କଟକ: ଇଚ୍ଛା ଥିଲେ ଉପାୟ ଆପେଆପେ ଆସେ । କିଛି ନୂଆ କରିବାର ଇଚ୍ଛା ନୂତନ ରାସ୍ତା ଉନ୍ମୁକ୍ତ କରେ । ଓଡ଼ିଆମାନଙ୍କ ପାଇଁ ସମଗ୍ର ଭାରତରେ ଏକ ମସଲା କମ୍ପାନୀକୁ ପ୍ରତିଷ୍ଠିତ କରିବା ଦିଗରେ ସୁରେନ୍ଦ୍ରନାଥ ପଣ୍ଡା ଏବଂ ସୁଶାନ୍ତ କୁମାର ପଣ୍ଡାଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ । କିଛି କରିବା ଓ କିଛି ଗଢ଼ିବାର ବାର୍ତ୍ତା ଦେଇ ଏହି ଦୁଇ ଶିଳ୍ପୋଦ୍ୟୋଗୀ ଭାରତ ମସଲା କମ୍ପାନୀକୁ ଦେଶ ବିଦେଶରେ ପହଞ୍ଚାଇ ପାରିଛନ୍ତି । କଥାରେ ଅଛି, ଧନୀ ହେବାର ଲକ୍ଷ୍ୟ ରଖ କିନ୍ତୁ ଦୀନ ହୁଅ ଓ ଦାତା ହୁଅ । ଉଭୟଙ୍କ ଦୀନ ଓ ଦାତାପଣିଆ ଯୋଗୁଁ ଭାରତ ମସଲା ଆଜି ଏକ ବ୍ରାଣ୍ଡନେମରେ ପରିଣତ ହୋଇଛି । ଯିଏ ସେବା କରେ ସେ ଆପେଆପେ ବାସେ । ଭାରତ ମସଲା କମ୍ପାନୀର ସେବା କାର୍ଯ୍ୟ ସଭିଏ ଜାଣନ୍ତି । କରୋନା ମହାମାରୀ ହେଉ କି ଯେ କୌଣସି ବନ୍ୟା, ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟ, ସବୁବେଳେ ଓଡ଼ିଆ ଲୋକଙ୍କ ପାଖରେ ଭାରତ ମସଲା ଛିଡା ହୋଇ ରହିଛି । କେବଳ ବ୍ୟବସାୟିକ ଲକ୍ଷ୍ୟ ନରଖି ସେବାକୁ ମୂଳମନ୍ତ୍ର କରିଥିବା ଏହି କମ୍ପାନୀ ଓଡିଆ ଜାତି ପାଇଁ ଗର୍ବ ଓ ସ୍ୱାଭିମାନର ପ୍ରତୀକ ବୋଲି ଆଜି ବାରଙ୍ଗ ରାମଦାସପୁର ସ୍ଥିତ ଭାରତ ମସଲା କମ୍ପାନୀ ପରିସରରେ ଜୟ ଭାରତ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ୨୬ତମ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲାର ପ୍ରତିଷ୍ଠା ଦିବସ ଉତ୍ସବରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି । ଏହି ପରିପ୍ରେକ୍ଷୀରେ ବନ୍ଦର ଗୁଡିକରେ ଭିତ୍ତିଭୂମିର ଅଭାବ ଯୋଗୁଁ ଭାରତ ମସଲାର ଉତ୍ପାଦ ବିଦେଶକୁ ପହଞ୍ଚା ଯାଇ ପାରୁନଥିବା ପ୍ରସଙ୍ଗ ସେ ଉଠାଇଥିଲେ । ସଂସଦ ଅଧିବେଶନରେ ଏ ବାବଦରେ ପ୍ରଶ୍ନ କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି ସାଂସଦ ଶ୍ରୀ ଖୁଣ୍ଟିଆ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ ।
ଜୟ ଭାରତ ଫାଉଣ୍ଡେସନର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ଡା ଉତ୍ସବରେ ଅଧ୍ୟକ୍ଷତା କରି କହିଲେ ଯେ, ଆମେ ସବୁବେଳେ ପୂଜ୍ୟପୂଜା ପରମ୍ପରାକୁ ସମ୍ମାନ ଦେଇ ଆସିଛୁ । ଇତି ମଧ୍ୟରେ ୧୩୦ଜଣ ପୂଜ୍ୟପୂଜାଙ୍କୁ ଯଥୋଚିତ ସମ୍ମାନ ଦିଆଯାଇଛି । ଆଗକୁ ମଧ୍ୟ ଏହି ଧାରା ବଳବତ୍ତର ରହିବ । ସମ୍ମାନ ଦେଲେ ସମ୍ମାନ ମିଳେ, ଭାରତ ମସଲା ପୂଜ୍ୟପୂଜା ପରମ୍ପରାକୁ ଅଟଳ ରଖିବ ବୋଲି ସେ କହିଥିଲେ । ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, କମ୍ପାନୀର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ଓ ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ ଅନ୍ୟମାନଙ୍କ ପାଇଁ ଆଦର୍ଶ । ମାତ୍ର ୧ହଜାର ଟଙ୍କାରୁ ଆରମ୍ଭ ହୋଇଥିବା ଏହି କମ୍ପାନୀ ଏବେ ବାର୍ଷିକ ୭୦୦କୋଟିର ବ୍ୟବସାୟ କରୁଛି । ଅନେକ ଯୁବପୀଢ଼ୀ ରୋଜଗାରକ୍ଷମ ହୋଇ ପାରିଛନ୍ତି । ବାଙ୍କୀ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ଓ ନବଉନ୍ମେଷ ଆରମ୍ଭ ଦିଗରେ ଭାରତ ମସଲାର ଅବଦାନ ରହିଛି ବୋଲି ସେ କହିଥିଲେ । ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା ନିଜ ଅଭିଭାଷଣରେ କହିଥିଲେ ଯେ, ଉତ୍ପାଦିତ ଦ୍ରବ୍ୟକୁ ରପ୍ତାନୀ କରିବା ପାଇଁ ୨୦୦୯ ମସିହାରୁ ଉଦ୍ୟମ କରାଯାଉଥିଲା । ହେଲେ ଯୋଜନାର ସଫଳ ରୂପାୟନ ପାଇଁ ୧୫ବର୍ଷ ସମୟ ଲାଗିଗଲା । ଗତବର୍ଷ ପାରାଦୀପ ପୋର୍ଟ ଜରିଆରେ କମ୍ପାନୀର ସାମଗ୍ରୀ ବିଦେଶ ପଠାଯାଉଛି । କିନ୍ତୁ ଭିତ୍ତିଭୂମିର ଯଥେଷ୍ଟ ବିକାଶ ନହେବାରୁ କେତେକ କ୍ଷେତ୍ରରେ କମ୍ପାନୀ ଆର୍ଥିକ କ୍ଷତି ସହୁଛି । ଓଡ଼ିଶାର ସାମାଜିକ ଓ ଆର୍ଥିକ ବିକାଶ କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରୁଛି ଭାରତ ମସଲା । ଟମାଟୋର ଅଭାବୀ ବିକ୍ରି ଚାଲିଥିବା ସମୟରେ ଏହି କମ୍ପାନୀ କେଚ୍ଅପ ପ୍ରସ୍ତୁତ କରି ଚାଷୀଙ୍କ ସମସ୍ୟାରେ ପୂର୍ଣ୍ଣଚ୍ଛେଦ ପକାଇଥିଲା । ରାଜ୍ୟରେ ଏଭଳି କୌଣସି ଜିଲ୍ଲା ନାହିଁ, ଯେଉଁଠାରେ ଭାରତ ମସଲା ସାମାଜିକ ସେବା କାର୍ଯ୍ୟ କରୁନାହିଁ ବୋଲି ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପଣ୍ଡା ମତବ୍ୟକ୍ତ କରିଥିଲେ । ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଶ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କମ୍ପାନୀ ସହ ଯୋଡ଼ି ହୋଇ ରହିଥିବା ପ୍ରତ୍ୟେକ ଲୋକ ମିଶି ଏହାକୁ ବ୍ରାଣ୍ଡ କରିଛନ୍ତି ବୋଲି କହିଥିଲେ । ଏକ କମ୍ପାନୀ ୧୦ବର୍ଷ ଦୃଢ଼ତାର ସହ ଛିଡ଼ା ହୋଇ ରହିଲେ ବ୍ୟବସାୟିକ ସଫଳତା ପାଇପାରେ । ଏହା ଭିତରେ ଅନେକ ଉତଥାନ ଓ ପତନ ଆସେ । କିନ୍ତୁ ସ୍ଥିର ହୋଇ ବ୍ୟବସାୟରେ ତିଷ୍ଠି ରହିଲେ ସବୁ ପ୍ରତିବନ୍ଧକୁ ଏଡାଇବା ସମ୍ଭବପର ହେବ । ସର୍ବୋପରେ ଗୋଟିଏ କମ୍ପାନୀରେ କର୍ମଚାରୀଟିଏ ଦୀର୍ଘ ଦିନ ଜଡିତ ହୋଇ ରହିଲେ ଏହା ଉଭୟ କମ୍ପାନୀ ଓ କର୍ମଚାରୀପାଇଁ ଶୁଭଦାୟକ ବୋଲି ବିଧାୟିକା ଫିର୍ଦ୍ଦୋଶ ମତ ଦେଇଥିଲେ । ଏସ୍ସିବି ଭେଷଜ ବିଭାଗର ବରିଷ୍ଠ ପ୍ରଫେସର ଡାକ୍ତର ଜୟନ୍ତ କୁମାର ପଣ୍ଡା ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଜୀବନଚର୍ଯ୍ୟା ଉପରେ ଆଲୋକପାତ କରିଥିଲେ । ଓଡ଼ିଆ ଅଭିନେତା ପୁପିନ୍ଦର ଓ ଅଭିନେତ୍ରୀ ସୁଲଗ୍ନା ମଞ୍ଚ ପରିଚାଳନା କରିଥିଲେ ।
ଏହି ଅବସରରେ ପୂର୍ବତନ ଭାରତୀୟ ସେନାଧିକାରୀ କ୍ୟାପ୍ଟେନ୍ ଦୁର୍ଯ୍ୟୋଧନ ମହାନ୍ତିଙ୍କୁ ଚଳିତବର୍ଷର ସମ୍ମାନଜନକ “ଭାରତ ଗୌରବ”, ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିଥିବା ଡିଏଭି ସ୍କୁଲର ନିର୍ଦ୍ଦେଶକ ଡଃ କେଶବ ଚନ୍ଦ୍ର ଶତପଥିଙ୍କୁ “ସେବା ଭାରତ”, ଅବସରପ୍ରାପ୍ତ ଆଇଏଏସ୍ ତଥା କଥାକାର ଡଃ ଅରବିନ୍ଦ ବେହେରାଙ୍କୁ “କଥା ଭାରତ”, ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ଡଃ ଶ୍ୱେତକୁମାର ଦାଶଙ୍କୁ “ସଂସ୍କୃତି ଭାରତ”, ଏସିଆନ୍ କ୍ରୀଡାରେ ଜାଭେଲିନ୍ ଥ୍ରୋରେ ରୌପ୍ୟ ପଦକ ହାସଲ କରିଥିବା କିଶୋର ଜେନାଙ୍କୁ “କ୍ରୀଡା ଭାରତ” ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହିପରି ବିଦ୍ୟାର୍ଥୀମାନଙ୍କୁ ଉତ୍ସାହିତ କରିବା ପାଇଁ +୨ କଳା, ବାଣିଜ୍ୟ ଓ ବିଜ୍ଞାନ କ୍ଷେତ୍ରରେ ଯଥାକ୍ରମେ ଶୀର୍ଷସ୍ଥାନ ଅଧିକାର କରିଥିବା ପ୍ରିୟଦର୍ଶିନୀ ଗଡନାୟକ, ଆର୍ଚ୍ଛି ଚିନ୍ମୟୀ ପ୍ରଧାନ ଓ ତପେଶ୍ୱର ବାଗଙ୍କୁ “ବିଦ୍ୟା ଭାରତ” ସମ୍ମାନ ମିଳିଥିଲା । ଉତ୍ସବ ଅବସରରେ ନନ୍ଦିତା ପଣ୍ଡାଙ୍କ ସମ୍ପାଦନା ଓ ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ ମହାନ୍ତିଙ୍କ ସହଯୋଗୀ ସମ୍ପାଦନାରେ ପ୍ରସ୍ତୁତ ଭାରତ ମସଲାର ପତ୍ରିକା ‘ସମ୍ଭବାମୀ ଭାରତ’କୁ ଅତିଥିମାନେ ଉନ୍ମୋଚିତ କରିଥିଲେ । ଭାରତ ମସଲାର ଜିଏମ୍ (ଅପରେସନ) ଅରୁଣ କୁମାର ନାୟକ ବାର୍ଷିକ ବିବରଣୀ ପାଠ କରିବା ସହ ଧନ୍ୟବାଦ ଦେଇଥିଲେ । ହାସ୍ୟ ଅଭିନେତା ପପୁ ପମପମ୍ଙ୍କ ଦ୍ୱାରା ହାସ୍ୟ ରସାତ୍ମକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ବିଭିନ୍ନ ଡ୍ୟାନ୍ସ ଗ୍ରୁପ୍ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରରେ କମ୍ପାନୀ ସହ ଜଡିତ ଥିବା କ୍ଷୂଦ୍ର ବ୍ୟବସାୟୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ ସୁମନ୍ତ କୁମାର ପଣ୍ଡା, ନିର୍ଦ୍ଦେଶକ ଶ୍ରୀମନ୍ତ କୁମାର ପଣ୍ଡା, ନିର୍ଦ୍ଦେଶକ ଦିଗନ୍ତ କୁମାର ପଣ୍ଡା, ଆଶୁତୋଷ ପଣ୍ଡା, ଏସଏନ ମିଲେନିୟମ, ଜିଏମ୍ ଅଶ୍ୱିନୀ କୁମାର ଦାସ, ଜିଏମ୍ (ପ୍ରଡକସନ୍) ନବକୃଷ୍ଣ ପ୍ରଧାନ, ପିଆର୍ଓ ଆଶିସ ମନ୍ଥନ ପ୍ରମୁଖ ସହଯୋଗ କରିଥିଲେ ।














