ଭୁବନେଶ୍ୱର: ରାଜ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ରାଜଭବନରେ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କୁ ଭେଟିଛନ୍ତି। ଭେଟଘାଟ ପଛରେ କିଛି ବଡ ବାର୍ତ୍ତା ରହିଛି ବୋଲି କୁହାଯାଉଛି। ଯଦିଓ ଏହାକୁ ଏକ ସୗଜନ୍ୟମୂଳକ ସାକ୍ଷାତ ବୋଲି କୁହାଯାଇଛି ତେବେ ସାମ୍ପ୍ରତିକ ରାଜନୖତିକ ପରିସ୍ଥିତିରେ ଏହି ସାକ୍ଷାତ ଅନେକ ଗୁରୁତ୍ବ ବହନ କରୁଛି। ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ଏ ଆଲୋଚନା ହୋଇପାରେ ବୋଲି ରାଜନୈତିକ ସମୀକ୍ଷକ ଅନୁମାନ କରୁଛନ୍ତି। ଏବେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ୬ଟି ମନ୍ତ୍ରୀ ପଦ ଖାଲି ପଡିଛି, ତେଣୁ ଏ ପ୍ରସଙ୍ଗରେ ହୁଏତ ଉଭୟ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ମଧ୍ୟରେ ଆଲୋଚନା ହୋଇଥାଇପାରେ।
ନିକଟରେ ଉଭୟ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି ଦିଲ୍ଲୀ ଗସ୍ତରେ ଯାଇଥିଲେ। ସେଠାରେ ସବିଶେଷ ଆଲୋଚନା ହୋଇଥାଇପାରେ। ତେବେ ଏହା ଏକ ପୂର୍ବାନୁମାନ ବୋଲି କୁହାଯାଉଛି। ଯଦିଓ ମୁଖ୍ୟମନ୍ତ୍ରଈଙ୍କ କାର୍ଯ୍ୟାଳୟ ତରଫରୁ ଏହାକୁ ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି କୁହାଯାଇଛି ତେବେ ଏହି ଅବସରରେ ଆଉ କିଛି ପ୍ରସଙ୍ଗ କଥା ଉଠିଥାଇପାରେ ବୋଲି କୁହାଯାଉଛି।
ରାଜ୍ୟରେ ରାଜନୈତିକ ସ୍ଥିତି ବେଶ ସରଗରମ ରହିଛି। ରାଜ୍ୟରେ କୌଣସି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଘଟିଲେ ରାଜ୍ୟପାଳଙ୍କୁ ଭେଟିବା ଏକ ସ୍ବାଭାବିକ ଘଟଣା। ପ୍ରାୟ ଏକ ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା କୁହାଯାଉଛି। ଯେହେତୁ ଆଗକୁ ବିଧାନସଭାର ମୌସୁମୀ ଅଧିବେସନ ରହିଛି ତାପୂର୍ବରୁ ହୁଏତ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରାଯାଇପାରେ ବୋଲି ଅନୁମାନ କରିଛନ୍ତି ରାଜନୖତକି ସମୀକ୍ଷକ।














