ଭୁବନେଶ୍ବର: ରାଜ୍ୟ ସରକାର ଆଜି ପୁଣିଥରେ ଆଇଏଏସ୍ ଅଫିସରସ୍ତରରେ ଅଦଳବଦଳ କରିବା ସହ ୧୩ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି । ଗତ ଦୁଇଦିନ ତଳେ ଜାରି ହୋଇ ୪୭ଜଣିଆ ଆଇଏଏସ୍ ଅଫିସରଙ୍କ ବଦଳି ତାଲିକାର ଏହା ସଂଶୋଧିତ ସଂସ୍କରଣ ବୋଲି କୁହାଯାଉଛି । ପୂର୍ବ ବଦଳି ସମୟରେ ଯେଉଁ କିଛି ପ୍ରଶାସନିକ ତ୍ରୁଟି ରହିଥିଲା ତାକୁ ସୁଧାରି ରାଜ୍ୟ ସରକାର ଆଜି ଏହି ବଦଳି ତାଲିକା ଜାରି କରିଥିବା ଜଣାପଡ଼ିଛି । ୨୦୨୩ ବ୍ୟାଚର ୮ଜଣ ଆଇଏଏସଙ୍କୁ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି ।
୨୦୦୫ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ତଥା ବିଏମ୍ସି କମିସନର ରାଜେଶ ପ୍ରଭାକର ପାଟିଲଙ୍କୁ ସମବାୟ ସଚିବ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ୨୦୦୯ ବ୍ୟାଚ୍ର ଆଇଏଏସ୍ ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟଙ୍କୁ ସଂସ୍କୃତି ସଚିବ ଦାୟିତ୍ବ ମିଳିଛି। ସେହିପରି ପ୍ରଯୁକ୍ତିବିଦ୍ୟା ଶିକ୍ଷା ନିର୍ଦ୍ଦେଶକ ସମର୍ଥ ବର୍ମାଙ୍କୁ ଲଘୁ ଖଣିଜ ଦ୍ରବ୍ୟ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ଦୀପଙ୍କର ମହାପାତ୍ରଙ୍କୁ ହକି ପ୍ରମୋସନ କାଉନ୍ସିଲ୍ରେ ମୁଖ୍ୟ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ମିଳିଛି।
ଟ୍ରେନିଂରୁ ଫେରିଥିବା ୨୦୨୩ ବ୍ୟାଚର ୮ଜଣ ଆଇଏଏସ୍ ଅଫିସରଙ୍କୁ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ଆଇଏଏସ୍ ପ୍ରେକ୍ଷା ଅଗ୍ରୱାଲଙ୍କୁ ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ଆଇଏଏସ୍ ପ୍ରଣୀତା ଦାଶଙ୍କୁ ବାଲିଗୁଡ଼ା ଉପଜିଲ୍ଲାପାଳ, କସ୍ତୁରୀ ପଣ୍ଡାଙ୍କୁ ପଂଚପୀର-କରଞ୍ଜିଆ ଉପଜିଳ୍ଲାପାଳ, ଅଭିଷେକ ଦିଲୀପ ଦୁଧାଲଙ୍କୁ ଗୁଣୁପୁର ଉପଜିଲ୍ଲାପାଳ, ଆସ୍ନି ଏ ଏଲଙ୍କୁ ନବରଙ୍ଗପୁର ଉପଜିଲ୍ଲାପାଳ, ସି. ସରଭାନନଙ୍କୁ କୁଚିଣ୍ଡା ଉପଜିଲ୍ଲାପାଳ, ତେଜସ୍ୱିନୀ ବେହେରାଙ୍କୁ ସୁନ୍ଦରଗଡ଼ ଉପଜିଲ୍ଲାପାଳ, ଶିବ ମାଲବୀୟଙ୍କୁ ଆନନ୍ଦପୁର ଉପଜିଲ୍ଲାପାଳ, ଅବିନାଶ କୁମାରଙ୍କୁ ବ୍ରହ୍ମପୁର ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି ।














