ମୁଁ ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କ ଭଳି ନୁହେଁ, ଓଡ଼ିଆରେ ଚିଠି ଲେଖିବି
ବ୍ରହ୍ମପୁର: ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଞ୍ଜିନ ସରକାର। ଓଡ଼ଶା ବିଜେପିକୁ ମୁଁ ଧନ୍ୟବାଦ ଦେଉଛି ଯେ ସେମାନେ ଉତ୍ତମ ଘୋଷଣାପତ୍ର ଜାରି କରିଛନ୍ତି। ଏଥିରେ କୃଷକଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କୁ ଲାଭ ମିଳିବ। ବିଜେପି ଯାହା କହେ, ତାହା କରିକି ଦେଖାଏ। ଏହା ହେଉଛି ମୋଦୀ ଗ୍ୟାରେଣ୍ଟି। ଜୁନ୍ ୪ ତାରିଖରେ ଏଠାରେ ବିଜେଡି ସରକାରର ଏକସ୍ପାରି ଡେଟ୍ ଲେଖାଯାଇଛି। ଜୁନ୍ ୧୦ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ହେବ। ମୁଁ ବିଜେପିର ଶପଥ ସମାରୋହ ଲାଗି ନିମନ୍ତ୍ରଣ ଦେବାକୁ ଆସିଛି। ଓଡ଼ିଶାରେ ବିଜେଡି ସରକାର ଅସ୍ତଗାମୀ। କଂଗ୍ରେସ ଅତୀତ ହୋଇଛି। ଓଡ଼ିଶାରେ କେବଳ ବିଜେପି ଉଦିତ ସୂର୍ଯ୍ୟ ଭାବେ ଉଭା ହୋଇଛି। ଓଡ଼ିଶା ପାଖରେ ପ୍ରଚୁର ପାଣି, ଉର୍ବର ଜମି, ଜମି ତଳେ ଖଣିଜ ଭଣ୍ଡାର ଅଛି। ଏତେ ଧନୀ ଓଡ଼ିଶାର ଲୋକ କାହିଁକି ଗରିବ ରହିଛନ୍ତି। ବ୍ରହ୍ମପୁର ନିକଟସ୍ଥ କନିସି ଛକରେ ବିଶାଳ ଜନସଭାରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକଥା କହିଛନ୍ତି।
ମୁଁ ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କ ଭଳି ନୁହେଁ, ଓଡ଼ିଆରେ ଚିଠି ଲେଖିବି। ଏଭଳି କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ବ୍ରହ୍ମପୁର ସଭାରେ ପ୍ରଧାନମନ୍ତ୍ରୀ କିଛି କଳାକାରଙ୍କ କଳାକୃତିକୁ ନେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକଥା କହିଛନ୍ତି। ସେ କହିଛନ୍ତି, ଏଠାକାର ବିଜେଡି ସରକାର ମହିଳାଙ୍କ ହିତକୁ ଗୁରୁତ୍ୱ ଦେଉନାହାନ୍ତି। ବିଜେପି ସରକାର ମହିଳା ସଶକ୍ତୀକରଣ ପାଇଁ ପ୍ରତିବଦ୍ଧ।ସୁଭଦ୍ରା ଯୋଜନା ଓଡ଼ିଶାର ମହିଳାଙ୍କୁ ଆର୍ଥିକ ଭାବେ ସଶକ୍ତ କରିବ। ଓଡ଼ିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବ ବିଜେପି ସରକାର। ଠିକ୍ ସେହିପରି ୭୦ ବର୍ଷରୁ ଅଧିକ ବୟସ୍କଙ୍କ ଚିକିତ୍ସା ଖର୍ଚ୍ଚ ମାଗଣାରେ ହେବ। ତେଣୁ ଓଡ଼ିଶାରେ ଏଥର ବିଜେପି ସରକାର ହେବା ବହୁତ ଜରୁରୀ। ୧୦ ବର୍ଷରେ ଓଡ଼ିଶାକୁ ସାଢେ ୩ ଲକ୍ଷକୋଟିରୁ ଅଧିକ ଟଙ୍କା ଦେଇଛି କେନ୍ଦ୍ର ସରକାର।
ଏଣେ ଅଧିକରୁ ଅଧିକ ଘରକୁ ଯିବାକୁ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ନରେନ୍ଦ୍ର ମୋଦୀ ଜୟ ଜଗନ୍ନାଥ ଜଣାଇଥିବା, ପ୍ରତି ଘରକୁ ଯାଇ ଜଣାନ୍ତୁ। ଆପଣ ଜୟ ଜଗନ୍ନାଥ କହିଲେ, ସେମାନେ ମୋତେ ଆଶୀର୍ବାଦ ଦେବେ। ସେମାନେ ମୋତେ ଆଶୀର୍ବାଦ କଲେ, ମୋର ତାକତ ବଢ଼ିଯିବ । ମୋର ତାକତ ବଢ଼ିଲେ, ପୁଣି ଥରେ ଆସିବ ମୋଦୀ ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁରରେ ଆୟୋଜିତ ବିଶାଳ ସଭାରେ ଆହୁରି କହିଛନ୍ତି, ଜଳ ଜୀବନ ମିଶନରେ କେନ୍ଦ୍ର ୧୦ ହଜାର କୋଟି ଦେଇଛି। ଉକ୍ତ ଟଙ୍କାକୁ ଏଠା ସରକାର ଠିକ ଭାବେ ଖର୍ଚ୍ଚ କରିପାରିଲେନି।ମୋଦୀ ସରକାର ମାଗଣା ଚାଉଳ ଦେଉଛି, ଏଠାକାର ବିଜେଡି ସରକାର ସେଥିରେ ନିଜ ଫଟୋ ଛାପୁଛି। ନିଜେ ବିଜେଡି ସରକାର କିଛି କରିନାହାନ୍ତି, ତେଣୁ ଏଭଳି ବେଇମାନୀ କରିବାକୁ ପଡୁଛି। ଓଡ଼ିଶା ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳିପାରୁନି। ବିଜେଡି ସରକାର ଏଠାରେ ଆୟୁଷ୍ମାନ ଯୋଜନା ଲାଗୁ କରାଉନାହାନ୍ତି। ଲୋକଙ୍କୁ ଚିକିତ୍ସା ମିଳିନପାରିବାର ଦୋଷୀ ଏଠାର ବିଜେଡି ସରକାର।
ଗତ ୫୦ ବର୍ଷ ଧରି କଂଗ୍ରେସ ଏବଂ ୨୫ ବର୍ଷ ଧରି ବିଜେଡି ସରକାର ଅଛି। ଓଡିଶା ପାଖରେ ଭରପୁର ପାଣି ଅଛି, ଖଣିଜ ପଦାର୍ଥ ମଧ୍ୟ ଅଛି। ଏତେ ଲମ୍ବା ସମୁଦ୍ର ତଟ ବି ଅଛି । ହେଲେ ଏହାପରେ ବି, ଏତେ ଧନୀଶାଳୀ ଓଡ଼ିଶା କାହିଁକି ଗରିବ ରହିଗଲେ ବୋଲି ମୋଦୀ ପ୍ରଶ୍ନ କରିଛନ୍ତି। ଓଡ଼ିଶା ଧନୀ, କିନ୍ତୁ ଲୋକ ଗରିବ। ପ୍ରଥମେ କଂଗ୍ରେସ ଓ ତା ପରେ ବିଜେଡି ନେତାଙ୍କ ଲୁଟ୍ ଏହାର କାରଣ। ବିଜେଡିର ଛୋଟ ଛୋଟ ନେତା ବି ବଡ଼ ବଡ଼ ବଙ୍ଗଳାର ମାଲିକ ହେଇସାରିଲେଣି। ମୁଖ୍ୟମନ୍ତ୍ରୀଙ୍କ କ୍ଷେତ୍ରରୁ ସବୁଠୁ ଅଧିକ ଲୋକ ଦାଦନ ଖଟୁଛନ୍ତି। ଏଠାକାର ଅଧିକାଂଶ ଡାକ୍ତରଖାନାରେ ଡାକ୍ତର ପଦ ଖାଲି । ପିଲାମାନେ ଅଧାରୁ ପାଠ ଛାଡୁଛନ୍ତି। ହିଞ୍ଜିଳିରେ ଶୀତଳ ଭଣ୍ଡାର ମଧ୍ୟ ନାହିଁ। ମୋଦୀ ଓଡ଼ିଶାର ବିକାଶ ପାଇଁ ବଜେଟ କେବେ କମ୍ କରିନି ବୋଲି କହିଛନ୍ତି ମୋଦୀ।