ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ପ୍ରତିବାଦ
ଭୁବନେଶ୍ୱର : ଭାଇରାଲ୍ ହେଲା ପ୍ରଶ୍ନପତ୍ର। ରାତିଅଧିଆ ବାତିଲ୍ ହେଲା ସ୍ୱତନ୍ତ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)। ହେଲେ ଭାଇରାଲ୍ ହୋଇଥିବା ପ୍ରଶ୍ନପତ୍ର ଓଟିଇଟି ପ୍ରଶ୍ନପତ୍ର ସହ ସମାନ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କର୍ତ୍ତୃପକ୍ଷ କିପରି ଜାଣିଲେ ଓ ପରୀକ୍ଷା ବାତିଲ୍ କଲେ ସେନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରବିବାର ସକାଳ ୯ଟାରେ ପରୀକ୍ଷା ଆରମ୍ଭ ହେବାର ଥିଲା। ନିୟମ ଅନୁସାରେ ପରୀକ୍ଷାର ୧୫ ମିନିଟ୍ ପୂର୍ବରୁ ସିଲ୍ ହୋଇ ରହିଥିବା ପ୍ରଶ୍ନପତ୍ର ପରୀକ୍ଷାର୍ଥୀଙ୍କ ଉପସ୍ଥିତିରେ ଖୋଲାଯାଇଥା’ନ୍ତା। ଏହାପରେ ଯାଇ ପ୍ରଘଟ୍ ହୋଇଥିବା ପ୍ରଶ୍ନପତ୍ର ସହ ପରୀକ୍ଷାର୍ଥୀଙ୍କୁ ବଣ୍ଟାଯାଇଥିବା ପ୍ରଶ୍ନ ମେଳ ଖାଉଛି ନା ନାହିଁ ସ୍ପଷ୍ଟ ହୋଇଥା’ନ୍ତା। କିନ୍ତୁ ପୂର୍ବ ରାତିରୁ ତରବରିଆ ଭାବେ ପରୀକ୍ଷାକୁ ବାତିଲ୍ କରାଯାଇଥିବାରୁ ପ୍ରଶ୍ନପତ୍ର ପ୍ରଘଟରେ ବୋର୍ଡ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ସ୍ୱତଃ ସନ୍ଦେହ ସୃଷ୍ଟ ହୋଇଛି। ମୁଦ୍ରଣ ସ୍ଥଳରୁ କିମ୍ବା କୌଣସି ଏକ ସ୍ଥାନରୁ ପ୍ରଶ୍ନପତ୍ର ପ୍ରଘଟ କରାଯାଇଛି ଏବଂ ପରୀକ୍ଷା ପୂର୍ବରୁ ଏହା ଅନ୍ୟମାନଙ୍କ ନଜରକୁ ଆସିଯିବାରୁ ସମ୍ଭାବ୍ୟ ବିପଦର ଆଶଙ୍କା କରି ବୋଡର଼୍ କର୍ତ୍ତୃପକ୍ଷ ରାତିଅଧିଆ ପରୀକ୍ଷା ବାତିଲ୍ କରିଛନ୍ତି ବୋଲି ପରୀକ୍ଷାର୍ଥୀ ଏବଂ ଅଭିଭାବକ ମହଲ ଅଭିଯୋଗ କରୁଛନ୍ତି।
ସୂଚନା ଅନୁସାରେ, ସଂପ୍ରତି ବିଦ୍ୟାଳୟରେ ଶିକ୍ଷକତା କରୁଥିବା ୭୫ ହଜାର ୪୦୩ ଜଣ ପରୀକ୍ଷାର୍ଥୀ ନିୟମିତ ହେବା ପାଇଁ ସ୍ୱତନ୍ତ୍ର ଓଟିଇଟି ଦେବାକୁ ଫର୍ମପୂରଣ କରିଥିଲେ। ଏଥିପାଇଁ ବୋଡର଼୍ ପକ୍ଷରୁ ୧୯୩ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଥିଲା। ରବିବାର ସକାଳ ୯ଟାରେ ପରୀକ୍ଷା ହେବାର ଥିଲା। ହେଲେ ଶନିବାର ଅପରାହ୍ଣରୁ ଏକ ହାତଲେଖା ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। ହ୍ୱାଟସ୍ଆପ୍ରେ ଘୂରି ବୁଲୁଥିବା ପ୍ରଶ୍ନପତ୍ର ଫେସ୍ବୁକ୍ରେ ଭାଇରାଲ୍ ହେବାପରେ ମଧ୍ୟରାତ୍ରିରେ ପରୀକ୍ଷାରକୁ ବାତିଲ୍ କରାଗଲା। ଭାଇରାଲ୍ ଅଭିଯୋଗ ପରେ ପରୀକ୍ଷାକୁ ବାତିଲ୍ କରିବା ଫଳରେ ମୂଳ ପ୍ରଶ୍ନପତ୍ରସହ ଭାଇରାଲ୍ ହେଉଥିବା ପ୍ରଶ୍ନପତ୍ରର ସାମଞ୍ଜସ୍ୟ ଥିବା ସ୍ପଷ୍ଟ ହୋଇଛି। ଅପରପକ୍ଷରେ ପ୍ରଶ୍ନପତ୍ର ଭାଇରାଲ୍ କିପରି ଓ କେଉଁଠୁ ହେଲା ତାହା ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପରୀକ୍ଷା କେନ୍ଦ୍ରକୁ ପଠାଯାଇଥିବା ପ୍ରଶ୍ନପତ୍ରର ସିଲ୍ ଖୋଲାଯାଇଛି ନା ପ୍ରଶ୍ନପତ୍ର ପ୍ରସ୍ତୁତି ବେଳେ ହିଁ ଏହାର ନକଲ କରାଯାଇଥିଲା, ତାହା ଦ୍ୱନ୍ଦ୍ୱ ବଢ଼ାଇଛି। ଏପରି ସ୍ଥିତିରେ ବୋର୍ଡ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।
ରବିବାର ପରୀକ୍ଷା ଦେବାକୁ ଯାଇ ହଟହଟା ହୋଇ ଫେରିଛନ୍ତି ପ୍ରାୟ ୭୫ହଜାର ପରୀକ୍ଷାର୍ଥୀ। କିଛି ପରୀକ୍ଷାର୍ଥୀ ଗତକାଲି ଏବଂ ଆଉ କିଛି ଆଜି ଭୋର୍ ପରୀକ୍ଷାକେନ୍ଦ୍ରକୁ ବାହାରିଥିଲେ। ହେଲେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ତାଲା ପଡ଼ିଥିବା ଦେଖିବା ପରେ ପରୀକ୍ଷା ବାତିଲ୍ ହୋଇଥିବା ଜାଣିଲେ। କିଛି ପରୀକ୍ଷା କେନ୍ଦ୍ରରୁ ଫେରିଥିବାବେଳେ ଆଉ କିଛି ଅଧାବାଟରୁ ଫେରିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ପରିଚାଳନା ଉପରେ ପରୀକ୍ଷାର୍ଥୀମାନେ ପ୍ରଶ୍ନ କରିବା ସହ ନିରପେକ୍ଷତା ଓ ଗୋପନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ପରୀକ୍ଷା ଦେବାକୁ ଥିବା ଶିକ୍ଷକଶିକ୍ଷୟତ୍ରୀଙ୍କ କହିବା କଥା, ପରୀକ୍ଷା ବାବଦକୁ ଗୋଟିଏ ପେପର୍ ପାଇଁ ୯୦୦ ଓ ଦୁଇଟି ପେପର୍ ପାଇଁ ୧୪୦୦ଟଙ୍କା ଲେଖାଏଁ ଆବେଦନ ଫି’ ନିଆଯାଇଥିଲା। ଏତେ ଟଙ୍କା ଆବେଦନ ଫି’ ନେବା ପରେ ମଧ୍ୟ ପରୀକ୍ଷା ପରିଚାଳନା କରିବାରେ ବୋର୍ଡ ବିଫଳ ହୋଇଛି। ପ୍ରଶ୍ନପତ୍ର ଭାଇରାଲ୍ ପଛରେ ବୋର୍ଡ କର୍ତ୍ତୃପକ୍ଷଙ୍କ ପ୍ରତ୍ୟକ୍ଷ ଭୂମିକା ରହିଥିବା ଅଭିଯୋଗ ହୋଇଛି।
ଅନ୍ୟପକ୍ଷରେ, ପ୍ରଶ୍ନପତ୍ର ପ୍ରଘଟକୁ ନେଇ ଆଜିସୋମବାର ବିଜୁ ଯୁବ ଛାତ୍ର ଜନତା ଦଳ (ବିସିଜେଡି) କଟକ ପକ୍ଷରୁ ବୋର୍ଡ କାର୍ଯ୍ୟାଳୟ ଘେରାଉ କରାଯାଇଛି। ବିଧାୟକ ତଥା ବିସିଜେଡି ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ବରେ ଶହ ଶହ ବିଜୁ ଯୁବ ଛାତ୍ର ଜନତା ଦଳ କର୍ମକର୍ତ୍ତା ବିକ୍ଷୋଭ କରୁଛନ୍ତି।
ସେହିପରି ‘ଷ୍ଟୁଡେଣ୍ଟ ଏଗେନ୍ଷ୍ଟ କରପ୍ସନ୍’ର ଆବାହକ ବିଭୂତି ଭୂଷଣ ମହାପାତ୍ର କହିଛନ୍ତି ଯେ ପ୍ରଶ୍ନପତ୍ର ସିଲ୍ ଖୋଲା ହୋଇ ନ ଥିବାବେଳେ ଭାଇରାଲ୍ ପ୍ରଶ୍ନପତ୍ର ତା’ ସହ ସମାନ ବୋଲି କର୍ତ୍ତୃପକ୍ଷ ଜାଣିଲେ କିପରି? ତେଣୁ ସେମାନଙ୍କ ଜାଣତରେ ପ୍ରଶ୍ନପତ୍ର ବିକ୍ରି ହୋଇଛି। ରାଜ୍ୟରେ ପ୍ରଶ୍ନପତ୍ର ବିକ୍ରି ଏକ ଶିଳ୍ପ ହୋଇଥିବାବେଳେ ସେହି ଶିଳ୍ପପତିଙ୍କୁ ସରକାର ସୁରକ୍ଷା ଦେଉଛନ୍ତି। ଏଣୁ ବାରମ୍ବାର ପ୍ରଶ୍ନପତ୍ର ବିଭ୍ରାଟ ହେଉଛି। ଅପରପକ୍ଷରେ ସିଲ୍ଡ ପ୍ରଶ୍ନପତ୍ର ଆସନ୍ତାକାଲି ଅର୍ଥାତ୍ ୨୧ ତାରଖ ସୁଦ୍ଧା ବୋର୍ଡ ମୁଖ୍ୟାଳୟରେ ଦାଖଲ କରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣାରେ ବରିଷ୍ଠ ଅଧିକାରୀମାନେ ମୁହଁ ଖୋଲୁ ନ ଥିବାବେଳେ ନିଜ ନାମ ଗୋପନ ରଖି ଜଣେ ଅଧିକାରୀ କହିଛନ୍ତି ଯେ ସମସ୍ତ ପ୍ୟାକେଟ୍ର ସିଲ୍ ଯାଞ୍ଚ ହେବ। କେଉଁଠାରୁ ପ୍ରଶ୍ନପତ୍ର ପ୍ରଘଟ ହୋଇଛି ତା’ର ମଧ୍ୟ ତଦନ୍ତ କରାଯିବ।













