ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ୧୬ଟି ବିଶ୍ୱବିଦ୍ୟାଳୟ ଏବଂ ୭୩୦ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଆରମ୍ଭ ହେବ ‘ଶକ୍ତିଶ୍ରୀ କାର୍ଯ୍ୟକ୍ରମ’। ଆଜି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଏକ ସୁରକ୍ଷିତ ଶୈକ୍ଷିକ ବାତାବରଣକୁ ସୁନିଶ୍ଚିତ କରାଇବା ସହିତ ଅଧ୍ୟୟନରତ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ କରିବା ଏବଂ ଛାତ୍ରୀମାନଙ୍କର ସଶକ୍ତିକରଣ ଓ ସର୍ବାଙ୍ଗୀନ ବିକାଶଦିଗରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟ କରିବ। “ଶକ୍ତିଶ୍ରୀ ଆପ୍” ନାମରେ ଏକ ନୂତନ ମୋବାଇଲ ଆପ୍ କାର୍ଯ୍ୟକାରୀ ହେବ। କ୍ୟାମ୍ପସରେ ଛାତ୍ରୀମାନଙ୍କର ସୁରକ୍ଷାକୁ ସୁନିଶ୍ଚିତ କରିବାରେ ଏହା ସହାୟକ ହେବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ନାଗରିକର ଅଧିକାର ଓ କର୍ତ୍ତବ୍ୟକୁ କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ମହିଳାଙ୍କ ସୁରକ୍ଷା ଓ ନିରାପତ୍ତାକୁ ମଧ୍ୟ ଗୁରୁତ୍ବ ଦେଉଛନ୍ତି। ଆମ ସରକାର ଏକ ନୂଆ ପଲିସି ଶୁଭାରମ୍ଭ କରିବାକୁ ଯାଉଛନ୍ତି। ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଉଛନ୍ତି। ସେଥିପାଇଁ ସରକାର ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ ଆରମ୍ଭ କରିବେ। ଏହା ଖୁବ ଶୀଘ୍ର ଲାଗୁ ହେବ ଏବଂ ଏସ୍ଓପି ଜାରି କରାଯିବ। ବିଗତ ଦିନର ଘଟଣାକୁ ଆଖି ଆଗରେ ରଖି ସରକାର ମହିଳା ଓ ଛାତ୍ରୀମାନଙ୍କ ସୁରକ୍ଷାକୁ ଚିନ୍ତା କରୁଛନ୍ତି। ରାଜ୍ୟର ୧୬ଟି ବିଶ୍ବବିଦ୍ୟାଳୟ ଓ ୭୩୦ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଙ୍କ ପାଇଁ ଏହା କାର୍ଯ୍ୟକାରୀ କରାଯିବ। ସେଥି ପାଇଁ ଶିକ୍ଷାନୁଷ୍ଠାନରେ ଏକ ସୁରକ୍ଷିତ ଶୈକ୍ଷକ ବାତାବରଣ ପାଇଁ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀଙ୍କୁ ପ୍ରଶିକ୍ଷଣ ବ୍ୟବସ୍ଥା, ଛାତ୍ରୀମାନଙ୍କର ସଶକ୍ତୀକରଣ, ସର୍ବାଙ୍ଗୀନ ବିକାଶ କଲେଜସ୍ତରରେ କରାଯାଇପାରିବ। ଆମେ ୮ଟ ପ୍ରମୁଖ ଦିଗ ଉପରେ ଗୁରୁତ୍ବ ଦେଉଛୁ ବୋଲି ଶ୍ରୀ ମାଝୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଶକ୍ତିଶ୍ରୀ ଯୋଜନା ମାଧ୍ୟମରେ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ‘ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର ପ୍ରତିଷ୍ଠା’ କରାଯିବ। ଏହାକୁ ଛାତ୍ରୀମାନେ ପରିଚାଳନା କରିବେ। ଛାତ୍ରୀମାନେ ଶକ୍ତିଶ୍ରୀ ଭାବେ କାମ କରିବେ। ଜିଲ୍ଲାପାଳଙ୍କ ଦ୍ବାରା ମନୋନୀତ ୫ ଜଣ ମହିଳା ଶକ୍ତିଶ୍ରୀ ଅପା ଭାବେ କାର୍ଯ୍ୟକରିବେ। ଏମାନେ ୩ ମାସରେ ଥରେ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବେ। ଛାତ୍ରୀମାନଙ୍କ ପାଇଁ ୬ଦିନିଆ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏଥିରେ ସୁରକ୍ଷା ସଂପର୍କିତ ସଚେତନ କରାଯିବ। ଶକ୍ତିଶ୍ରୀ ମୋବାଇଲ ଆପର ଶୁଭାରମ୍ଭ ହେବ। ଛାତ୍ରୀ ଯେତେବେଳେ ଅଭିଯୋଗ କରିପାରିବେ ନିଜର ନାମ ଗୋପନ ରଖିପାରିବେ। ପଂଜିକୃତ ହେଲା ପରେ ସେମାନେ ମାନସିକ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ କଥା ହୋଇପାରିବେ। ଶିକ୍ଷକମାନଙ୍କ ପାଇଁ କୋର୍ଡ ଅଫ୍ କଣ୍ଟକ୍ଟ ଲାଗୁ ହେବ। ସେମାନଙ୍କର ପାଇଁ ମଧ୍ୟ କାର୍ଯ୍ୟକ୍ରମ ହେବ। ଲିଙ୍ଗଗତ ସମାନତା ପାଇଁ ଅଭିଯାନ କରାଯିବ। ୨ଥର ୱାର୍କସପ କରାଯିବ। କ୍ୟାମ୍ପସ ସୁରକ୍ଷା ନେଇ ପ୍ରତି କଲେଜ ଏକ ବାର୍ଷିକ ରିପୋର୍ଟ ପ୍ରସ୍ତୁତ କରିବେ।
କ୍ୟାମ୍ପସ ସୁରକ୍ଷାକୁ ନେଇ ପ୍ରତିଟି କଲେଜ ନିଜର ଏକ ବାର୍ଷିକ ରିପୋର୍ଟ ପ୍ରତିବର୍ଷ ଡିସେମ୍ବର ମାସ ୩୧ ତାରିଖ ସୁଧା ପ୍ରଦାନ କରିବେ। କ୍ୟାମ୍ପସ ସୁରକ୍ଷାକୁ ନେଇ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କରାଯାଇଥିବା କାର୍ଯ୍ୟ, ପଞ୍ଜିକୃତ ହୋଇଥିବା ଅଭିଯୋଗ ଓ ଏହାର ସମାଧାନ, ଆପାତ୍ତକାଳୀନ ସ୍ଥିତିର ମୁକାବିଲା ପାଇଁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ରହିଥିବା ଭିତ୍ତିଭୂମିଆଦି ସମ୍ବନ୍ଧରେ ସବିସ୍ତୃତ ବିବରଣୀକୁ ଉକ୍ତ ରିପୋର୍ଟରେ ସ୍ଥାନିତ କରାଯିବ। ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ସିସିଟିଭି କ୍ୟାମେରା ଲଗାଯିବ, ଯାହାଦ୍ୱାରା କଲେଜ କ୍ୟାମ୍ପସକୁ ୨୪ ଘଣ୍ଟାମନିଟରିଙ୍ଗ କରାଯାଇପାରିବ। ଏଥିସହ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ରହିବାର ବ୍ୟବସ୍ଥା କରାଯିବ। କଲେଜରେ ରହିଥିବା ଇଣ୍ଟରନାଲ କମିଟିର ସଦସ୍ୟ ଏବଂ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରର ପରାମର୍ଶ ଅନୁଯାୟୀ ସିସିଟିଭି କ୍ୟାମେରା ଲଗାଇବାର ସ୍ଥାନ ନିରୂପଣ କରାଯିବ।














