ବି ମାଗୁଥିଲେ । ଗୁରୁତର ହୋଇ ମେଡିକାଲ ଆସିଥିଲେ ବି, ଚିକିତ୍ସା ପରେ ସ୍ବାସ୍ଥ୍ୟାବସ୍ଥା ଆପାତତଃ ସ୍ଥିର ଥିବାରୁ ସେମାନେ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଆଶାବାଦୀ ଥିଲେ ସଂପର୍କୀୟ। ହେଲେ ରାତି ଡ୍ୟୁଟିରେ ଥିବା ନର୍ସ ଇଞ୍ଜେକ୍ସନ ଦେବା ପରେ ରାତି ୧୧ଟାରୁ ସାଢ଼େ ୧୧ଟା ବେଳେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ଭୋର୍ ୩ଟାରେ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ରାତିରେ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେବାରୁ ଟାଉନ ଥାନା ପକ୍ଷରୁ ପୋଲିସ ମୁତୟନ କରାଯାଇଥିଲା। ରୋଗୀ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମେଡିକାଲ୍ କଲେଜ୍ ଡିନ୍ । କହିଛନ୍ତି- ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଭୁଲ୍ ଇଞ୍ଜେକ୍ସନ୍ ଦିଆଯାଇନାହିଁ । ଅଭିଜ୍ଞ ଷ୍ଟାଫ୍ ଥିଲେ ଏବଂ ପ୍ରୋଟୋକଲ୍ ଅନୁସାରେ ସବୁକିଛି ହୋଇଛି । ତେବେ ଏହି ଘଟଣାକୁ ନେଇ ତଦନ୍ତ କମିଟି ଗଠନ କରାଯିବ ବୋଲି ଜିଲ୍ଲାପାଳ କହିଥିବା ବେଳେ, ସରଜମିନ୍ ଛାନଭିନ୍ ପାଇଁ କଟକ SCB ଓ ବ୍ରହ୍ମପୁର MKCGରୁ ଦୁଇଟି ଡାକ୍ତରୀ ଟିମ୍ କୋରାପୁଟ ଯାଇଥିବା DMET ସୂଚନା ଦେଇଛନ୍ତି ।














